ନୂଆଦିଲ୍ଲୀ: ଆଗାମୀ ବିହାର ବିଧାନସଭା ନିର୍ବାଚନରେ ଏନ୍ଡିଏ କ୍ଷମତା ବଜାୟ ରଖିବ ବୋଲି ଶନିବାର ଜେଭିସି ସର୍ଭେ ପୂର୍ବାନୁମାନ କରିଛି। ସର୍ଭେ ରିପୋର୍ଟ ଅନୁଯାୟୀ, ୨୪୩ ସଦସ୍ୟ ବିଶିଷ୍ଟ ବିହାର ବିଧାନସଭାରେ ଏନ୍ଡିଏ ୧୨୦ରୁ ୧୪୦ ଆସନ ପାଇବ ବୋଲି ଆକଳନ କରାଯାଇଥିବା ବେଳେ ମହାମେଣ୍ଟ ୯୩ରୁ ୧୧୨ ଆସନ ଜିତିପାରେ। ଅନ୍ୟପକ୍ଷରେ ବିଜେପି ୭୦ରୁ ୮୧ଟି ଆସନ ସହ ବିଧାନସଭାରେ ସବୁଠାରୁ ବଡ଼ ଦଳ ହେବ ବୋଲି ଆଶା କରାଯାଉଛି। ଜେଡିୟୁ ୪୨ରୁ ୪୮, ଏଲ୍ଜେପି (ଆର୍ଭି) ୫ରୁ ୭, ଏଚ୍ଏଏମ୍ (ଏସ୍) ୨ ଏବଂ ଆର୍ଏଲ୍ଏମ୍ ୧ରୁ ୨ଟି ଆସନ ଜିତିପାରେ। ମହାମେଣ୍ଟରେ ଆର୍ଜେଡି ୬୯ରୁ ୭୮, କଂଗ୍ରେସ ୯ରୁ ୧୭, ସିପିଆଇ(ଏମ୍ଏଲ୍) ୧୨ରୁ ୧୪, ସିପିଆଇ ୧ ଓ ସିପିଏମ୍ ୧ରୁ ୨ଟି ଆସନ ପାଇପାରେ। ନିର୍ବାଚନ ରଣନୀତିଜ୍ଞରୁ ରାଜନେତା ହୋଇଥିବା ପ୍ରଶାନ୍ତ କିଶୋରଙ୍କ ଜନ ସୁରାଜ ପାର୍ଟି କେବଳ ଗୋଟିଏ ଆସନ ସହ ଖାତା ଖୋଲିପାରେ। ଅନ୍ୟପକ୍ଷରେ ଏଆଇଏମ୍ଆଇଏମ୍, ବିଏସ୍ପି ଓ ଅନ୍ୟମାନେ ୮ରୁ ୧୦ଟି ଆସନ ପାଇବା ସମ୍ଭାବନା ରହିଛି।
ଜେଭିସି ପୋଲ୍ ସର୍ଭେ ଅନୁଯାୟୀ, ତେଜସ୍ୱୀ ଯାଦବ ୩୩ ପ୍ରତିଶତ ସମର୍ଥନ ସହ ମୁଖ୍ୟମନ୍ତ୍ରୀ ପଦ ପାଇଁ ସବୁଠାରୁ ପସନ୍ଦର ଚେହେରା। ନୀତୀଶ କୁମାର ୨୯ ପ୍ରତିଶତ ସହ ଦ୍ୱିତୀୟ ଏବଂ ଚିରାଗ ପାସୱାନ ଓ ପ୍ରଶାନ୍ତ କିଶୋର ପ୍ରତ୍ୟେକ ୧୦ ପ୍ରତିଶତ ସହ ତୃତୀୟ ସ୍ଥାନରେ ଅଛନ୍ତି। ଏହା ବ୍ୟତୀତ ବିହାର ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ୯ ପ୍ରତିଶତ ଭୋଟ୍ ପାଇ ପଛରେ ଅଛନ୍ତି ଏବଂ ମାତ୍ର ୪ ପ୍ରତିଶତ ଲୋକ ବିଜେପିର ଅନ୍ୟ ଚେହେରାକୁ ପସନ୍ଦ କରିଛନ୍ତି। ଜନମତ ସର୍ଭେ ଅନୁଯାୟୀ, ଏନ୍ଡିଏ ୪୧ ପ୍ରତିଶତରୁ ୪୩ ପ୍ରତିଶତ ଭୋଟ୍ ପାଇବ। ଜନ ସୁରାଜ ପାର୍ଟି ୬ରୁ ୭ ପ୍ରତିଶତ ଏବଂ ଅନ୍ୟ ଛୋଟ ଦଳଗୁଡ଼ିକ ୧୦ ପ୍ରତିଶତରୁ ୧୧ ପ୍ରତିଶତ ଭୋଟ୍ ପାଇପାରନ୍ତି। ୨୦୨୦ ବିଧାନସଭା ନିର୍ବାଚନରେ ବିଜେପି ୧୧୦ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରି ୭୪ଟି ଆସନରେ ବିଜୟୀ ହୋଇଥିଲା। ଜନତା ଦଳ (ୟୁନାଇଟେଡ୍) ୧୧୫ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରି ୪୩ଟି ଆସନରେ ବିଜୟୀ ହୋଇଥିଲା। ହିନ୍ଦୁସ୍ତାନୀ ଆୱାମ୍ ମୋର୍ଚ୍ଚା ସାତଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରି ଚାରିଟି ଆସନରେ ବିଜୟୀ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/02/ffshhfshfsxbv-2025-11-02-01-50-44.jpg)