ନୂଆଦିଲ୍ଲୀ: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବାନ୍ତ ରେଡ୍ଡୀ ପୂର୍ବତନ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ (କେସିଆର୍‌)ଙ୍କୁ ନେଇ ଦେଇଥିବା ‘ବିହାର ଡିଏନ୍‌ଏ’ ବୟାନ ଏବେ ଇଣ୍ଡିଆ ମେଣ୍ଟରେ ଅସନ୍ତୋଷ ବଢ଼ାଇଛି। ମେଣ୍ଟର ଦୁଇ ପ୍ରମୁଖ ଦଳ ଆର୍‌ଜେଡି ଏବଂ ଜେଡିୟୁ ନେତାମାନେ ରେବାନ୍ତ ରେଡ୍ଡିଙ୍କୁ କଡ଼ା ସମାଲୋଚନା କରିବା ସହ ସେ ବିହାରକୁ ଅପମାନିତ କରିଥିବା କହିଛନ୍ତି। ସୂଚନାଯୋଗ୍ୟ, ରେବାନ୍ତଙ୍କ ବିବାଦୀୟ ମନ୍ତବ୍ୟକୁ ବିଜେପି ମଧ୍ୟ ପୂର୍ବରୁ ସମାଲୋଚନା କରି ଏହା କଂଗ୍ରେସର ବିଭାଜନକାରୀ ରାଜନୀତି ବୋଲି କହିଥିଲା।

Advertisment

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ଦିନ ରେବାନ୍ତ ଏକ କାର୍ଯ୍ୟକ୍ରମରେ କହିଥିଲେ, ତାଙ୍କ ଡିଏନ୍‌ଏ ତେଲେଙ୍ଗାନାର ଏବଂ କେ ଚନ୍ଦ୍ରଶେଖର ରାଓଙ୍କ ଡିଏନ୍‌ଏ ବିହାରର। ତେଲେଙ୍ଗାନା ଡିଏନ୍‌ଏ ବିହାର ଡିଏନ୍‌ଏ ଠାରୁ ଭଲ। କେସିଆର ବିହାରରୁ ବିଜୟନଗର ଏବଂ ବିଜୟନଗରରୁ ତେଲେଙ୍ଗାନା ଆସିଛନ୍ତି ବୋଲି ରେବାନ୍ତ କହିଥିଲେ। ଜେଡିୟୁ ନେତା ନୀରଜ କୁମାର ରେବାନ୍ତଙ୍କୁ କଡ଼ା ଜବାବ ଦେଇ କହିଛନ୍ତି, ଆମ ସମସ୍ତଙ୍କର ହିନ୍ଦୁସ୍ତାନ ଡିଏନ୍‌ଏ ରହିଛି। ଏଥିରେ ତେଲଙ୍ଗାନା, ବିହାର ପ୍ରସଙ୍ଗ ଉଠାଇବା ଦୁର୍ଭାଗ୍ୟଜନକ। ଏଭଳି ମନ୍ତବ୍ୟ ଇଣ୍ଡିଆ ମେଣ୍ଟକୁ ଦୁର୍ବଳ କରିଦେବ ବୋଲି ସେ ଚେତାବନୀ ଦେଇଛନ୍ତି। ଆର୍‌ଜେଡି ନେତାମାନେ ମଧ୍ୟ ରେବାନ୍ତଙ୍କ ବୟାନକୁ ଅରୁଚିକର ଓ ଦୁର୍ଭାଗ୍ୟଜନକ ବୋଲି ବର୍ଣ୍ଣନା କରିଛନ୍ତି।