ବିହାର ଏକ୍‌ଜିଟ୍‌ ପୋଲ୍‌ ଫଳାଫଳ : ଟାଇମ୍ସ ନାଓ-ସିଭୋଟର ଓ ଏବିପି-ସିଭୋଟର ସର୍ଭେ କହୁଛି ମହାମେଣ୍ଟ ରହିବ ଆଗରେ

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ପାଇଁ ତିନି ପର୍ଯ୍ୟାୟରେ ହୋଇଥିବା ଭୋଟଗ୍ରହଣ ଆଜି (ଶନିବାର) ସନ୍ଧ୍ୟା ୬ଟାରେ ଶେଷ ହୋଇଯାଇଛି। ପ୍ରାୟ ୭.୩ କୋଟି ଭୋଟର ବିହାର ବିଧାନସଭାର ୨୪୩ ଟି ଆସନ ପାଇଁ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ତେବେ ଏହି ପରିପ୍ରେକ୍ଷୀରେ ପ୍ରକାଶ  ପାଇଛି ଏକଜିଟ୍ ପୋଲ୍ ଫଳାଫଳ।

ପ୍ରଥମେ ପ୍ରକାଶିତ ହୋଇଥିବା ଟାଇମ୍ସ ନାଓ-ସିଭୋଟର ଏକଜିଟ୍ ପୋଲ୍ ଫଳାଫଳ ଅନୁଯାୟୀ ଆରଜେଡି ନେତୃତ୍ବାଧୀନ ମହାମେଣ୍ଟ ୧୨୦ଟି ଆସନ ପାଇବାକୁ ଯାଉଥିବା ବେଳେ ଜେଡି(ୟୁ) ଏବଂ ବିଜେପି ନେତୃତ୍ବାଧୀନ ଏନଡିଏ ୧୧୬ଟି ପାଇବ। ସେହିପରି ଅନ୍ୟାନ୍ୟ ଦଳ ମାତ୍ର ୭ଟି ଆସନ ପାଇବେ ବୋଲି ଦର୍ଶାଯାଇଛି।

ସେହିପରି ଏବିପି-ସିଭୋଟର ଏକଜିଟ୍ ପୋଲ୍ ଦର୍ଶାଇଛି କି ଆରଜେଡି ନେତୃତ୍ବାଧୀନ ମହାମେଣ୍ଟ ୧୦୮ରୁ ୧୩୧ ମଧ୍ୟରେ  ଆସନ ହାସଲ କରିବାକୁ ଯାଉଥିବା ବେଳେ ଜେଡି(ୟୁ) ଏବଂ ବିଜେପି ନେତୃତ୍ବାଧୀନ ଏନଡିଏ ୧୦୪ରୁ ୧୨୮ ମଧ୍ୟରେ ଆସନରେ ବିଜୟ ଲାଭ କରିବ। ଏହି ଦୁଇ ସଂସ୍ଥାର ବୁଥ୍ ବାହୁଡା ମତାମତ ସର୍ଭେ ଇଙ୍ଗିତ କରୁଛି କି ଏନଡିଏ ମହାମେଣ୍ଟଠାରୁ ପଛରେ ପଡ଼ିଯାଇପାରେ।  ଯେହେତୁ ଏକଜିଟ୍ ପୋଲ୍ ‘ଏକଜାଟ୍ ପୋଲ୍’ ନୁହେଁ ତେଣୁ  ୧୦ ତାରିଖ ଦିନ ଭୋଟ ଗଣତି ପରେ ସବୁକିଛି ସ୍ପଷ୍ଟ ହୋଇଯିବ।

ବିହାର ବିଧାନସଭା ନିର୍ବାଚନରେ ସଂଖ୍ୟା ଗରିଷ୍ଠତା ହାସଲ କରି ରାଜ୍ୟରେ ନୂତନ ସରକାର ଗଠନ କରିବା ପାଇଁ ଗୋଟିଏ ପକ୍ଷରେ ନ୍ୟାସନାଲ ଡେମୋକ୍ରାଟିକ୍‌ ଆଲାଇନ୍‌ସ (ଏନଡିଏ) ଦାବୀଦାର ରହିଛି। ଏଥିରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଜନତାଦଳ-ୟୁନାଇଟେଡ୍‌ (ଜେଡି-ୟୁ) (୧୧୫ ସିଟ୍‌), ଭାରତୀୟ ଜନତା ପାର୍ଟି (ବିଜେପି) (୧୧୦ ସିଟ୍‌), ବିକାଶଶୀଳ ଇନସାନ ପାର୍ଟି (ବିଆଇପି) ( ୧୧ଟି ସିଟ୍‌) ଏବଂ ଜିତନ୍‌ ରାମ ମାଞ୍ଜୀଙ୍କ ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚ (ହାମ୍‌) (୭ ଟି ସିଟ୍‌)ରେ ପ୍ରତିଦ୍ୱନ୍ଦ୍ୱିତା କରୁଛି।

ଅନ୍ୟପକ୍ଷରେ ବିରୋଧୀ ଦଳର ମହାଗଠବନ୍ଧନ ପକ୍ଷରୁ ଲାଲୁ ଯାଦବଙ୍କ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) (୧୪୪ ଟି ଆସନ) ଏବଂ କଂଗ୍ରେସ (୭୦ ଟି ଆସନ), ଅନ୍ୟ ସହଯୋଗୀଭାବେ ସିପିଆଇ-ଏମ୍‌ଏଲ୍‌ (୧୯ ଟି ସିଟ୍‌), ସିପିଆଇ (୬ଟି ସିଟ୍‌) ଏବଂ ସିପିଆଇ- ଏମ୍‌ (୪ ଟି ସିଟ୍‌) ରେ ପ୍ରତିଦ୍ୱନ୍ଦ୍ୱିତା କରୁଛି।

ତେବେ, କେନ୍ଦ୍ରରେ ଥିବା ଏନଡିଏର ସହଯୋଗୀ ଥିବା ସ୍ୱର୍ଗତ କେନ୍ଦ୍ର ମନ୍ତ୍ରୀ ରାମବିଳାସ ପାଶୱାନଙ୍କ ଲୋକ ଜନଶକ୍ତି ପାର୍ଟି (ଏଲଜେପି) ବର୍ତ୍ତମାନ ତାଙ୍କ ପୁଅ ଚିରାଗଙ୍କ ନେତୃତ୍ୱରେ ଜେଡିୟୁ ସହ ମତଭେଦ ଦର୍ଶାଇ ରାଜ୍ୟରେ ଏକାକୀ ନିର୍ବାଚନ ଲଢ଼ିଛି।

୧୦ ତାରିଖରେ ଭୋଟ ଗଣତି ପରେ ଚୂଡାନ୍ତ ଫଳାଫଳ ପ୍ରକାଶ ପାଇବ। ତେବେ, ଏହା ପୂର୍ବରୁ ବିଭିନ୍ନ ସଂସ୍ଥା ପକ୍ଷରୁ କରା ଯାଇଥିବା ଏକଜିଟ୍‌ ପୋଲର ଫଳାଫଳ ଆଜି ସନ୍ଧ୍ୟାରୁ ଆସିବା ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର