ପାଟନା: ଲୋକ ଜନଶକ୍ତି ପାର୍ଟି (ଏଲ୍ଜେପି) ବିହାରରେ ଏନ୍ଡିଏ ମେଣ୍ଟରୁ ଓହରିଯାଇ ଏକାକୀ ନିର୍ବାଚନ ଲଢ଼ିବ। ଏଲ୍ଜେପିର ନେତୃତ୍ବ ନେଉଥିବା ଚିରାଗ୍ ପାଶ୍ବାନ୍ ଏହି ନିଷ୍ପତ୍ତି ନେଇଛନ୍ତି। ଦିଲ୍ଲୀରେ ଆଜି ଏନେଇ ଏକ ବୈଠକ ହୋଇଥିଲା। ଏଲ୍ଜେପି ଆଗାମୀ ବିଧାନସଭା ନିର୍ବାଚନ ଏକାକୀ ଲଢ଼ିବ ଏବଂ ନୀତୀଶ କୁମାରଙ୍କ ଜେଡିୟୁ ବିରୋଧରେ ପ୍ରାର୍ଥୀ ଦେବ ବୋଲି ଆଜି ଏହି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। କିନ୍ତୁ ଦଳ ବିଜେପି ବିରୋଧରେ କୌଣସି ପ୍ରାର୍ଥୀ ଦେବନାହିଁ। ସମସ୍ତ ପ୍ରାର୍ଥୀ ଜିତିବା
ପରେ ବିଜେପି-ଏଲ୍ଜେପି ସରକାର ଗଠନ ହେବ ବୋଲି ଦଳ ପକ୍ଷରୁ କୁହାଯାଇଛି। କିନ୍ତୁ ଜେଡିୟୁ ମୁଖପାତ୍ର ରାଜୀବ ରଂଜନ କହିଛନ୍ତି, ଯେପର୍ଯ୍ୟନ୍ତ ବିଜେପି-ନୀତୀଶ କୁମାର ମେଣ୍ଟ ରହିଥିବ ସେପର୍ଯ୍ୟନ୍ତ ସେମାନଙ୍କୁ ବହୁମତ ମିଳିବା ନେଇ କୌଣସି ପ୍ରକାର ଦ୍ବନ୍ଦ୍ବ ନାହିଁ। ଅନ୍ୟପକ୍ଷେ ଏଲ୍ଜେପି କହିଛି ଦଳୀୟ ବିଚାରଧାରାରେ ପାର୍ଥକ୍ୟ ଯୋଗୁଁ ଏଲ୍ଜେପି ଏକାକୀ ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଛି ଏବଂ 'ବିହାର ଭିଜନ୍ ଡକ୍ୟୁମେଣ୍ଟ୍' କାର୍ଯ୍ୟକାରୀ କରିବାପାଇଁ ଚାହିଛି। ତେବେ ଏଲ୍ଜେପି ପକ୍ଷରୁ କୁହାଯାଇଛି ଯେ, ବିଜେପି ସହ ଦଳର ଦୃଢ଼ ସହଭାଗିତା ରହିଛି ଏବଂ ବିହାରରେ ମଧ୍ୟ ଏହା ଜାରି ରହିବ। ବିଜେପି-ଏଲ୍ଜେପି ସମ୍ପର୍କରେ କୌଣସି ପ୍ରକାର ତିକ୍ତତା ନାହିଁ ବୋଲି ଦଳ ପକ୍ଷରୁ କୁହାଯାଇଛି।
ଉଲ୍ଲେଖଯୋଗ୍ୟ ବିଭିନ୍ନ ପ୍ରସଙ୍ଗରେଏଲ୍ଜେପିର ଜେଡିୟୁ ସହ ମତଭେଦ ହୋଇଥିଲା। ରାଜ୍ୟ ସରକାରଙ୍କ କରୋନା ମୁକାବିଲା ସହ ନୀତୀଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ ମାଂଝିଙ୍କ ସହ ହାତ ମିଳାଇବାକୁ ବିରୋଧ କରି ଚିରାଗ୍ ପାସ୍ବାନ୍ ନୀତୀଶଙ୍କୁ ବିରୋଧ କରିବା ଆରମ୍ଭ କରିଥିଲେ। ଆସନ ବଣ୍ଟନ ନେଇ ମଧ୍ୟ ଏଲ୍ଜେପି ଆରମ୍ଭରୁ ନିଷ୍ପତ୍ତି ନେବାପାଇଁ ଦାବି କରୁଥିଲା।