ବିହାର ବିଜେପି ମୁଖ୍ୟଙ୍କ ବିବାଦୀୟ ବୟାନ: ମୋଦିଙ୍କ ବିରୋଧରେ ଯିଏ ହାତ ଉଠାଇବ ତା’ ହାତ କାଟି ଦିଆଯିବ

ନୂଆଦିଲ୍ଲୀ,: ବିହାର ବିଜେପି ମୁଖ୍ୟ ନିତ୍ୟାନନ୍ଦ ରାୟ ଆଜି ଏକ ବିବାଦୀୟ ବୟାନ ନେଇ ଅଡ଼ୁଆରେ ପଡ଼ି ଯାଇଛନ୍ତି। ସେ କହିଛନ୍ତି ମୋଦିଙ୍କ ବିରୋଧରେ ଯେଉଁ ହାତ ବା ଅଙ୍ଗୁଳି ନିକ୍ଷେପ ହେବ ସେହି ହାତ ଓ ଅଙ୍ଗୁଳିକୁ ଭାଙ୍ଗି ଦିଆଯିବ ଏବଂ କାଟି ଦିଆଯିବ। ନିତ୍ୟାନନ୍ଦ କାନୁ ସମ୍ପ୍ରଦାୟ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜଣେ ଗରିବ ସନ୍ତାନ। ସେ ବହୁ ଉଦ୍ୟମ କରି ଜଣେ ସଫଳ ମଣିଷ ହୋଇଛନ୍ତି। ତେଣୁ ତାଙ୍କୁ ସମ୍ମାନ ଦିଆଯିବା ଆବଶ୍ୟକ ଏବଂ ତାଙ୍କ ବିରୋଧରେ ଯଦି କୌଣସି ଅଙ୍ଗୁଳି କିମ୍ବା ହାତ ଉଠେ ତେବେ ତାହାକୁ କାଟି ଦିଆଯିବ। ନିତ୍ୟାନନ୍ଦଙ୍କ ଏଭଳି ବୟାନକୁ ବିରୋଧୀ ନେତାମାନେ କଡ଼ା ସମାଲୋଚନା କରିଛନ୍ତି। ଅନ୍ୟପକ୍ଷରେ ନିତ୍ୟାନନ୍ଦ ତାଙ୍କର ଭୁଲ୍‌ ବୁଝିପାରି ଏଥିଲାଗି କ୍ଷମା ପ୍ରାର୍ଥନା କରି ତାଙ୍କ ବୟାନକୁ ପ୍ରତ୍ୟାହାର କରିନେଇଛନ୍ତି।

ନିତ୍ୟାନନ୍ଦ କହିଛନ୍ତି ସେ ଯେଉଁ କଥା କହିଛନ୍ତି ତାହାକୁ ସେ ଆଉ ଫେରାଇନେଇପାରିବେନି କିନ୍ତୁ ତାଙ୍କ କଥା ଯଦି ପ୍ରକୃତରେ ଖୁବ୍‌ କଷ୍ଟ ଦେଇଥାଏ ତେବେ ସେ ଏଥିଲାଗି ବହୁ ଦୁଃଖିତ ଏବଂ ଏଥିଲାଗି କ୍ଷମା ପ୍ରାର୍ଥନା କରୁଛନ୍ତି। ନିତ୍ୟାନନ୍ଦ ତାଙ୍କର ଏହି ବୟାନ ରଖିବା ସମୟରେ ଉକ୍ତ କାର୍ଯ୍ୟକ୍ରମରେ ବିହାର ଉପ ମୁଖ୍ୟମନ୍ତ୍ରୀ ସୁଶିଲ କୁମାର ମୋଦି ଏବଂ ସ୍ୱାସ୍ଥ୍ୟ ମନ୍ତ୍ରୀ ମଙ୍ଗଳ ପାଣ୍ଡେ ମଧ୍ୟ ଉପସ୍ଥିତ ଥିଲେ। ବିରୋଧୀ କଂଗ୍ରେସ ଏବଂ ଆରଜେଡି ନିତ୍ୟାନନ୍ଦଙ୍କ ଏହି ବୟାନକୁ କଡ଼ା ସମାଲୋଚନା କରିଛନ୍ତି। ବରିଷ୍ଠ କଂଗ୍ରେସ ନେତା ପ୍ରେମ ଚନ୍ଦ୍ର ମିଶ୍ର କହିଛନ୍ତି ଜଣେ ରାଜ୍ୟ ବିଜେପି ମୁଖ୍ୟ ଏବଂ ଜଣେ ସାଂସଦ ଭାବେ ନିତ୍ୟାନନ୍ଦ ହୃଦ୍‌ବୋଧ କରିବା ଦରକାର ଯେ ଆମ୍ଭେମାନେ ଗଣତାନ୍ତ୍ରିକ ରାଷ୍ଟ୍ରରେ ବସବାସ କରୁଛେ ଏବଂ ଏଭଳି କଥା ଆଦୌ ଗ୍ରହଣୀୟ ନୁହେଁ।।

ସମ୍ବନ୍ଧିତ ଖବର