ପାଟନା: ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇ ଯାଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଆସନ୍ତାକାଲି (ମଙ୍ଗଳବାର) ଅନୁଷ୍ଠିତ ହେବାକୁ ଯାଉଛି। ଏହାପରେ ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟ ମତଗ୍ରହଣ ୭ ତାରଖରେ ସରିବା ପରେ ଫଳାଫଳ ପ୍ରକାଶ ପାଇବ ୧୦ ତାରିଖରେ। ସେହିଦିନ ହିଁ ସ୍ପଷ୍ଟ ହେବ ବିହାର ଗାଦି ଅକ୍ତିଆର କରିବ କିଏ? ଗାଦି ଅକ୍ତିଆର କରିବାକୁ ମୁଖ୍ୟତଃ ରେସ୍ରେ ଅଛନ୍ତି ବିଜେପି ସମର୍ଥିତ ଏନଡିଏ ପକ୍ଷରୁ ଜେଡି(ୟୁ) ନେତା ନୀତୀଶ କୁମାର ଓ କଂଗ୍ରେସ ସମର୍ଥିତ ମହାମେଣ୍ଟ ପକ୍ଷରୁ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ନେତା ତେଜସ୍ୱୀ ଯାଦବ।
ନିର୍ବାଚନ ପୂର୍ବରୁ ଓ ନିର୍ବାଚନ ପ୍ରଚାର କାଳରେ ଯେତେସବୁ ସର୍ଭେ ହୋଇଥିଲା ସବୁର ଫଳାଫଳ ଯାଇଥିଲା ଏନଡିଏ ସପକ୍ଷରେ ଓ ଗାଦି ଯାଇଥିଲା ନୀତୀଶଙ୍କ ସପକ୍ଷରେ। ସର୍ଭେର ଏ ଫଳାଫଳ କେତେ ଠିକ ପ୍ରମାଣିତ ହେଉଛି ବା କେତେ ଭୁଲ୍ ତାହା କେବଳ ମାତ୍ର ସ୍ପଷ୍ଟ ହେବ ୧୦ ତାରିଖରେ ଭୋଟ ଗଣତି ପରେ।
ତେବେ, ନିର୍ବାଚନ ପ୍ରଚାର କାଳରେ ଅନ୍ତତଃ ଗୋଟିଏ କଥା ସ୍ପଷ୍ଟ ହୋଇଯାଇଛି ଯେ ନିର୍ବାଚନ ପୂର୍ବରୁ ଆରଜେଡି ନେତା ତଥା ଲାଲୁପ୍ରସାଦ ଯାଦବଙ୍କ ସୁପୁତ୍ର ତେଜସ୍ୱୀ ଯାଦବଙ୍କୁ ଯେତେ ଦୁର୍ବଳ ଓ ଗୌଣ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକମାନେ ମନେ କରୁଥିଲେ ସେ ଆଦୌ ତା’ ନୁହନ୍ତି; ବରଂ ସଂପୂର୍ଣ୍ଣ ବିପରୀତ। ଯଦି ଅନାସକ୍ତ ଭାବେ ଆକଳନ କରାଯାଏ ତେବେ ଆଜିର ତାରିଖରେ ଉଭୟ ଲୋକପ୍ରୟତା ଓ ଗ୍ରହଣୀୟତା ଦୃଷ୍ଟିରୁ ନୀତୀଶଙ୍କ ଠାରୁ ଯଥେଷ୍ଟ ଆଗରେ ରହିଛନ୍ତି ତେଜସ୍ୱୀ। ବିଗତ ୧୫ ବର୍ଷଧରି ମୁଖ୍ୟମନ୍ତ୍ରୀ ଗାଦି ଅକ୍ତିଆର କରି ବସିଥିବା ନୀତୀଶଙ୍କ ଲୋକପ୍ରୟତା ଏବେ ହ୍ରାସ ପାଇବାକୁ ଆରମ୍ଭ କରିଥିବା ବେଳେ ତେଜସ୍ୱୀଙ୍କର କିନ୍ତୁ କ୍ରମାଗତ ଭାବେ ବଢ଼ିବାରେ ଲାଗିଛି।
/sambad/media/post_attachments/wp-content/uploads/2020/11/tejashwi-yadav.jpg)
୧୫ ବର୍ଷ ପରେ ବି ନୀତୀଶ ତାଙ୍କର ସେଇ ଚିରାଚରିତ ବିକାଶ ବିଜୁଳି, ପାଣି ଓ ସଡ଼କ ଉପରକୁ ଉଠି ପାରୁ ନାହାନ୍ତି। କିନ୍ତୁ, ତେଜସ୍ୱୀ ନିଯୁକ୍ତି, ଭିତ୍ତିଭୂମି ବିକାଶ ଆଦିକୁ କରିଛନ୍ତି ନିର୍ବାଚନୀ ପ୍ରସଙ୍ଗ। ଫଳରେ ବେକାରି ସମସ୍ୟାକୁ ନେଇ ଘାଣ୍ଟି ହେଉଥିବା ରାଜ୍ୟର ଯୁବଗୋଷ୍ଠୀକୁ ନିଜ ଆଡ଼କୁ ଆକୃଷ୍ଟ କରାଇବାରେ ସମର୍ଥ ହୋଇଛନ୍ତି ତେଜସ୍ୱୀ। ପ୍ରବୀଣ ଲାଲୁଙ୍କ ଅନୁପସ୍ଥିତିରେ ଚଳିତ ନିର୍ବାଚନରେ ପ୍ରଚାରର ମଙ୍ଗ ସମ୍ଭାଳିଛନ୍ତି ତେଜସ୍ୱୀ। ଗୋଟିଏ ପରେ ଗୋଟିଏ ରାଲିରେ ଉଦବୋଧନ ଦେଇ ସେ ଚଳାଇଛନ୍ତି ପ୍ରଚାର। ତାଙ୍କ ରାଲିରେ ମଧ୍ୟ ଦେଖିବାକୁ ମିଳୁଛି ବିପୁଳ ଜନସମାଗମ। ବୁଥ୍ ସ୍ତର ପର୍ଯ୍ୟନ୍ତ ରହିଛି ତାଙ୍କର ଓ ତାଙ୍କ ଦଳର ସୁଦୃଢ଼ ନେଟଓ୍ଵାର୍କ।
/sambad/media/post_attachments/wp-content/uploads/2020/11/Bihar.jpg)
ଅନ୍ୟପକ୍ଷରେ ବିଜେପି ସମର୍ଥିିତ ଏନଡିଏ ଓ ଜେଡି(ୟୁ) ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର ପାଇଁ ବିହାରରେ ଡେରା ପକାଇଛନ୍ତି ମାଳମାଳ ବିଜେପି ନେତା ଓ କେନ୍ଦ୍ରମନ୍ତ୍ରୀ। ଏ ପରିସ୍ଥିତିରେ ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୋଟିଏ ଦିନରେ ପଛକୁ ପଛ ଆୟୋଜିତ ଚାରିଟି ରାଲିରେ ଦଳୀୟ ପ୍ରାର୍ଥୀ ଓ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନୀତୀଶ କୁମାରଙ୍କ ପାଇଁ ପ୍ରଚାର କରିବାକୁ ଯାଇ ତେଜସ୍ୱୀଙ୍କୁ ‘ଜଙ୍ଗଲରାଜ୍ କା ଯୁବରାଜ’ ବୋଲି ଆକ୍ଷେପ କରିବାକୁ ସୁଦ୍ଧା କୁଣ୍ଠିତ ହୋଇ ନାହାନ୍ତି। ତେବେ, ମୋଦୀଙ୍କ ‘ଜଙ୍ଗଲରାଜ୍ କା ଯୁବରାଜ’ ଆକ୍ଷେପ କ’ଣ ତେଜସ୍ୱୀଙ୍କୁ ଅଟକାଇ ପାରୁଛି ନା ସେ ଏନଡିଏ ଉପରେ ଭାରି ପଡ଼ୁଛନ୍ତି ତାହା ସ୍ପଷ୍ଟ ହୋଇଯିବ ନଭେମ୍ବର ୧୦ରେ।