ବିହାର ନିର୍ବାଚନ: ପ୍ରଚାରରେ ଦେଖିବାକୁ ମିଳିବନି ଲାଲୁଙ୍କ ଯାଦୁ

ପାଟନା: ଚଳିତ ୨୦୨୦ ବିହାର ବିଧାନସଭା ନିର୍ବାଚନର ପ୍ରଚାର ମଇଦାନରେ ଏଥର ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)ର ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ଚମକ ଓ ଯାଦୁ ଦେଖିବା ପାଇଁ ମିଳିବ ନାହିଁ। ବିହାର ବିଧାନସଭା ନିର୍ବାଚନ ପାଇଁ ଆଜି ଆନୁଷ୍ଠାନିକ ଭାବେ ଦଳର ଅଭିଯାନ ଆରମ୍ଭ କରିବା ପୂର୍ବରୁ ଲାଲୁଙ୍କ ପୁତ୍ର ତଥା ଆରଜେଡି ନେତା ତେଜସ୍ୱୀ ଯାଦବ ଏହି ସୂଚନା ଦେଇଛନ୍ତି। ତେଜସ୍ୱୀ କହିଛନ୍ତି ଯେ ଯଦିଓ ତାଙ୍କ ପିତା ଚଳିତ ନିର୍ବାଚନରେ ପ୍ରଚାର ଅଭିଯାନର ଅଂଶ ହେବେ ନାହିଁ; ତଥାପି ସେ ଏହାର ଗୁରୁତ୍ୱକୁ ସମ୍ପୂର୍ଣ୍ଣ ଭାବେ ବୁଝୁଛନ୍ତି। ତେଣୁ, ଦଳ ପାଇଁ ନିର୍ବାଚନରେ ବିଜୟ ନିଶ୍ଚିତ କରିବାକୁ ସେ ସମସ୍ତ ଦଳୀୟ ନେତାଙ୍କୁ ପ୍ରଚାରରେ ସମୟ ଏବଂ ଧ୍ୟାନ ଦେବାକୁ କହିଛନ୍ତି।

ହଁ! ଅବଶ୍ୟ, ଆମେ ଚଳିତ ନିର୍ବାଚନର ପ୍ରଚାର ମଇଦାନରେ ଲାଲୁଜୀଙ୍କୁ ହରାଇବାକୁ ଯାଉଛୁ। କେବଳ ଆମ ଦଳ ନୁହେଁ; ବିହାରର ଲୋକେ ମଧ୍ୟ ପ୍ରଚାରରେ ତାଙ୍କର ଅନୁପସ୍ଥିତିକୁ ଅନୁଭବ କରିବେ। ଗତ ନିର୍ବାଚନରେ ଲୋକମାନେ ତାଙ୍କ ଉପରେ ଏବଂ ଆରଜେଡି ଉପରେ ବିଶ୍ୱାସ ରଖିଥିଲେ ଏବଂ ତାଙ୍କ କାରଣରୁ ଆମେ ବିହାର ବିଧାନସଭାରେ ଏକକ ବୃହତ୍ତମ ଦଳ ଭାବେ ଉଭା ହୋଇଥିଲୁ। ଏଥିପାଇଁ ରାସ୍ତା ସେ ହିଁ ପ୍ରସ୍ତୁତ କରିଥିଲେ। ସେ ବିହାରର ଲୋକଙ୍କ ପାଇଁ ଏହି ନିର୍ବାଚନର ମହତ୍ତ୍ୱକୁ ସମ୍ପୂର୍ଣ୍ଣ ଭାବେ ବୁଝୁଛନ୍ତି ଏବଂ ଆମକୁ କଠିନ ପରିଶ୍ରମ କର ବିଜୟ ନିଶ୍ଚିତ କରିବାକୁ ପରାମର୍ଶ ଦେଇଛନ୍ତି ବୋଲି କହିଛନ୍ତି ତେଜସ୍ୱୀ।

ବିଗତ ତିନି ଦଶନ୍ଧି ମଧ୍ୟରେ ଏହା ପ୍ରଥମ ଥର ଘଟିବା ପାଇଁ ଯାଉଛି, ଯେଉଁଠି ଲାଲୁ ପ୍ରସାଦ ଯାଦବ ପ୍ରଚାର ଅଭିଯାନରେ ଭାଗ ନେଇପାରୁ ନାହାନ୍ତି। ତେବେ, ଆଗାମୀ ନିର୍ବାଚନରେ ଆରଜେଡି ନେତୃତ୍ୱାଧୀନ ମହାଗଠବନ୍ଧନର ବିଜୟ ପରେ ଲାଲୁଜୀ ଶପଥ ଗ୍ରହଣ ସମାରୋହରେ ନିଶ୍ଚିତ ଭାବେ ଯୋଗ ଦେବେ ବୋଲି ଆଶା ପ୍ରକଟ କରିଛନ୍ତି ତେଜସ୍ୱୀ।

ସମ୍ବନ୍ଧିତ ଖବର