ବିହାର ନିର୍ବାଚନ : ଦ୍ବିତୀୟ ପର୍ଯ୍ୟାୟରେ ୩୪% ପ୍ରାର୍ଥୀ କୋଟିପତି

ପାଟନା : ବିହାର ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟରେ ପ୍ରତିଦ୍ବନ୍ଦ୍ବିତା କରୁଥିବା ୧,୪୬୩ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୪୯୫ ଜଣ କୋଟିପତି ବୋଲି ଜଣାପଡ଼ିଛି। ନିର୍ବାଚନ ଆୟୋଗଙ୍କ ପାଖରେ ପ୍ରାର୍ଥୀମାନେ ଦାଖଲ କରିଥିବା ସତ୍ୟପାଠ ଅନୁସାରେ, ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଲଢୁଥିବା ୫୬ ଜଣ ଆର୍‌ଜେଡି ପ୍ରାର୍ଥୀଙ୍କ ଭିତରୁ ସର୍ବାଧିକ ୪୬ ଜଣ କୋଟିପତି ଅଛନ୍ତି।

ସେମାନଙ୍କ ପଛକୁ ବିଜେପିର ୩୯ ଜଣ ଓ ଚିରାଗ ପାଶଵାନଙ୍କ ନେତୃତ୍ବାଧୀନ ଏଲ୍‌ଜେପିର ୩୮ ଜଣ କୋଟିପତି ରହିଛନ୍ତି। ସେହିପରି ଜେଡିୟୁର ୮୧% ପ୍ରାର୍ଥୀଙ୍କର କୋଟିଏରୁ ଅଧିକ ମୂଲ୍ୟର ସମ୍ପତ୍ତି ରହିଥିବା ବେଳେ ଜେଏପି(ଏଲ୍‌)ର ୨୫ ଜଣ, ଆର୍‌ଏଲ୍‌ଏସ୍‌ପିର ୨୪ ଜଣ, କଂଗ୍ରେସର ୨୦ ଜଣ ଓ ଭିଆଇପିର ୪ଜଣଙ୍କ ସମେତ ୧୪୪ ଜଣ ସ୍ବାଧୀନ ପ୍ରାର୍ଥୀ ମଧ୍ୟ କୋଟିପତି ରହିଛନ୍ତି। ମୋଟାମୋଟି ୧୧୮ ଜଣ ପ୍ରାର୍ଥୀଙ୍କର ସମ୍ପତ୍ତି ୫ କୋଟିରୁ ଅଧିକ ହୋଇଥିବା ବେଳେ ୧୮୫ ଜଣଙ୍କର ସମ୍ପତ୍ତି ୨ କୋଟିରୁ ୫ କୋଟି ଭିତରେ ଥିବା ଜଣାଯାଇଛି। ତେବେ ଏହି କୋଟିପତି ପ୍ରାର୍ଥୀମାନଙ୍କ ମଧ୍ୟରେ ୫୬ କୋଟିରୁ ଅଧିକ ମୂଲ୍ୟର ସମ୍ପତ୍ତି ଥିବା କଂଗ୍ରେସ ପ୍ରାର୍ଥୀ ତଥା ଦଳର ରାଜ୍ୟ ସାଧାରଣ ସମ୍ପାଦକ ସଞ୍ଜୀବ ସିଂହ ସବୁଠୁ ଧନୀ ବୋଲି ଜଣାଯାଇଛି।

ସମ୍ବନ୍ଧିତ ଖବର