ଭୋଟ୍ ଦେଇପାରିବେ କରୋନା ରୋଗୀ
ନଭେମ୍ବର ୧୦ରେ ଫଳାଫଳ
ନୂଆଦିଲ୍ଲୀ : ବିହାର ବିଧାନସଭା ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା ହୋଇଛି। ୩ଟି ପର୍ଯ୍ୟାୟରେ ବିହାର ବିଧାନସଭା ନିର୍ବାଚନ ହେବ। ଅକ୍ଟୋବର ୨୮ରେ ପ୍ରଥମ ପର୍ଯ୍ୟାୟ, ନଭେମ୍ବର ୩ରେ ଦ୍ବିତୀୟ ପର୍ଯ୍ୟାୟ ଏବଂ ନଭେମ୍ବର ୭ରେ ତୃତୀୟ ପର୍ଯ୍ୟାୟ ଭୋଟଗ୍ରହଣ ପାଇଁ ତାରିଖ ଧାର୍ଯ୍ୟ ହୋଇଛି। ନଭେମ୍ବର ୧୦ ତାରିଖରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ। ୨୪୩ ଆସନ ବିଶିଷ୍ଟ ବିହାର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରି ମୁଖ୍ୟ ନିର୍ବାଚନ କମିସନର ସୁନିଲ ଆରୋରା କହିଛନ୍ତି, କରୋନା ମହାମାରୀ ମଧ୍ୟରେ ସମଗ୍ର ବିଶ୍ବରେ ପ୍ରଥମ ଥର ପାଇଁ ଏହି ସର୍ବବୃହତ୍ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଦେଶରେ ହୋଇଥିବା ଶେଷ ନିର୍ବାଚନ ତଥା ଦିଲ୍ଲୀ ବିଧାନସଭା ନିର୍ବାଚନ ପରଠାରୁ ସମଗ୍ର ବିଶ୍ବରେ ପରିସ୍ଥିତି ବଦଳି ଯାଇଛି ଏବଂ କରୋନା ମହାମାରୀ ଆମ ଜୀବନର ପ୍ରତ୍ୟେକଟି ଅଂଶରେ ଏକ ନୂତନ ସ୍ବାଭାବିକତା ଗ୍ରହଣ କରିବାପାଇଁ ଆମକୁ ବାଧ୍ୟ କରିଛି ବୋଲି ଆରୋରା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।
ମହାମାରୀ ମଧ୍ୟରେ ନିର୍ବାଚନ ହେଉଥିବାରୁ ଏଥିପାଇଁ ସ୍ବତନ୍ତ୍ର ନିର୍ଦ୍ଦେଶାବଳି ପ୍ରସ୍ତୁତ ହୋଇଛି। ଆରୋରା କହିଛନ୍ତି, ଭୋଟିଂ ସମୟ ପ୍ରାୟ ୧ ଘଣ୍ଟା ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ମାଓ ପ୍ରବଣ ଅଞ୍ଚଳକୁ ଛାଡ଼ିଦେଲେ ଅନ୍ୟ ସବୁ ସ୍ଥାନରେ ସକାଳ ୭ଟାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ ହେବ। କୋଭିଡ୍ ରୋଗୀମାନେ ଦିନର ଶେଷ ଘଣ୍ଟା ବେଳକୁ ଭୋଟ୍ ଦେଇପାରିବେ। କୋଭିଡ୍ ପଜିଟିଭ୍ ଭୋଟରମାନଙ୍କ ପାଇଁ ଏକ ସ୍ବତନ୍ତ୍ର ପ୍ରୋଟକଲ୍ ପ୍ରସ୍ତୁତ କରାଯାଇଛି। ସମସ୍ତ ଭୋଟରମାନେ ମାସ୍କ ଏବଂ ଗ୍ଲୋଭ୍ସ ପିନ୍ଧିବେ। ବିହାର ନିର୍ବାଚନ ପାଇଁ ୭ ଲକ୍ଷ ହ୍ୟାଣ୍ଡ୍ ସାନିଟାଇଜର, ୪୬ ଲକ୍ଷ ମାସ୍କ, ୬ ଲକ୍ଷ ପିପିଇ କିଟ୍, ୬.୭ ଲକ୍ଷ ମାସ୍କ ଏବଂ ୨୩ ଲକ୍ଷ ହ୍ୟାଣ୍ଡ୍ ଗ୍ଲୋଭ୍ସ ପ୍ରସ୍ତୁତ କରାଯାଇଛି। ଆବଶ୍ୟକ ସ୍ଥଳେ ପୋଷ୍ଟାଲ୍ ବାଲଟ୍ ସୁବିଧା ଦିଆଯିବ। ତେବେ ନିର୍ବାଚନ ପ୍ରଚାର ସମୟରେ ସାମାଜିକ ଦୂରତ୍ବ ଅବଲମ୍ବନ ଉପରେ ଗୁରୁତ୍ବାରୋପ କରାଯାଇଛି। ଆରୋରା ପୁଣିଥରେ କହିଛନ୍ତି, ଯଦି କେହି ନିର୍ବାଚନ ସମୟରେ ସାମ୍ପ୍ରଦାୟିକ ବିଶୃଙ୍ଖଳା ସୃଷ୍ଟି କରିବାପାଇଁ ଏବଂ ଉଦ୍ଦେଶ୍ୟମୂଳକ ଭାବେ ସମସ୍ୟା ସୃଷ୍ଟି କରିବାପାଇଁ ସୋସିଆଲ ମିଡିଆର ବ୍ୟବହାର କରନ୍ତି ତେବେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ। ଘୃଣା ବୟାନକୁ ମଧ୍ୟ ନିର୍ବାଚନ କମିସନ୍ ଭଲଭାବେ ମୁକାବିଲା କରିବେ ବୋଲି ଆରୋରା ଚେତାଇ ଦେଇଛନ୍ତି।
ସୁରକ୍ଷା ବ୍ୟବସ୍ଥା, ପାର୍ବଣ ଋତୁ ଏବଂ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ଦିଗକୁ ବିଚାରକୁ ନେଇ ୨୪୩ ଆସନ ବିଶିଷ୍ଟ ବିହାର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାର ପର୍ଯ୍ୟାୟ ସଂଖ୍ୟାକୁ କମାଇ ଦିଆଯାଇଛି ବୋଲି ଆରୋରା କହିଛନ୍ତି। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ତଥା ଅକ୍ଟୋବର ୨୮ରେ ୭୧ ବିଧାନସଭା ନିର୍ବାଚନମଣ୍ଡଳୀ, ଦ୍ବିତୀୟ ପର୍ଯ୍ୟାୟ ନଭେମ୍ବର ୩ରେ ୯୪ ନିର୍ବାଚନମଣ୍ଡଳୀ ଏବଂ ନଭେମ୍ବର ୭ରେ ୭୮ ବିଧାନସଭା ନିର୍ବାଚନମଣ୍ଡଳୀରେ ନିର୍ବାଚନ ହେବ। ନଭେମ୍ବର ୧୦ ତାରିଖରେ ଭୋଟ୍ ଗଣତି ହେବ। ଏହି ନିର୍ବାଚନରେ ୭,୧୮,୨୨, ୪୫୦ ଭୋଟର୍ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/bihar-elction-f.jpg)