ପାଟନା: ବିହାର ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ନବାଗତ ପ୍ରଶାନ୍ତ କିଶୋର(ପିକେ)ଙ୍କ ଜନ ସୁରାଜ ଏକ ବିଶ୍ୱସନୀୟ ତୃତୀୟ ସାମ୍ମୁଖ୍ୟ ଭାବରେ ଉଭା ହୋଇଛି। ‘ବିହାରୀ ଡକାୟତ’ଠାରୁ ଆରମ୍ଭକରି ‘ଜୋକର’ ଓ ‘ବହୁରୂପୀ’ରୁ ‘ବିଶ୍ବାସଘାତକ’ ପର୍ଯ୍ୟନ୍ତ ପ୍ରଶାନ୍ତ କିଶୋରଙ୍କୁ ସବୁକିଛି କୁହାଯାଉଛି। କିନ୍ତୁ ବିଭିନ୍ନ ଦଳର ବିରୋଧୀ ଓ ପ୍ରତିଦ୍ୱନ୍ଦ୍ୱୀମାନେ ଗୋଟିଏ ବିଷୟରେ ଏକମତ। ପିକେ ଜଣେ ବିଘଟନକାରୀ କିମ୍ବା ଅନ୍ତତଃପକ୍ଷେ ଏକ ‘କାରକ’ ଭାବରେ ଉଭା ହୋଇପାରନ୍ତି। ପିକେ ଦୃଢ଼ଭାବରେ ବିଶ୍ବାସ କରନ୍ତି ଯେ, ଜନ ସୁରାଜ ବହୁସଂଖ୍ୟାରେ ଜିତିବ। ତେବେ ବଡ଼ ପ୍ରଶ୍ନ ହେଉଛି, ଏହି ‘ରାଜନୈତିକ ଷ୍ଟାର୍ଟଅପ୍’ ବିହାରର ରାଜନୈତିକ କ୍ଷେତ୍ରକୁ ଦୋହଲାଇଦେବ ନା କେବଳ ଭୋଟ୍ କାଟିବ?
ପ୍ରାକ୍ ନିର୍ବାଚନୀ ସର୍ଭେ କ’ଣ କହୁଛି?
୨୪୩ ସଦସ୍ୟ ବିଶିଷ୍ଟ ବିହାର ବିଧାନସଭାରେ ଜନ ସୁରାଜ ସଂଖ୍ୟାଗରିଷ୍ଠତା ହାସଲ କରିବ ବୋଲି ପ୍ରଶାନ୍ତ କିଶୋର ଦାବି କରିଛନ୍ତି। ତେବେ ପ୍ରାକ୍ ନିର୍ବାଚନୀ ସର୍ଭେରୁ ଜଣାପଡିଛି ଯେ, ସେ ହୁଏତ ମଝିଆମଝି ସ୍ଥିତି ହାସଲ କରିପାରନ୍ତି। ଅତି କମ୍ରେ ଦୁଇଟି ବିଶ୍ୱସନୀୟ ସର୍ଭେ ଅନୁଯାୟୀ, ପିକେ ଓ ତାଙ୍କ ଜନ ସୁରାଜ ମଧ୍ୟମ ସ୍ଥାନ ଦଖଲ କରିପାରନ୍ତି। ବିହାର ବିଧାନସଭା ନିର୍ବାଚନ ପାଇଁ ନଭେମ୍ବର ୬ ଓ ୧୧ରେ ଦୁଇଟି ପର୍ଯ୍ୟାୟରେ ମତଦାନ ହେବ ଏବଂ ନଭେମ୍ବର ୧୪ରେ ଫଳାଫଳ ଘୋଷଣା କରାଯିବ। ବିଧାନସଭାର କାର୍ଯ୍ୟକାଳ ନଭେମ୍ବର ୨୨ରେ ଶେଷ ହେବ।
ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଛନ୍ତି ପିକେ
ଯଦିଓ ଜନ ସୁରାଜ କିଛି ମାସ ପୂର୍ବରୁ ବିହାର ବିଧାନସଭା ଉପନିର୍ବାଚନରେ ଚାରିଜଣ ପ୍ରାର୍ଥୀ ଦେଇଥିଲେ ଓ ସମସ୍ତେ ପରାଜିତ ହୋଇଥିଲେ, ବିହାର ବିଧାନସଭା ନିର୍ବାଚନ ୨୦୨୫ ପିକେ ଓ ଜନ ସୁରାଜ ପାଇଁ ପ୍ରଥମ ପ୍ରକୃତ ପରୀକ୍ଷା ହେବ। ସେ ପୂର୍ବରୁ ଘୋଷଣା କରିଥିଲେ ଯେ, ତାଙ୍କ ଦଳ ସମସ୍ତ ୨୪୩ଟି ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀ ଦେବାକୁ ଯୋଜନା କରିଛି। ଅକ୍ଟୋବର ୯ ତାରିଖରେ ଦଳ ଏହାର ପ୍ରାର୍ଥୀ ତାଲିକା ପ୍ରକାଶ କରିବ। ପ୍ରଶାନ୍ତ କିଶୋରଙ୍କ ଜନ ସୁରାଜ ଯୁବକ, ଉଚ୍ଚ ଜାତିର ସମ୍ପ୍ରଦାୟ, ମଧ୍ୟବିତ୍ତ ଓ ଶିକ୍ଷିତ ଭୋଟରଙ୍କୁ ଆକର୍ଷିତ କରୁଛି। ବିହାରର ୨,୬୯୭ଟି ଗ୍ରାମ, ୧,୩୧୯ ପଞ୍ଚାୟତ ଓ ୨୩୫ଟି ବ୍ଲକ୍କୁ ନେଇ ପିକେଙ୍କ ୬୬୫ ଦିନିଆ ପଦଯାତ୍ରା ଯୋଗୁଁ ବିହାରୀମାନେ ଏବେ ଜଣେ ନୂଆ ଖେଳାଳିଙ୍କ ବିଷୟରେ ଅବଗତ ଅଛନ୍ତି। ପିକେ ବିହାରରେ ଏକ ତୃତୀୟ ଶକ୍ତି ଭାବରେ ଉଭା ହୋଇସାରିଛନ୍ତି। କିନ୍ତୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ହେଉଛି ଯେ ସେ ଏହି ଦୃଶ୍ୟମାନତାକୁ ପ୍ରକୃତ ଭୋଟ୍ରେ ପରିଣତ କରିପାରିବେ କି? ସି-ଭୋଟର ପ୍ରତିଷ୍ଠାତା ଯଶୱନ୍ତ ଦେଶମୁଖ କହିଛନ୍ତି, ମୋର ସନ୍ଦେହ ଅଛି।
ଜନ ସୁରାଜ ଭୋଟ୍ ବିଭାଜନ କରିବ: ସର୍ଭେ
ଗତ ସପ୍ତାହରେ ପ୍ରକାଶିତ ଏକ ସି-ଭୋଟର ସର୍ଭେରେ ପିକେ (୨୩.୧%) ସବୁଠାରୁ ପସନ୍ଦଯୋଗ୍ୟ ମୁଖ୍ୟମନ୍ତ୍ରୀ ଚେହେରା ତାଲିକାରେ ଦ୍ୱିତୀୟ ସ୍ଥାନରେ ଥିଲେ। ସେ ଆର୍ଜେଡିର ତେଜସ୍ୱୀ ଯାଦବ (୩୫.୫%)ଙ୍କ ପରେ ଦ୍ୱିତୀୟ ସ୍ଥାନରେ ଥିଲେ କିନ୍ତୁ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ନେତା ନୀତୀଶ କୁମାର (୨୩%)ଙ୍କଠାରୁ ଆଗରେ ଥିଲେ ଏବଂ ଉପମୁଖ୍ୟମନ୍ତ୍ରୀ ସମ୍ରାଟ୍ ଚୌଧୁରୀଙ୍କଠାରୁ ବହୁ ଆଗରେ ଥିଲେ। କୌତୂହଳର ବିଷୟ ହେଉଛି, ସବୁଠାରୁ ପସନ୍ଦଯୋଗ୍ୟ ମୁଖ୍ୟମନ୍ତ୍ରୀ ଚେହେରା ଭାବରେ ପିକେଙ୍କ ଲୋକପ୍ରିୟତା ଗ୍ରାଫ୍ କ୍ରମାଗତ ଭାବରେ ବୃଦ୍ଧି ପାଉଛି। ଫେବ୍ରୁଆରିରେ ଏହା ୧୫%ରୁ ଜୁନ୍ରେ ୧୮% ଓ ସେପ୍ଟେମ୍ବରରେ ଏହା ୨୩% ଥିଲା। ଭୋଟ୍ ଭାଇବ୍ର ଷ୍ଟେଟ୍ ଭାଇବ୍ ବିହାର ନିର୍ବାଚନ ସର୍ଭେରେ ୫୬% ଉତ୍ତରଦାତା ଜନ ସୁରାଜକୁ ମୁଖ୍ୟତଃ ‘ଭୋଟ୍ କଟର୍’ ଭାବରେ ଦେଖିଥିଲେ। ଅବଶ୍ୟ ଅବଶିଷ୍ଟ ୪୪% ମଧ୍ୟରୁ ପ୍ରାୟ ୮.୪% ବିଶ୍ୱାସ କରନ୍ତି ଯେ ପିକେ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି, ଯେତେବେଳେ ୧୫.୮% ମତବ୍ୟକ୍ତ କରନ୍ତି ଯେ ଯଦି ନଭେମ୍ବର ନିର୍ବାଚନରେ ଝୁଲା ବିଧାନସଭା ପରିସ୍ଥିତି ସୃଷ୍ଟି ହୁଏ ତେବେ ପିକେ କିଙ୍ଗମେକର ଭୂମିକା ଗ୍ରହଣ କରିପାରନ୍ତି। ଉଚ୍ଚ ଜାତିର ହିନ୍ଦୁମାନେ କିଙ୍ଗମେକର ଭୂମିକା (୨୩.୦%) ପାଇଁ ସର୍ବାଧିକ ସମ୍ଭାବନା ଦେଖୁଛନ୍ତି ବୋଲି ଏଥିରେ କୁହାଯାଇଛି। ପ୍ରଶାନ୍ତ କିଶୋରଙ୍କ ଦଳ ଏବେ ଭୋଟ୍ କଟର୍ ଭୂମିକା ଗ୍ରହଣ କରିପାରେ ବୋଲି ବିଭିନ୍ନ ମହଲ ମତ ଦେଉଥିବା ବେଳେ ପିକେଙ୍କ ରଣନୀତି ଉପରେ ସମସ୍ତଙ୍କ ନଜର ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/09/untitled-9-2025-10-09-07-05-10.jpg)