ବିହାର ପ୍ରଚାର ଯୁଦ୍ଧରେ ମୋଦୀ-ରାହୁଲ

ର‍୍ୟାଲିରେ ଗର୍ଜିଲେ ମୋଦୀ : ଲଣ୍ଠନର ଯୁଗ ଶେଷ ହୋଇଯାଇଛି, ଏଥର ବିହାରବାସୀ ଉଚିତ ଜବାବ ଦେବେ: ରାହୁଲ

ଧାରା ୩୭୦ ପୁନଃ ଲାଗୁ କରିବାକୁ ଚାହୁଛନ୍ତି ବିରୋଧୀ

ଗୟା : ଆସନ୍ତା ସପ୍ତାହରେ ବିହାର ବିଧାନସଭା ନିର୍ବାଚନ ଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ରଥମ ରୢାଲିରେ ଉଦ୍‌ବୋଧନ ଦେଇଛନ୍ତି। ମୋଦୀ ଆଜି ବିହାରରେ ‌ ସାସାରାମ୍‌, ଗୟା ଏବଂ ଭାଗଲପୁରରେ ୩ଟି ରୢାଲି କରିଛନ୍ତି। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଧ୍ୟ ତାଙ୍କ ସହ ରୢାଲିରେ ଉପସ୍ଥିତ ଥିଲେ। ସାସାରାମ୍‌ରେ ନୀତୀଶଙ୍କ ସହ ମିଳିତ ରୢାଲିରେ ଉଦ୍‌ବୋଧନ ଦେଇ ମୋଦୀ ଧାରା ୩୭୦ ପ୍ରସଙ୍ଗରେ ବିରୋଧୀଙ୍କ ଉପରେ ବର୍ଷିଛନ୍ତି। ଧାରା ୩୭୦ ଉଚ୍ଛେଦ ନେଇ ସରକାରଙ୍କୁ ବିରୋଧୀ ଦଳ ନେତାମାନେ ସମାଲୋଚନା କରିଥିବାରୁ ଏହି ପରିପ୍ରେକ୍ଷୀରେ ମୋଦୀ ବିରୋଧୀଙ୍କୁ ଟାର୍ଗେଟ୍‌ କରିଛନ୍ତି।

ମୋଦୀ କହିଛନ୍ତି ସମଗ୍ର ଦେଶ ଧାରା ୩୭୦ ଉଚ୍ଛେଦକୁ ଅପେକ୍ଷା କରିଥିଲା । ଏନ୍‌ଡିଏ ସରକାର ଧାରା ୩୭୦ ଉଚ୍ଛେଦ କରିଛନ୍ତି। ବିରୋଧୀ ଦଳମାନେ କ୍ଷମତାକୁ ଆସିଲେ ଧାରା ୩୭୦କୁ ପୁନଃ ଲାଗୁ କରିବାକୁ ଚାହୁଛନ୍ତି। ସେମାନେ ଏଭଳି ଟିପ୍ପଣୀ ରଖିବାପରେ ବି ବିହାରରୁ ଭୋଟ୍‌ ପାଇବା ପାଇଁ ସାହସ କରିଛନ୍ତି। ଏହା କ’ଣ ବିହାର ପାଇଁ ଅପମାନ ନୁହେଁ କି ବୋଲି ପ୍ରଧାନମନ୍ତ୍ରୀ ପ୍ରଶ୍ନ କରିଛନ୍ତି। ବିହାର ନିଜର ସନ୍ତାନଙ୍କୁ ଦେଶର ସୁରକ୍ଷା ପାଇଁ ସୀମାକୁ ପଠାଉଛି, କିନ୍ତୁ ବିରୋଧୀମାନେ ବେପରୁଆ ବୟାନ ଦେଇ ଦେଶକୁ ଦୁର୍ବଳ କରୁଛନ୍ତି ବୋଲି ସେ କହିଛନ୍ତି। ମୋଦୀ ଆଜି ଗୟାରେ ଅନ୍ୟ ଏକ ରୢାଲି କରି ଆର୍‌ଜେଡି ନେତୃତ୍ବାଧୀନ ମହାମେଣ୍ଟ ବିରୋଧରେ ସିଧାସଳଖ ଆକ୍ରମଣ କରିଛନ୍ତି। ମୋଦୀ କହିଛନ୍ତି, ମହାମେଣ୍ଟ ଏକ ଫମ୍ପା ମାଠିଆ। ଦେଶ ବିରୋଧୀ କାର୍ଯ୍ୟକଳାପ ଏବଂ ଦୁର୍ନୀତି ବିରୋଧରେ ସରକାରୀ କାର୍ଯ୍ୟାନୁଷ୍ଠାନ ଜୋରଦାର ହୋଇଥିବାରୁ କିଛି ବିରୋଧୀ ଏବେ ଏକାଠି ହୋଇଛନ୍ତି। ତେବେ ରାଜ୍ୟବାସୀ ଏନ୍‌ଡିଏକୁ ପୁନର୍ବାର କ୍ଷମତାକୁ ଆଣିବାପାଇଁ ନୀତୀଶଙ୍କୁ ଭୋଟ୍‌ ଦେବାକୁ ପଡ଼ିବ। ଏହାଦ୍ବାରା ବିହାର ପୁଣିଥରେ ରୁଗ୍‌ଣ ସ୍ଥିତିକୁ ଯିବନାହିଁ ବୋଲି ମୋଦୀ କହିଛନ୍ତି। ବିହାରରେ ଲଣ୍ଠନର ଯୁଗ‌ ଶେଷ ହୋଇଯାଇଛି। ରାଜ୍ୟରେ ଏବେ ବିଦ୍ୟୁତ୍‌ ସେବା ଉପଲବ୍ଧ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ମୋଦୀ ଆର୍‌ଜେଡିର ନିର୍ବାଚନୀ ଚିହ୍ନକୁ ଆକ୍ଷେପ କରି ଏହା କହିଛନ୍ତି। ମୋଦୀ କହିଛନ୍ତି, ବିହାର ଆଜି ସାମ୍ନା କରୁଥିବା ଅଧିକାଂଶ ସଙ୍କଟ ୯୦ ଦଶକର କୁଶାସନ ଏବଂ ଅରାଜକତାର ପରିଣାମ। ଭାଗଲପୁରରେ ମୋଦୀ ଆଜି ଶେଷ ରୢାଲି କରିଛନ୍ତି। ମୋଦୀ କହିଛନ୍ତି, ନୀତୀଶଙ୍କ ନେତୃତ୍ବରେ ବିହାରରେ ପୁଣି ଏନ୍‌ଡିଏ ସରକାର ଆସୁଥିବା ସ୍ପଷ୍ଟ ଜଣାପଡ଼ିଯାଉଛି।

ଏଥର ବିହାରବାସୀ ଉଚିତ ଜବାବ ଦେବେ: ରାହୁଲ

Newstrack

ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧି ଆଜି ବିହାର ବିଧାନସଭା ନିର୍ବା‌ଚନ ପାଇଁ ପ୍ରଥମ ରୢାଲି କରିଛନ୍ତି। ରୢାଲିରେ ରାହୁଲ ଉଭୟ ଚୀନ୍‌ ଏବଂ ପ୍ରବାସୀ ପ୍ରସଙ୍ଗ ଉଠାଇ ସରକାରଙ୍କୁ କଡ଼ା ସମାଲୋନା କରିଛନ୍ତି। ବିରୋଧୀ ମେଣ୍ଟର ନେତା ରାହୁଲ ଗାନ୍ଧି ଏବଂ ତେଜସ୍ବୀ ଯାଦବ ଆଜି ନାୱଡ଼ାରେ ଏକ ମିଳିତ ରୢାଲି କରିଥିଲେ। ଆଜି ଗୋଟିଏ ଦିନରେ ପ୍ରଧାନମନ୍ତ୍ରୀ ‌ନରେନ୍ଦ୍ର ମୋଦୀ ଏବଂ ରାହୁଲ ଗାନ୍ଧିଙ୍କ ରୢାଲି ନିର୍ବାଚନୀ ସରଗରମ ବଢ଼ାଇ ଦେଇଛି। ପ୍ରଧାନମନ୍ତ୍ରୀ ତାଙ୍କ ସାସାରାମ୍ ଭାଷଣରେ ବିହାର ମାଟିରୁ ସୀମାକୁ ଯାଇଥିବା ସୈନିକ ମାନଙ୍କୁ ପ୍ରଶଂସା କରିଛନ୍ତି ଏବଂ ଏହା ବିହାରର ଗୌରବ ବୋଲି କହିଥିବା ବେଳେ ଏହି ପ୍ରସଙ୍ଗରେ ରାହୁଲ ମୋଦୀଙ୍କୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି, ବିହାରର ଯବାନମାନେ ଯେତେବେଳେ ସହିଦ ହେଲେ ସେତେବେଳେ ପ୍ରଧାନମନ୍ତ୍ରୀ କ’ଣ କରୁଥିଲେ। ଚୀନ୍‌ ଆମ ସୀମା ମଧ୍ୟକୁ ପଶିଆସିଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ରାହୁଲ କହିଛନ୍ତି, ମୋଦୀଜୀ, ବିହାରୀଙ୍କୁ ମିଛ କୁହନ୍ତୁ ନାହିଁ। ବିହାରୀଙ୍କୁ ଚାକିରି ଦେଇଛନ୍ତି କି? ଗତ ନିର୍ବାଚନରେ ମୋଦୀ ୨ କୋଟି ଚାକିରିର ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ କେହି ବି ଚାକିରି ପାଇନାହାନ୍ତି। ରାହୁଲ କହିଥିଲେ, ସର୍ବସାଧାରଣରେ ମୋଦୀ କହୁଛନ୍ତିଯେ, ସେ ଯବାନ, କୃଷକ, ଶ୍ରମିକ ଏବଂ ବ୍ୟବସାୟୀଙ୍କ ନିକଟରେ ତାଙ୍କ ମଥାନତ କରିଛନ୍ତି। କିନ୍ତୁ ବାସ୍ତବରେ ସେ ଘରେ ପହଞ୍ଚିବାପରେ ପୁଂଜିପତିଙ୍କ ପାଇଁ କାମ କରୁଛନ୍ତି। ମୋଦୀ ଶ୍ରମିକଙ୍କ ପାଖରେ ମଥାନତ କରିଥିବା କହୁଛନ୍ତି। ବାସ୍ତବରେ ଶ୍ରମିକମାନେ ତାଙ୍କ ସହଯୋଗ ଚାହିବାବେଳେ ସେ କିଛି କରୁନାହାନ୍ତି ବୋଲି ରାହୁଲ କହିଥିଲେ। ବିହାରବାସୀ ଉଭୟ ନୀତୀଶ କୁମାର ଏବଂ ନରେନ୍ଦ୍ର ମୋଦୀଙ୍କୁ ଉଚିତ୍‌ ଜବାବ ଦେବେ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର