ପୁଅ ବାହାଘର ନିରାଡ଼ମ୍ବର ଭାବେ ହେବ; ଅତିଥିମାନଙ୍କୁ ପ୍ରସାଦ ପରିବେଷଣ କରାଯିବ: ସୁଶୀଳ ମୋଦି

ପାଟନା: ସମ୍ପ୍ରତି ରାଜନୈତିକ ନେତାମାନେ ସେମାନଙ୍କ ସନ୍ତାନସନ୍ତତିଙ୍କ ବିଭାଘରରେ ଅପର୍ଯ୍ୟାପ୍ତ ଅର୍ଥ ଖର୍ଚ୍ଚ କରୁଥିବାବେଳେ ତାଙ୍କ ପୁଅ ଉତ୍କର୍ଷ ମୋଦିଙ୍କ ବାହାଘର ସର୍ବନିମ୍ନ ଖର୍ଚ୍ଚରେ ତୁଲାଇବାକୁ ବିହାରର ଉପମୁଖ୍ୟ ମୁଖ୍ୟମନ୍ତ୍ରୀ ସୁଶୀଳ ମୋଦି ସ୍ଥିର କରିଛନ୍ତି।

ପାଟନା ଅନ୍ତର୍ଗତ ରାଜେନ୍ଦ୍ର ନଗରସ୍ଥିତ ଶଖା ମୈଦାନ ଠାରେ ଡିସେମ୍ବର ୩ ତାରିଖ ଦିନ ବାହାଘର ଅନୁଷ୍ଠିତ ହେବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡିଜିଟାଲ୍‌ ଇଣ୍ଡିଆ ଦ୍ୱାରା ଉଦ୍‌ବୁଦ୍ଧ ହୋଇ ଉପମୁଖ୍ୟମନ୍ତ୍ରୀ ଛାପା ନିମନ୍ତ୍ରଣ କାର୍ଡ ପରିବର୍ତ୍ତେ ହ୍ଵାଟସ୍‌ଆପ୍‌ ଏବଂ ଇମେଲ୍‌ ଜରିଆରେ ତାଙ୍କର ୧୫୦୦ ଅତିଥିଙ୍କୁ ନିମନ୍ତ୍ରଣ କରିବେ।

ପୁଅ ବାହାଘରରେ ଯାନିଯୌତୁକ ଗ୍ରହଣ ନ କରିବାକୁ ସୁଶୀଳ ମୋଦି ସ୍ଥିର କରିଛନ୍ତି।

ଅକ୍ଟୋବର ମାସରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଜ୍ୟବ୍ୟାପୀ ଯୌତୁକ ଏବଂ ବାଳ ବିବାହ ବିରୋଧରେ ଅଭିଯାନ ଆରମ୍ଭ କରିଛନ୍ତି । ଏହାର ଅଗ୍ରଣୀ ଦୃଷ୍ଟାନ୍ତ ହେବା ନିମନ୍ତେ ସ୍ଥିର କରିଛନ୍ତି ମୋଦି।

୧୯୮୬ରେ ମୋ ବାହାଘର ଅତି ନିରାଡ଼ମ୍ବର ଭାବେ ହୋଇଥିଲା ଏବଂ ଅତିଥିମାନଙ୍କୁ କେବଳ ମୃଦୁ ପାନୀୟରେ ଆପ୍ୟାୟିତ କରାଯାଇଥିଲା, ଭୋଜନ ନୁହେଁ। ମୋ ପୁଅ ବାହାଘରରେ ମୁଁ ତାହା ହିଁ କରିବି ବୋଲି ସୁଶୀଳ କହିଛନ୍ତି।

ବାହାଘରରେ ବ୍ୟାଣ୍ଡ୍‌-ବାଜା-ବାରତ୍‌ ରହିବ ନାହିଁ କି, ଅତିଥିମାନଙ୍କୁ ଔପଚାରିକ ଭାବେ ସ୍ୱାଗତ କରାଯିବ ନାହିଁ। ନାଚ ହେବ ନାହିଁ, ଗୀତ ହେବ ନାହିଁ, ଅତି ନିରାଡ଼ମ୍ବର ବାହାଘର ହେବ ବୋଲି ସୁଶୀଳ କହିଛନ୍ତି। ବିଶେଷ ସୂତ୍ରରୁ ଜଣାପଡ଼ିଛି, ଭୁରିଭୋଜନ ପରିବର୍ତ୍ତେ ଅତିଥିମାନଙ୍କୁ ପ୍ରସାଦ ଦିଆଯିବ।

ପୁଣେର ଏମ୍‌ବିଏ ଛାତ୍ର ଉତ୍କର୍ଷ ମୋଦି ବେଙ୍ଗାଲୁରୁର ଏକ ଏମ୍‌ଏନ୍‌ସିରେ କାର୍ଯ୍ୟ କରୁଛନ୍ତି। ତାଙ୍କର କନିଅାଁ କୋଲ୍‌କତାର ଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟ୍‌।

ସମ୍ବନ୍ଧିତ ଖବର