ବିହାର, ୟୁପିରେ ସ୍ଥିତି ଗମ୍ଭୀର : ବର୍ଷା ନେଲା ୧୦୦ ଜୀବନ

ପାଟନା ସହର ଅଣାୟତ୍ତ, ହସ୍ପିଟାଲରେ ପାଣି ପଶିଲା

ପାଟନା/ଲକ୍ଷ୍ନୌ: ବିହାର ଓ ଉତ୍ତରପ୍ରଦେଶରେ ଲଗାଣ ବର୍ଷା ଯୋଗୁଁ ଅଣାୟତ୍ତ ସ୍ଥିତି ଉପୁଜିଛି। ଗତ ଚାରି ଦିନ ମଧ୍ୟରେ ବର୍ଷାଜନିତ ବିପର୍ଯ୍ୟୟ ଯୋଗୁଁ ଏହି ଦୁଇ ରାଜ୍ୟରେ ୧୦୦ ଜଣଙ୍କର ମୃତ୍ୟୁ ହୋଇ ସାରିଲାଣି। ବିହାର ଏବଂ ପୂର୍ବ ଉତ୍ତର ପ୍ରଦେଶର ଅଧିକାଂଶ ଅଞ୍ଚଳ ଜଳବନ୍ଦୀ ହୋଇ ରହିଥିବାରୁ ଲୋକେ ଅକଥନୀୟ ଦୁର୍ଦ୍ଦଶା ଭୋଗୁଛନ୍ତି। ପାଟନାରେ ଜୀବନଯାତ୍ରା ବ୍ୟାହତ ହୋଇଛି ଏବଂ ୧୩ଟି ଜିଲ୍ଲାରେ ରେଡ୍‌ ଆଲର୍ଟ ଜାରି ହୋଇଛି। ଆଜି କାନ୍ଥ ଭୁଷୁଡ଼ି ପାଟନାରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଭଗଲପୁରରେ ୩ଜଣଙ୍କ ମୃତ୍ୟୁ ଘଟିଛି। ପାଣି ଘେରରୁ ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ଏନ୍‌ଡିଆର୍‌ଏଫ୍‌ ଏବଂ ଏସ୍‌ଡିଆର୍‌ଏଫ୍‌ ଅହରହ କାର୍ଯ୍ୟ କରୁଛନ୍ତି। ପାଟନାରେ ବର୍ଷା ପାଣି ଡାକ୍ତରଖାନାରେ ପଶିଯିବାରୁ ରୋଗୀସେବା ବାଧାପ୍ରାପ୍ତ ହୋଇଛି। ପାଟନାର ୬୦ ପ୍ରତିଶତ ଅଂଚଳ ଜଳବନ୍ଦୀ ହୋଇ ରହିଛି ଏବଂ ପ୍ରସିଦ୍ଧ ପାଟନା ଜଂକ୍‌ସନ ମଧ୍ୟ ଏଥିରୁ ବାଦ୍‌ ପଡ଼ିନାହିଁ। ରାଜ୍ୟର ବିଭିନ୍ନ ଅଂଚଳରେ ସ୍କୁଲ, କଲେଜ ବନ୍ଦ ରହିଛି। ୧୩ଟି ଟ୍ରେନ୍‌ ଚଳାଚଳ ବାତିଲ କରି ଦିଆଯାଇଛି। ବିହାରରେ ଗତ ୪୮ ଘଣ୍ଟା ମଧ୍ୟରେ ୨୫ ଜଣଙ୍କ ମୃତ୍ୟୁ ଘଟିଛି।

ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବର୍ଷା ବିପର୍ଯ୍ୟୟର ମୁକାବିଲା ପାଇଁ ଏକ ଉଚ୍ଚସ୍ତରୀୟ ବୈଠକରେ ସ୍ଥିତି ସମୀକ୍ଷା କରିଛନ୍ତି। ମୁଖ୍ୟମନ୍ତ୍ରୀ ଆଜି ପାଟନାର ଜଳମଗ୍ନ ଅଂଚଳ ଗସ୍ତ କରି ପରିସ୍ଥିତି ଦେଖିଛନ୍ତି। ପାଟନାରେ ଆଜି ଅଧିକ ୩ଟି ଏନ୍‌ଡିଆର୍‌ଏଫ୍‌ ଟିମ୍‌ ମୁତୟନ କରାଯାଇଛି। ଗୟାରେ ବ୍ୟାପକ ଅଂଚଳ ପାଣି ଘେରରେ ରହିଥିବା ବେଳେ ଆଜି ସେଠାରେ ୬ ଜଣଙ୍କ ମୃତ୍ୟୁ ଘଟିଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି। ପାଟନା ଅନ୍ତର୍ଜାତୀୟ ବିମାନ ବନ୍ଦର ସ୍ବାଭାବିକ ଭାବେ କାର୍ଯ୍ୟ କରୁଥିଲେ ମଧ୍ୟ ପାଗ ଖରାପ ରହିଥିବାରୁ କେତେକ ବିମାନର ଗତିପଥ ବଦଳିଛି। ପାଟନାରେ ଆହୁରି ୨ ଦିନ ପ୍ରବଳ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ଅନୁମାନ କରିଛି। ଉତ୍ତରପ୍ରଦେଶରେ ପ୍ରବଳ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଆଜି ପ୍ରୟାଗରାଜରେ ୧୦୨ ମିମି ବୃଷ୍ଟିପାତ ରେକର୍ଡ କରାଯାଇଛି। ବାରଣାସୀରେ ସହରର ବିଭିନ୍ନ ଅଂଚଳ ଜଳବନ୍ଦୀ ହୋଇ ରହିଛି। ଉତ୍ତର ପ୍ରଦେଶରେ ପ୍ରଳୟଙ୍କରୀ ବର୍ଷା ୩ ଦିନ ମଧ୍ୟରେ ୭୦ରୁ ଅଧିକ ଲୋକଙ୍କ ଜୀବନ ନେଇଛି।

ସମ୍ବନ୍ଧିତ ଖବର