ପାଟନା: ମହିଳାଙ୍କ ହିଜାବ ଟାଣି ବିବାଦରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ପାଟନାର ଏକ କାର୍ଯ୍ୟକ୍ରମରେ ନୀତୀଶ କୁମାର ଜଣେ ଡାକ୍ତରଙ୍କୁ ନିଯୁକ୍ତି ପତ୍ର ଦେବା ପରେ ଏଭଳି କରିଥିବା ଜଣାଯାଇଛି। ଏହାର ଏକ ଭିଡିଓ ଭାଇରାଲ ହେବା ପରେ ନୀତୀଶଙ୍କ କାମକୁ ନିନ୍ଦା କରିଛି କଂଗ୍ରେସ। ସୋସିଆଲ ମିଡିଆରେ ମଧ୍ୟ ନୀତୀଶଙ୍କ କାମକୁ ନାପସନ୍ଦ କରିଛନ୍ତି ଲୋକେ।
ସୂଚନା ମୁତାବକ, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏକ କାର୍ଯ୍ୟକ୍ରମରେ ଆୟୁଷ ଡାକ୍ତରଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରୁଥିବା ବେଳେ ଏହି ଘଟଣା ଘଟିଥିଲା। ଏହି ଘଟଣାଟି ମୁଖ୍ୟମନ୍ତ୍ରୀଙ୍କ ସଚିବାଳୟ 'ସମ୍ବାଦ'ରେ ଘଟିଥିଲା, ଯେଉଁଠାରେ ୧୦୦୦ରୁ ଅଧିକ ଆୟୁଷ ଡାକ୍ତରଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଯେତେବେଳେ ନୁସରତ ପରବୀନଙ୍କ ପାଳି ଆସିଲା, ସେ ମଞ୍ଚ ଉପରକୁ ଆସିଥିଲେ। ତାଙ୍କୁ ହିଜାବ ପିନ୍ଧିଥିବାର ଦେଖି ନୀତୀଶ "ଏହା କ'ଣ?" ବୋଲି ପଚାରିଥିଲେ। ଏହା ପରେ ସେ ତାଙ୍କ ମୁହଁରୁ ହିଜାବକୁ ଟାଣି ଦେଇଥିଲେ। ମୁଖ୍ୟମନ୍ତ୍ରୀ ଏଭଳି କରିବା ଦେଖି ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ନୀତୀଶଙ୍କୁ ଅଟକାଇବା ପାଇଁ ତାଙ୍କ ହାତକୁ ଟାଣି ଆଣିଥିବା ଭିଡିଓରେ ଦେଖାଯାଇଛି। ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ବିରୋଧୀ ଦଳ ଏବଂ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଏହି କାର୍ଯ୍ୟ ଉପରେ କ୍ରୋଧ ପ୍ରକାଶ କରିଛନ୍ତି।
This is absolutely condemnable and force pulling a woman’s veil down is nothing but public harassment of a woman by the elected CM pic.twitter.com/f5A7vFVY67
— Priyanka Chaturvedi🇮🇳 (@priyankac19) December 15, 2025
ନୀତୀଶଜୀଙ୍କ ମାନସିକ ଅବସ୍ଥା ଭଲ ନାହିଁ: ଆରଜେଡି
ଆରଜେଡି ଓ କଂଗ୍ରେସ ଉଭୟ ସେମାନଙ୍କର ‘ଏକ୍ସ‘ ଆକାଉଣ୍ଟରେ ଏହି ଭିଡିଓ ସେୟାର କରି ନୀତୀଶଙ୍କୁ ସମାଲୋଚନା କରିଛନ୍ତି। ଆରଜେଡି ଲେଖିଛି ଯେ, "ନୀତୀଶଜୀଙ୍କୁ କ'ଣ ହୋଇଛି? ତାଙ୍କର ମାନସିକ ଅବସ୍ଥା ଏବେ ସମ୍ପୂର୍ଣ୍ଣ ଦୟନୀୟ ଅବସ୍ଥାରେ ପହଞ୍ଚିଛି କି? ନା ନୀତିଶ ବାବୁ ଏବେ ୧୦୦% ସଂଘୀ ହୋଇଯାଇଛନ୍ତି?"
ଏହି ଅଶ୍ଳୀଳତା ଅକ୍ଷମଣୀୟ: କଂଗ୍ରେସ
ଏହି "ଘୃଣ୍ୟ କାର୍ଯ୍ୟ" ପାଇଁ ନୀତିଶଙ୍କୁ ସମାଲୋଚନା କରି କଂଗ୍ରେସ ମଧ୍ୟ 'ଏକ୍ସ'ରେ ଭିଡିଓଟି ସେୟାର କରିଛି ଏବଂ ନୀତୀଶଙ୍କ ଇସ୍ତଫା ଦାବି କରିଛି। ଦଳ ଲେଖିଛି ଯେ, "ଏ ହେଉଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ତାଙ୍କର ନିର୍ଲଜ୍ଜତାକୁ ଦେଖନ୍ତୁ। ଯେତେବେଳେ ଜଣେ ମହିଳା ଡାକ୍ତର ତାଙ୍କର ନିଯୁକ୍ତି ପତ୍ର ନେବାକୁ ଆସିଥିଲେ, ନୀତୀଶ କୁମାର ତାଙ୍କର ହିଜାବ ଟାଣି ଦେଇଥିଲେ। ବିହାରର ସର୍ବୋଚ୍ଚ ପଦବୀରେ ଥିବା ବ୍ୟକ୍ତି ଖୋଲାଖୋଲି ଭାବରେ ଏପରି ଘୃଣ୍ୟ କାର୍ଯ୍ୟ କରୁଛନ୍ତି। ତେବେ କଳ୍ପନା କରନ୍ତୁ ରାଜ୍ୟରେ ମହିଳାମାନେ କେତେ ସୁରକ୍ଷିତ ରହିବେ? ନୀତୀଶ କୁମାରଙ୍କୁ ଏହି ଘୃଣ୍ୟ କାର୍ଯ୍ୟ ପାଇଁ ତୁରନ୍ତ ଇସ୍ତଫା ଦେବା ଉଚିତ। ଏହି ଅଶ୍ଳୀଳତା ଅକ୍ଷମଣୀୟ।"
ପ୍ରିୟଙ୍କା ଚତୁର୍ବେଦୀଙ୍କ ପ୍ରତିକ୍ରିୟା
ଶିବସେନା ୟୁବିଟି ନେତ୍ରୀ ପ୍ରିୟଙ୍କା ଚତୁର୍ବେଦୀ ମଧ୍ୟ ଏହି କାର୍ଯ୍ୟକୁ ନିନ୍ଦା କରିଛନ୍ତି। "ଏହା ସମ୍ପୂର୍ଣ୍ଣ ନିନ୍ଦନୀୟ ଏବଂ ଜଣେ ମହିଳାଙ୍କ ହିଜାବକୁ ଜୋର ଜବରଦସ୍ତି ଟାଣିବା ନିର୍ବାଚିତ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଜଣେ ମହିଳାଙ୍କ ପ୍ରତି ସର୍ବସାଧାରଣରେ ଉତ୍ପୀଡ଼ନ ବ୍ୟତୀତ ଆଉ କିଛି ନୁହେଁ" ବୋଲି ସେ ‘ଏକ୍ସ' ରେ ଲେଖିଛନ୍ତି।
୧,୨୮୩ ଜଣ ଆୟୁଷ ଡାକ୍ତରଙ୍କୁ ମିଳିଲା ନିଯୁକ୍ତି ପତ୍ର
ନୀତିଶ କୁମାର ୧,୨୮୩ ଜଣ ଆୟୁଷ ଡାକ୍ତରଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ। ନିଯୁକ୍ତି ପାଇଥିବା ବ୍ୟକ୍ତିଙ୍କ ମଧ୍ୟରେ ୬୮୫ ଜଣ ଆୟୁର୍ରବେଦର ଡାକ୍ତର ଥିବା ବେଳେ ୩୯୩ ଜଣ ହୋମିଓପାଥି ଏବଂ ୨୦୫ ଜଣ ୟୁନାନି ଚିକିତ୍ସା ପଦ୍ଧତିରେ କାର୍ଯ୍ୟ କରୁଥିବା ଡାକ୍ତର ରହିଛନ୍ତି। ସେମାନଙ୍କ ମଧ୍ୟରୁ ୧୦ଜଣଙ୍କୁ ନୀତୀଶ ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ। ଅନ୍ୟମାନେ ଅନଲାଇନରେ ନିଯୁକ୍ତି ପତ୍ର ପାଇଥିବା ଜଣାଯାଇଛି।
ଆହୁରି ପଢ଼ନ୍ତୁ: Odia Movie Barsha Priyadarshini ପଚିଶିରେ ଓଲିଉଡ ନାୟିକା ବର୍ଷା ପ୍ରିୟଦର୍ଶିନୀ: ଗୋଟିକରେ ସନ୍ତୁଷ୍ଟ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/12/16/nitish-kumar-2025-12-16-14-55-15.jpg)