ପାଟନା: ତ୍ରିରଙ୍ଗା ଧରିଥିବା ଚାକିରି ଆଶାୟୀଙ୍କୁ ପିଟିଲା ପୁଲିସ। ବିହାରର ରାଜଧାନୀ ପାଟନାରେ ଆଶାୟୀ ଶିକ୍ଷକମାନେ ନିଯୁକ୍ତିରେ ବିଳମ୍ବକୁ ବିରୋଧ କରି ସୋମବାର ବିରୋଧ ପ୍ରଦର୍ଶନ କରିଥିଲେ। ବିରୋଧ ପ୍ରଦର୍ଶନ ତୀବ୍ର ହେବାରୁ ପୁଲିସ ଲାଠି ଚାର୍ଜ କରିବା ଆରମ୍ଭ କରିଥିଲା। ଏହି ସମୟରେ ଜଣେ ଚାକିରି ଆଶାୟୀ ତ୍ରିରଙ୍ଗା ଧରିଥିବା ଦେଖି ମଧ୍ୟ ପାଟନାର ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍ କେ.କେ ସିଂ ତାଙ୍କୁ ଲାଠି‌ରେ ମାଡ଼ ମାରିଥିଲେ। ଏହାର ଏକ ଭିଡିଓ ସାମ୍ନାକୁ ଆସିଥିବା ବେଳେ ଏବେ ଏହା ଭାଇରାଲ ହେବାରେ ଲାଗିଛି।

Advertisment

ବିକ୍ଷୋଭକାରୀଙ୍କୁ ଘଉଡାଇବା ପାଇଁ ପୁଲିସ ପାଣି ତୋପ ବ୍ୟବହାର କରିବା ସହ ଲାଠି ଚାର୍ଜ କରିଥିଲା। ତେବେ କେ.କେ ସିଂ ଚାକିିରି ଆଶାୟୀଙ୍କୁ ମାଡ଼ ମାରିବାର ଭିଡିଓ ସାମ୍ନାକୁ ଆସିବା ପରେ ଅସନ୍ତୋଷ ବ୍ୟକ୍ତ କରିବା ସହ ପାଟନାର ଜିଲ୍ଲା ମାଜିଷ୍ଟ୍ରେଟ ଏକ ତଦନ୍ତ କମିଟି ଗଠନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ମଧ୍ୟ ଆଶାୟୀ ଶିକ୍ଷକଙ୍କ ଉପରେ ଲାଠି ଚାର୍ଜକୁ ନେଇ ତଦନ୍ତ କରାଯିବ ବୋଲି କହିଛନ୍ତି।

ଉପମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟ‌ାଳୟ ପକ୍ଷରୁ ଟ୍ବିଟ କରି କୁହାଯାଇଛି ଯେ, ମାନ୍ୟବର ଉପମୁଖ୍ୟମନ୍ତ୍ରୀ ପାଟନା ଜିଲ୍ଲା ମାଜିଷ୍ଟ୍ରେଟଙ୍କ ସହ ଫୋନ୍ ଯୋଗେ କଥା ହୋଇଛନ୍ତି। ପାଟନା ସେଣ୍ଟ୍ରାଲ୍ ଏସପି ଏବଂ ଡିଡିସିଙ୍କ ନେତୃତ୍ୱରେ ଜିଲ୍ଲା ମାଜିଷ୍ଟ୍ରେଟ ଏକ ତଦନ୍ତ କମିଟି ଗଠନ କରିଛନ୍ତି। ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍ କେ.କେ ସିଂ ନିଜେ କାହିଁକି ଆଶାୟୀ ଶିକ୍ଷକଙ୍କୁ ମାଡ଼ ମାରିଥିଲେ? ପରିସ୍ଥିତି କ’ଣ ଥିଲା? ଏହାର ତଦନ୍ତ ହେବା ସହ ଦୋଷୀ ସାବ୍ୟସ୍ତ ହେଲେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।