ନୂଆଦିଲ୍ଲୀ: ବିହାରରେ ଏସ୍‌ଆଇଆର୍‌ (ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ)କୁ ବିରୋଧ କରି ଏବେ ବିରୋଧୀ ଦଳମାନେ ଲଗାତାର ସଂସଦରେ ହଟ୍ଟଗୋଳ କରୁଛନ୍ତି ଏବଂ ଏସ୍ଆଇଆର୍‌ ଉପରେ ଆଲୋଚନା ଦାବି କରୁଛନ୍ତି। ଏହି ସମୟରେ ଆଜି ସୁପ୍ରିମକୋର୍ଟ ମଧ୍ୟ ନିର୍ବାଚନ କମିସନ୍‌ (ଇସି)ଙ୍କୁ ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନ କରିଛନ୍ତି।  ଚିଠା ଭୋଟର ତାଲିକାରୁ ୬୫ ଲକ୍ଷ ଭୋଟର ବାଦ୍‌ ପଡ଼ିବା ପ୍ରସଙ୍ଗରେ କୋର୍ଟ ଇସିଙ୍କୁ ପ୍ରଶ୍ନ କରିଛନ୍ତି। କେଉଁ କାରଣ ପାଇଁ ତାଲିକାରୁ ୬୫ ଲକ୍ଷ ଭୋଟର ବାଦ୍‌ ପଡ଼ିଲେ ସେନେଇ ବିସ୍ତୃତ ତଥ୍ୟ ଦେବାକୁ କୋର୍ଟ ଇସିଙ୍କୁ କହିଛନ୍ତି। ତାଲିକାରୁ ଯେଉଁମାନେ ବାଦ୍‌ ପଡ଼ିଛନ୍ତି ସେମାନଙ୍କ ନ‌ାଁ ପ୍ରକାଶ କରିବାପାଇଁ ଦାବି କରି ସୁପ୍ରିମକୋର୍ଟରେ ହୋଇଥିବା ଏକ ଆବେଦନ ଉପରେ ଆଜି ଜଷ୍ଟିସ ସୂର୍ଯ୍ୟକାନ୍ତ, ଜଷ୍ଟିସ ଉଜ୍ଜ୍ବଳ ଭୂୟାଁ ଏବଂ ଏନ୍‌‌ କୋଟିଶ୍ବର ସିଂହଙ୍କ ଖଣ୍ଡପୀଠ ଶୁଣାଣି କରିଥିଲେ। ଖଣ୍ଡପୀଠ ନିର୍ବାଚନ କମିସନ୍‌ଙ୍କୁ ଅଗଷ୍ଟ ୯ ତାରିଖ ସୁଦ୍ଧା ତାଲିକାରୁ ବାଦ୍‌ ପଡ଼ିଥିବା ଭୋଟରଙ୍କ ସଂକ୍ରାନ୍ତରେ ବିସ୍ତୃତ ସୂଚନା ପ୍ରଦାନ କରିବା ପାଇଁ କହିଛନ୍ତି। ପୂର୍ବରୁ ଇସି ଏହି ସୂଚନା ସମସ୍ତ ରାଜନୈତିକ ଦଳ ଏବଂ ଏହାର ଏକ କିପ ଏଡିଆର୍‌କୁ ପ୍ରଦାନ କରିଥିବା‌ କହିଥିଲେ।  ତେବେ ପୂର୍ବରୁ ଇସିଙ୍କ ଏସ୍‌ଆଇଆର୍‌କୁ ଚ୍ୟାଲେଞ୍ଜ କରିଥିବା ଏନ୍‌ଜିଓ ଏଡିଆର୍‌ ଏବେ ପୁଣିଥରେ ଭୋଟର ତାଲିକାରୁ ବାଦ୍‌ ପଡ଼ିଥିବା ୬୫ ଲକ୍ଷ ଭୋଟରଙ୍କ ନାଁ ପ୍ରକାଶ କରିବାପାଇଁ ଦାବି କରି ସୁପ୍ରିମକୋର୍ଟରେ ଏକ ଆବେଦନ  କରିଥିଲା। 
ତେବେ ଖଣ୍ଡପୀଠ ଏଡିଆର୍‌ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କୁ କହିଛନ୍ତି ଯେ ଏହା କେବଳ ଏକ ଚିଠା ତାଲିକା।   କେଉଁ କାରଣ ପାଇଁ ୬୫ ଲକ୍ଷ ଭୋଟରଙ୍କୁ ବାଦ୍‌ ଦିଆଯାଇଛି ତା’ର କାରଣ ପ୍ରଦାନ କରାଯିବ।  ଅନ୍ୟପକ୍ଷେ ଭୂଷଣ ଆଜି କୋର୍ଟରେ ଯୁକ୍ତି ବାଢ଼ିଥିଲେ ଯେ ରା‌ଜନୈତିକ ଦଳ ଗୁଡ଼ିକୁ କେବଳ ବାଦ୍‌ ଦିଆଯାଇଥିବା ଭୋଟରମାନଙ୍କର ଏକ ତାଲିକା ଦିଆଯାଇଛି। କିନ୍ତୁ ଉକ୍ତ ଭୋଟର ମୃତ କି ପ୍ରବାସୀ ତାହା ପ୍ରକାଶ କରାଯାଇନି।  ଅଗଷ୍ଟ ୧୨ ତାରିଖରେ କୋର୍ଟ ଏହି ମାମଲାରେ ପରବର୍ତ୍ତୀ ଶୁଣାଣି କରିବେ।