ପାଟନା: ବିହାର ବିଧାନସଭା ନିର୍ବା‌ଚନ ପାଇଁ ଶାସକ ଏନ୍‌ଡିଏ ମେଣ୍ଟ ଆଜି ନିର୍ବାଚନୀ ଇସ୍ତାହାର ଜାରି କରିଛି। ‘ସଙ୍କଳ୍ପ ପତ୍ର’ ଶୀର୍ଷକ‌ରେ ଜାରି ହୋଇଥିବା ଏହି ଇସ୍ତାହାରରେ ନିଯୁକ୍ତି ସୃଷ୍ଟି, ମହିଳା ସଶକ୍ତୀକରଣ, କୃଷି ସଂସ୍କାର ଏବଂ ଭିତ୍ତିଭୂମି ବିକାଶ ଉପରେ ପ୍ରତିଶ୍ରୁତି ସହ ‘ବିକଶିତ ବିହାର’ ପାଇଁ ଶାସକ ମେଣ୍ଟର ଦୃଷ୍ଟିକୋଣ ସଂକ୍ରାନ୍ତରେ ଦର୍ଶାଯାଇଛି। ବିଜେପି ସଭାପତି ଜେପି ନଡ୍ଡା, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, କେନ୍ଦ୍ରମନ୍ତ୍ରୀ ଜିତନ ରାମ ମାଞ୍ଝି ଓ  ଚିରାଗ ପାସୱାନ, ରାଷ୍ଟ୍ରୀୟ ଲୋକମୋର୍ଚ୍ଚା ମୁଖ୍ୟ ଉପେନ୍ଦ୍ର କୁଶୱାହା ଆଜି ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ  ମିଳିତ ଭାବରେ ଏହି ଇସ୍ତାହାର ଜାରି କରିଛନ୍ତି।  ରାଜ୍ୟରେ ଏକ କୋଟିରୁ ଅଧିକ ସରକାରୀ ଚାକିରି ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ଘୋଷଣାପତ୍ରରେ ପ୍ରତିଶ୍ରୁତି ଦିଆଯାଇଛି।

Advertisment

ପ୍ରତ୍ୟେକ ଜିଲ୍ଲାରେ ବିଶାଳ ଦକ୍ଷତା କେନ୍ଦ୍ର ପ୍ରତିଷ୍ଠା କରିବା ପାଇଁ ଏକ ‘ଦକ୍ଷତା ଗଣନା’ ପ୍ରସ୍ତାବ ଦିଆଯାଇଛି, ଯାହା ବିହାରକୁ ଦକ୍ଷତା ତାଲିମ ପାଇଁ ଏକ ବିଶ୍ୱସ୍ତରୀୟ କେନ୍ଦ୍ରରେ ପରିଣତ କରିବ।  ସ୍ଥାନୀୟ ଉତ୍ପାଦନକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରତ୍ୟେକ ଜିଲ୍ଲାରେ ଏକ ପ୍ରତିରକ୍ଷା କରିଡର, ଏକ ସେମିକଣ୍ଡକ୍ଟର ଉତ୍ପାଦନ ପାର୍କ ଏବଂ ୧୦ଟି ନୂତନ ଶିଳ୍ପ ପାର୍କ ପ୍ରତିଷ୍ଠା କରିବାର ପ୍ରତିଶ୍ରୁତି ମଧ୍ୟ ଦିଆଯାଇଛି। ମହିଳା ସଶକ୍ତୀକରଣ ପାଇଁ ଏକ ପ୍ରମୁଖ ପ୍ରୟାସ ସ୍ୱରୂପ, ଏନ୍‌ଡିଏ ମହିଳା ନିଯୁକ୍ତି ଯୋଜନା ଅଧୀନରେ ୨ ଲକ୍ଷ  ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ଘୋଷଣା କରିଛି। ଏହା ମିସନ କରୋଡ଼ପତି, ମହିଳା ଉଦ୍ୟୋଗୀଙ୍କୁ ପ୍ରୋତ୍ସାହନ ଏବଂ ଆତ୍ମନିର୍ଭରଶୀଳତା ଭଳି ପଦକ୍ଷେପ ମାଧ୍ୟମରେ ଏକ କୋଟି ମହିଳାଙ୍କୁ ‘ଲକ୍ଷପତି’ କରିବାର ଲକ୍ଷ୍ୟ ମଧ୍ୟ ରଖିଛି। ଏନ୍‌ଡିଏ ଅତ୍ୟନ୍ତ ପଛୁଆ ବର୍ଗ (ଇବିସି) ପାଇଁ ୧୦ ଲକ୍ଷ ପର୍ଯ୍ୟନ୍ତ ସହାୟତା ପ୍ରତିଶ୍ରୁତି ମଧ୍ୟ ଦେଇଛି। 

ମାଗଣା ଶିକ୍ଷା, କୃଷକଙ୍କ କଲ୍ୟାଣ ଉପରେ ଗୁରୁତ୍ବ

ଚାଷୀଙ୍କ ପାଇଁ ଏନ୍‌ଡିଏ ପ୍ରଧାନମନ୍ତ୍ରୀ-କିଷାନ ସମ୍ମାନ ନିଧି ସହାୟତାକୁ ବାର୍ଷିକ ୬୦୦୦ରୁ ୯୦୦୦କୁ ବୃଦ୍ଧି କରିବାକୁ ଏବଂ ମାଛ ଚାଷୀମାନଙ୍କ ପାଇଁ ସହାୟତାକୁ ୪,୫୦୦ ରୁ ୯୦୦୦ କୁ ବୃଦ୍ଧି କରିବାକୁ ପ୍ରତିଶ୍ରୁତି ଦେଇଛି। ଇସ୍ତାହାରରେ ସମସ୍ତ ଫସଲ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ଗ୍ୟାରେଣ୍ଟି ଦିଆଯାଇଛି ଏବଂ କୃଷି ଭିତ୍ତିଭୂମିରେ ୧ ଲକ୍ଷ କୋଟି ନିବେଶର ପ୍ରସ୍ତାବ ଦିଆଯାଇଛି। ସେହିପରି ଶିକ୍ଷା କ୍ଷେତ୍ର ମଧ୍ୟ ଯଥେଷ୍ଟ ଗୁରୁତ୍ବ ପାଇଛି।  ଏନ୍‌ଡିଏ ଗରିବ ପରିବାରର ଛାତ୍ରଛାତ୍ରୀମାନଙ୍କ ପାଇଁ ପ୍ରାରମ୍ଭରୁ ସ୍ନାତକୋତ୍ତର ପର୍ଯ୍ୟନ୍ତ ମାଗଣା ଶିକ୍ଷାର ପ୍ରତିଶ୍ରୁତି ଦେଇଛି।  ଏନ୍‌ଡିଏ ସାତଟି ଏକ୍ସପ୍ରେସ୍‌ୱେର ଆଧୁନିକୀକରଣ, ୩,୬୦୦ କିଲୋମିଟର ରେଳ ଟ୍ରାକ୍‌ ସମ୍ପ୍ରସାରଣ ଏବଂ ପ୍ରତ୍ୟେକ ଜିଲ୍ଲାରେ ଏକ ମେଡିକାଲ କଲେଜ ସ୍ଥାପନ ହେବ ବୋଲି ଘୋଷଣା କରିଛି।