କର୍ମୀ ଖାଇବେ ୮ ଟଙ୍କିଆ ସିଙ୍ଗଡ଼ା, ୧୫ ଟଙ୍କିଆ ରସଗୋଲା, ଅଧିକ ଖାଇଲେ ହେବ କାର୍ଯ୍ୟନୁଷ୍ଠାନ

ପାଟନା: ବିହାର ବିଧାନସଭା ନିର୍ବାଚନ ୨୦୨୦ ରେ ପ୍ରାର୍ଥୀଙ୍କ ଦ୍ୱାରା ହେବାକୁ ଥିବା ଖର୍ଚ୍ଚ ଉପରେ ନିର୍ବାଚନ କମିଶନ ନଜର ରଖିବେ। ଚା, କଫି, ସିଙ୍ଗଡ଼ା ଠାରୁ ଆରମ୍ଭ କରି ବ୍ୟାନର, ପେଣ୍ଡାଲ ଏବଂ ଗାଡ଼ି ପାଇଁ ପ୍ରାର୍ଥୀ କେତେ ଟଙ୍କା ଖର୍ଚ୍ଚ କରିବେ ତାହା ମଧ୍ୟ ନିର୍ବାଚନ କମିଶନ ସ୍ଥିର କରିଛନ୍ତି। ନିର୍ବାଚନ କମିଶନଙ୍କ ଅନୁଯାୟୀ, ବର୍ତ୍ତମାନ ପ୍ରାର୍ଥୀମାନେ ସେମାନଙ୍କ କର୍ମୀଙ୍କୁ ୮ ଟଙ୍କିଆ ସିଙ୍ଗଡ଼ା, ୧୫ ଟଙ୍କିଆ ରସଗୋଲା ଓ ୧୨ ଟଙ୍କିଆ କଫି ହିଁ ଖାଇବାକୁ ଦେଇପାରିବେ । ଗୋଟିଏ ଅର୍ଥରେ କହିବାକୁ ଗଲେ ଯଦି ଏହାଠାରୁ ଅଧିକ ମୂଲ୍ୟରେ ରେଜିଷ୍ଟରରେ ରେକର୍ଡ କରାଯାଏ, ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ ଆୟୋଗ ପ୍ରାର୍ଥୀଙ୍କ ଖର୍ଚ୍ଚ ସୀମା ସ୍ଥିର କରିଛନ୍ତି। ନିର୍ବାଚନ ପ୍ରଚାର ସମୟରେ କୌଣସି ପ୍ରାର୍ଥୀ ୨୮ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରିପାରିବେ ନାହିଁ। ନିର୍ବାଚନ ଆୟୋଗ ପ୍ରାର୍ଥୀଙ୍କ ଖର୍ଚ୍ଚ ଉପରେ ନଜର ରଖିବେ। କଫି, ସିଙ୍ଗଡ଼ା ଏବଂ ରସଗୋଲା ସହିତ ମଧ୍ୟାହ୍ନ ଭୋଜନ ପ୍ୟାକେଟର ମୂଲ୍ୟ ମଧ୍ୟ ୧୦୫ ଟଙ୍କା ଧାର୍ଯ୍ୟ କରାଯାଇଛି। ଏହାଠାରୁ ଅଧିକ ଦାମୀ ମଧ୍ୟାହ୍ନ ଭୋଜନ ରହିବ ନାହିଁ | ପ୍ରାର୍ଥୀଙ୍କ ଖର୍ଚ୍ଚ ଯାଞ୍ଚ କରିବା ପାଇଁ ନିର୍ବାଚନ ଆୟୋଗ ୫୬ ଟି ଦଳ ନିୟୋଜିତ କରିଥିବାବେଳେ ବେଆଇନ ଖର୍ଚ୍ଚ ଯାଞ୍ଚ ପାଇଁ ୪୨ ଟି ଟିମ୍ ନିୟୋଜିତ ହୋଇଛନ୍ତି, ଯେଉଁମାନେ ପ୍ରତିଦିନ ସେମାନଙ୍କ ରିପୋର୍ଟ ଦାଖଲ କରିବେ।

ସୂଚନା ଥାଉ କି ଅକ୍ଟୋବର ୨୮ ତାରିଖରୁ ବିହାରରେ ୩ଟି ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ହେବ। ୨୮ରୁ ନିର୍ବାଚନ ଆରମ୍ଭ ହୋଇ ନଭେମ୍ବର ୭ରେ ଶେଷ ହେବ ଏବଂ ୧୦ ତାରିଖରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ। ବିଧାନସଭା କାର୍ଯ୍ୟକାଳ ନଭେମ୍ବର ୨୯ରେ ଶେଷ ହେବାକୁ ଥିବାବେଳେ ଏହାର ୩ ସପ୍ତାହ ପୂର୍ବରୁ ନୂଆ ସରକାରର ଭାଗ୍ୟ ନିର୍ଦ୍ଧାରଣ ହୋଇସାରିଥିବ।

ସମ୍ବନ୍ଧିତ ଖବର