ତେଜସ୍ବୀ ଦେଇଥିବା ପ୍ରତିଶ୍ରୁତି ପୂରଣ କଲେ ନୀତୀଶ, ୧୦ଲକ୍ଷଙ୍କୁ ଚାକିରି ଦେବାକୁ କଲେ ଘୋଷଣା

ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପାଟନାରେ ଐତିହାସିକ ଗାନ୍ଧୀ ମଇଦାନରୁ ୭୬ତମ ସ୍ବାଧୀନତା ଦିବସ ଅବସରରେ ଏକ ବଡ଼ ଘୋଷଣା କରିଛନ୍ତି। ସେ ରାଜ୍ୟରେ ୧୦ଲକ୍ଷ ଯୁବପିଢ଼ିଙ୍କୁ ସରକାରୀ ଚାକିରି ଦେବାକୁ ଘୋଷଣା କରିଛନ୍ତି। ଏହା ସହିତ ସର୍ବମୋଟ ୨୦ ଲକ୍ଷ ଲୋକଙ୍କୁ ରୋଜଗାର ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ଘୋଷଣା ସହିତ ମୁଖ୍ୟମନ୍ତ୍ରୀ ବିରୋଧୀ ଦଳକୁ ଉପଯୁକ୍ତ ଜବାବ ଦେଇଛନ୍ତି, ଯେଉଁମାନେ ଗତ ଏକ ସପ୍ତାହ ଧରି ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କୁ ୧୦ ଲକ୍ଷ ଲୋକଙ୍କୁ ଚାକିରି ଦେବା ଘୋଷଣାକୁ ନେଇ ଜବାବ ମାଗିଥିଲେ।

ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଛନ୍ତି ଯେ, ବର୍ତ୍ତମାନ ଆମେ ଏକାଠି ହୋଇଛୁ ଏବଂ ଚାହୁଁଛୁ ଯେ ରାଜ୍ୟର ଯୁବକଯୁବତୀମାନଙ୍କୁ ସର୍ବାଧିକ ସରକାରୀ ଚାକିରି ଦିଆଯାଉ। ଆମେ ଏବେ ଏକାଠି ହେବା ସହ ଆମର ଚିନ୍ତାଧାରା ମଧ୍ୟ ବର୍ତ୍ତମାନ ଗୋଟିଏ। ନୀତୀଶଙ୍କ ଏଭଳି ଘୋଷଣା ପରେ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ଐତିହାସିକ ବୋଲି ବର୍ଣ୍ଣନା କରିଛନ୍ତି। ସେ ଟୁଇଟ୍ କରି କହିଛନ୍ତି, ସମ୍ମାନିତ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଦ୍ୱାରା ୭୬ତମ ସ୍ୱାଧୀନତା ଦିବସ ଅବସରରେ ପାଟଣାର ଗାନ୍ଧୀ ମୈଦାନରୁ ଐତିହାସିକ ଘୋଷଣା: ୧୦ଲକ୍ଷ ଚାକିରି ପରେ ଅନ୍ୟାନ୍ୟ ବ୍ୟବସ୍ଥାରେ ୧୦ ଲକ୍ଷ ଅତିରିକ୍ତ ଚାକିରି ମଧ୍ୟ ଦିଆଯିବ।

ଉଲ୍ଲେଖଯୋଗ୍ୟ, ୨୦୨୦ର ବିହାର ବିଧାନସଭା ନିର୍ବାଚନରେ ​​ତେଜସ୍ୱୀ ଯାଦବ ସରକାର ଗଠନ ହେବା ମାତ୍ରେ ପ୍ରଥମ କ୍ୟାବିନେଟରେ ୧୦ ଲକ୍ଷ ଲୋକଙ୍କୁ ଚାକିରି ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ସେତେବେଳେ ତାଙ୍କର ସରକାର ଗଠନ ହୋଇପାରିନଥିବା ବେଳେ ଏବେ ତେଜସ୍ବୀ ଉପମୁଖ୍ୟମନ୍ତ୍ରୀ ହେବାରୁ ୨୦୨୦ ରେ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବେ କି ନାହିଁ ବୋଲି ବିରୋଧୀ ପ୍ରଶ୍ନ କରିଥିଲେ। ଆଜି ୧୦ଲକ୍ଷ ଚାକିରି ଦେବାର ଘୋଷଣା କରି ନୀତୀଶ ବିରୋଧୀଙ୍କୁ ଉଚିତ୍ ଜବାବ ଦେଇଛନ୍ତି।

ସମ୍ବନ୍ଧିତ ଖବର