ପାଟନା: ବିହାରର ରାଜଧାନୀ ପାଟନାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଜଣେ ମହିଳା ଆଇଏଏସ୍ ଅଫିସରଙ୍କ ବିବାଦୀୟ ବୟାନ ସୋସିଆଲ ମଡିଆରେ ଭାଇରାଲ ହେଉଛି। ଗତକାଲି ମହିଳା ଏବଂ ଶିଶୁ ବିକାଶ ବିଭାଗ ଏବଂ ୟୁନିସେଫ୍ ଦ୍ବାରା ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଆଇଏଏସ୍ ଅଫିସର ହରଜୋତ୍ କୌର ସ୍କୁଲ ଛାତ୍ରୀଙ୍କୁ ୨୦-୩୦ଟଙ୍କାରେ ସାନିଟାରି ପ୍ୟାଡ୍ ଉପଲବ୍ଧ କରାଯିବା ସଂକ୍ରାନ୍ତ ଏକ ପ୍ରଶ୍ନର ଜବାବରେ କହିଥିଲେ, ଏଭଳି ହେଲେ ଲୋକେ ମାଗଣାରେ କଣ୍ଡମ ଦେବାପାଇଁ ମଧ୍ୟ ଦାବି କରିବେ। ତାଙ୍କର ଏଭଳି ଜବାବକୁ ନେଇ ଏବେ ବିବାଦ ମୁଣ୍ଡ ଟେକିବାରୁ ଜବାବ ରଖିଛନ୍ତି ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ।
ତେଜସ୍ୱୀ ଯାଦବ ଟ୍ୱିଟ୍ କରି ଲେଖିଛନ୍ତି ଯେ, କନ୍ୟା ଉତଥାନ ଯୋଜନା ଅଧୀନରେ ବିହାର ସରକାର ସାନିଟାରୀ ନାପକିନ୍ ପାଇଁ ପ୍ରତିବର୍ଷ ୩୦୦ଟଙ୍କା ଦେଉଛନ୍ତି। କାର୍ଯ୍ୟକ୍ରମରେ ସେହି ସାହସୀ ଝିଅ ସାନିଟାରୀ ନାପକିନ୍ ପାଇଁ ସରକାର ମାସକୁ ୨୦-୩୦ ଟଙ୍କା ଦେବେ କି ବୋଲି ଦାବି କରୁଥିବାବେଳେ ସରକାର କନ୍ୟା ଉତଥାନ ଯୋଜନାରେ ମାସିକ ୨୫ଟଙ୍କା ଦେଉଛନ୍ତି। ବୋଧହୁଏ ସଚେତନତାର ଅଭାବ ହେତୁ ସ୍କୁଲ ଛାତ୍ରୀ ଏବଂ ଆଇଏଏସ ଅଧିକାରୀ ଏବିଷୟରେ ଜାଣିନଥିଲେ।
कन्या उत्थान योजना के अंतर्गत बिहार सरकार पहले से 300₹ प्रतिवर्ष सैनिटरी नैपकिन के नाम पर दे रही है।वक्त कार्यक्रम में उस बहादुर बच्ची ने 20-30₹ प्रतिमाह की माँग रखी थी जबकि सरकार 25₹ प्रतिमाह दे रही है।शायद जागरूकता के अभाव में बच्ची और अधिकारी को इसकी जानकारी नहीं रही होगी। https://t.co/LtEoMJu74u pic.twitter.com/lBtiVN1wfM
— Tejashwi Yadav (@yadavtejashwi) September 29, 2022
ତେବେ ସରକାରଙ୍କ ଯୋଜନା ବିଷୟରେ ସ୍ପଷ୍ଟ କରିଥିଲେ ବି ତେଜସ୍ବୀ ଆଇଏଏସ୍ ଅଫିସର ହରଜୋତଙ୍କ ବ୍ୟବହାରକୁ ନେଇ କୌଣସି ପ୍ରତିକ୍ରିୟା ରଖିନଥିବା ଦେଖାଯାଇଛି।
ଉଲ୍ଲେଖଯୋଗ୍ୟ, ଏକ କାର୍ଯ୍ୟକ୍ରମରେ ଜଣେ ସ୍କୁଲ ଛାତ୍ରୀ ହରଜୋତଙ୍କୁ ପ୍ରଶ୍ନ କରିଥିଲେ ଯେ, ସରକାର ଅନେକ ମାଗଣା ସାମଗ୍ରୀ ଦେଉଛନ୍ତି। ସେ ଆମକୁ ୨୦-୩୦ଟଙ୍କାରେ ସାନିଟାରୀ ପ୍ୟାଡ୍ ଦେଇପାରିବେ କି? ଏହି ପ୍ରଶ୍ନର ସିଧା ଉତ୍ତର ରଖିବା ପରିବର୍ତ୍ତେ ହରଜୋତ କହିଥିଲେ, ଲୋକଙ୍କ ଦାବିଗୁଡ଼ିକର କୌଣସି ଅନ୍ତ ଅଛି କି? ଆସନ୍ତାକାଲି, ଆପଣ କହିବେ ସରକାର ଜିନ୍ସ ଓ ସୁନ୍ଦର ଜୋତା ମାଗଣାରେ ଦେବେ କି। ଶେଷରେ ଆପଣ ସରକାରଙ୍କୁ ମାଗଣାରେ କଣ୍ଡୋମ ମଧ୍ୟ ମାଗିବେ।
ହରଜୋତଙ୍କ ଏଭଳି ଅଜବ ଉତ୍ତର ଶୁଣି ସ୍କୁଲ ଛାତ୍ରୀ କହିଥିଲେ ଯେ, ଲୋକଙ୍କ ଭୋଟ ପାଇବା ପରେ ହିଁ ସରକାର ଗଠନ ହୁଏ। ଏହା ଶୁଣି ହରଜୋତ କହିଥିଲେ ଯେ, ସରକାର କ’ଣ ସବୁ ଦେବେ? ଆପଣମାନେ କ’ଣ ସେବା ପାଇବା ପାଇଁ ଭୋଟ ଦେଉଛନ୍ତି? ଏହାର ଉତ୍ତରରେ ସ୍କୁଲ ଛାତ୍ରୀ କହିଥିଲେ, ନିର୍ବାଚନ ସମୟରେ ସରକାର ସେବା ଯୋଗାଇବାର ପ୍ରତିଶ୍ରୁତି ଦେଇଥାନ୍ତି।
ଛାତ୍ରୀଙ୍କଠାରୁ ଏଭଳି ଉତ୍ତର ଶୁଣି ହରଜୋତ କହିଥିଲେ, ଯଦି ଏଭଳି କଥା ତେବେ ଭୋଟ ଦିଅ ନାହିଁ। ପାକିସ୍ତାନ ଭଳି ହୋଇଯାଅ।