ନୂଆଦିଲ୍ଲୀ : ବିହାର ବିଧାନସଭା ନିର୍ବାଚନରେ କିଏ ଜିତିବ? ଆଜି ରାଜ୍ୟ ବିଧାନସଭା ପାଇଁ ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ଶେଷ ହେବା ପରେ ବିଭିନ୍ନ ସଂସ୍ଥା ପକ୍ଷରୁ କରାଯାଇଥିବା ଏକଜିଟ୍ ପୋଲ୍ (ବୁଥ୍ ବାହୁଡ଼ା ମତ) ସର୍ଭେ ପ୍ରକାଶ ପାଇଛି। ଅଧିକାଂଶ ସର୍ଭେ ରିପୋର୍ଟ ଅନୁଯାୟୀ ୨୪୩ ସଭ୍ୟ ବିଶିଷ୍ଟ ବିଧାନସଭାରେ କାହାକୁ ବହୁମତ ମିଳିବ ନାହିଁ।
କିନ୍ତୁ ସେମାନେ ଏକମତ ଯେ ତେଜସ୍ବୀ ଯାଦବଙ୍କ ଆରଜେଡି ନେତୃତ୍ବାଧୀନ ମହାମେଣ୍ଟକୁ ସର୍ବାଧିକ ଆସନ ମିଳିବ। ପୋଲ୍ ଅଫ୍ ପୋଲ୍ସ ଅନୁଯାୟୀ ସରକାର ଗଠନ ପାଇଁ ୧୨୨ ଆସନ ଦରକାର ଥିବା ବେଳେ ମହାମେଣ୍ଟକୁ ୧୩୭ ଏବଂ ବିଜେପି ମେଣ୍ଟକୁ ୯୭ଟି ଆସନ ମିଳିବ। ତେବେ ଏଲଜେପି ନେତା ଚିରାଗ ପାଶ୍ବାନଙ୍କୁ ସେଭଳି ସଫଳତାର ମିଳିବାର ସମ୍ଭାବନା ନାହି।
ପ୍ରାୟ ସମସ୍ତ ସର୍ଭେ ମହାମେଣ୍ଟ ସପକ୍ଷରେ ରିପୋର୍ଟ ଦେଇଛନ୍ତି। ଇଣ୍ଡିଆ ଟୁଡେ-ଆକ୍ସିସ୍ ରିପୋର୍ଟ ଅନୁଯାୟୀ ମହାମେଣ୍ଟ ୧୩୯ରୁ ୧୬୧ ଆସନ ପାଇବାର ସମ୍ଭାବନା ଥିବା ବେଳେ ବିଜେପି ମେଣ୍ଟ ୬୯ରୁ ୯୧ ମଧ୍ୟରେ ଆସନ ପାଇପାରେ। ରିପବ୍ଲିକ୍ ଟିଭି ଅନୁଯାୟୀ ମହାମେଣ୍ଟ ୧୧୮ରୁ ୧୩୮ଟି ଆସନ ଏବଂ ବିଜେପି ମେଣ୍ଟ ୯୧ରୁ ୧୧୭ଟି ଆସନ ପାଇବ। ଟାଇମ୍ସ ନାଓ- ସିଭୋଟର ମୁତାବକ ବିଜେପି ମେଣ୍ଟ ୧୧୬, ମହାମେଣ୍ଟକୁ ୧୨୦, ଏଲ୍ଜେପିକୁ ୧ ଏବଂ ଅନ୍ୟମାନଙ୍କୁ ୬ ଆସନ ମିଳିବ। ଏବିପି ସି ଭୋଟର୍ ଏକ୍ଜିଟ୍ ପୋଲ୍ରେ ବିହାରରେ ଝୁଲା ସ୍ଥିତି ଉପୁଜିବ ବୋଲି କୁହାଯାଇଛି। ବିଜେପି ମେଣ୍ଟକୁ ୧୦୪ରୁ ୧୨୮ ଆସନ, ମହାମେଣ୍ଟକୁ ୧୦୮ରୁ ୧୩୧ ଆସନ, ଏଲ୍ଜେପିକୁ ୧ରୁ ୩ ଆସନ ଏବଂ ଅନ୍ୟମାନଙ୍କୁ ୪ରୁ ୮ ଆସନ ମିଳିବ ବୋଲି ଏବିପି-ସିଭୋଟର୍ ଆକଳନ କରିଛି। ଟୁଡେସ୍ ଚାଣକ୍ୟ ମହାମେଣ୍ଟକୁ ବହୁତ ବଡ଼ ସଫଳତା ମିଳିବ ବୋଲି କହିଛି। ଏହାର ଏକ୍ଜିଟ୍ ପୋଲ୍ରେ ବିଜେପି-ଜେଡିୟୁ ମେଣ୍ଟକୁ ୫୫ ଆସନ, ଆର୍ଜେଡି-କଂଗ୍ରେସ ମେଣ୍ଟକୁ ୧୮୦ ଆସନ ଏବଂ ଅନ୍ୟମାନଙ୍କୁ ୧୧ ଆସନ ମିଳିବ ବୋଲି କୁହାଯାଇଛି। ତେବେ ଦୈନିକ ଭାସ୍କର ଅନୁଯାୟୀ ବିଜେପି ମେଣ୍ଟ ବିଜୟୀ ହେବ। ଏହାକୁ ୧୨୦ରୁ ୧୨୭ଟି ଆସନ ମିଳିବ ଏବଂ ମହାମେଣ୍ଟକୁ ୭୧ରୁ ୮୧ଟି ଆସନ ମିଳିବ। ଇଣ୍ଡିଆ ଟୁଡେ ସର୍ଭେ ଅନୁଯାୟୀ ମୁଖ୍ୟମନ୍ତ୍ରୀ ଲାଗି ୪୪ ଭାଗ ଲୋକ ତେଜସ୍ବୀ ଯାଦବଙ୍କୁ ପସନ୍ଦ କରିଥିବା ବେଳେ ଜେଡିୟୁ ନେତା ନୀତୀଶ କୁମାରଙ୍କ ସପକ୍ଷରେ ୩୫ ଭାଗ ଭୋଟର ମତ ଦେଇଛନ୍ତି।
ତେବେ ପ୍ରକୃତରେ କିଏ ବିଜୟୀ ହେବ ତାହା ଆସନ୍ତା ୧୦ ତାରିଖରେ ସ୍ପଷ୍ଟ ହୋଇଯିବ।
ସୂଚନାଯୋଗ୍ୟ ଯେ ଗତ ବିଧାନସଭା ନିର୍ବାଚନରେ ଆରଜେଡି ଏବଂ ଜେଡିୟୁ ଏକାଠି ହୋଇ ଲଢ଼ିଥିଲେ ଏବଂ ସେମାନଙ୍କ ମେଣ୍ଟକୁ ୧୫୧ଟି ଆସନ ମିଳିଥିଲା। ଆରଜେଡିକୁ ୮୧ଟି ଆସନ ମିଳିଥିବା ବେଳେ ଜେଡିୟୁକୁ ୭୦ଟି ଆସନ ମିଳିଥିଲା। ବିଜେପିକୁ ମିଳିଥିଲା ୫୩ଟି ଆସନ। ନୀତୀଶଙ୍କ ନେତୃତ୍ବରେ ଆରଜେଡି-ଜେଡିୟୁ ସରକାର ଗଠନ ହୋଇଥିଲା। ତେବେ ପରବର୍ତୀ ସମୟରେ ଆରଜେଡି ଠାରୁ ଅଲଗା ହୋଇ ନୀତୀଶ ବିଜେପି ସହ ମେଣ୍ଟ କରି ସରକାର ଗଠନ କରିଥିଲେ।