ପାଟନା: ବିହାର ବିଧାନସଭା ନିର୍ବାଚନ-୨୦୨୫ରେ ଅସଉଦ୍ଦିନ ଅୱେସୀଙ୍କ ଅଲ୍‌ ଇଣ୍ଡିଆ ମଜଲିସ-ଏ-ଇତ୍ତେହାଦୁଲ ମୁସଲମିନ (ଏଆଇଏମ୍‌ଆଇଏମ୍‌) ୧୦୦ ଆସନରେ ପ୍ରାର୍ଥୀ ଦେବାକୁ ଘୋଷଣା କରିଛି। ଏହା ୨୦୨୦ରେ ଲଢ଼ିଥିବା ୨୦ ଆସନଠାରୁ ପାଞ୍ଚ ଗୁଣ ଅଧିକ। ଏହି ନିଷ୍ପତ୍ତି ଏନ୍‌ଡିଏ (ବିଜେପି-ଜେଡିୟୁ) ଓ ଇଣ୍ଡି ମେଣ୍ଟ (ଆର୍‌ଜେଡି-କଂଗ୍ରେସ) ବିରୋଧରେ ଏକ ତୃତୀୟ ବିକଳ୍ପ ଗଢ଼ିବା ଲକ୍ଷ୍ୟରେ ନିଆଯାଇଛି ବୋଲି  ଦଳ କହିଛି। ଏଆଇଏମ୍‌ଆଇଏମ୍‌ ରାଜ୍ୟ ସଭାପତି ଅଖ୍‌ତରୁଲ ଇମାନ କହିଛନ୍ତି, ଆର୍‌ଜେଡି ନେତା ଲାଲୁ ପ୍ରସାଦ ଓ ତେଜସ୍ୱୀ ଯାଦବଙ୍କୁ ମେଣ୍ଟ ପାଇଁ ଚିଠି ଲେଖାଯାଇଥିଲା, କିନ୍ତୁ ଜବାବ ନ ମିଳିବାରୁ ଏକାକୀ ଲଢ଼ିବା ନିଷ୍ପତ୍ତି ନିଆଯାଇଛି।

Advertisment

ତେଜସ୍ୱୀ-ରାହୁଲଙ୍କ ଖେଳ ବିଗାଡ଼ିବାକୁ ଯୋଜନା


ସୂଚନାଯୋଗ୍ୟ, ୨୦୨୦ରେ ଏଆଇଏମ୍‌ଆଇଏମ୍‌ ୨୦ ଆସନରେ ଲଢ଼ି ୫ଟି ଜିତିଥିଲା। ସୀମାଞ୍ଚଳ (କିଶନଗଞ୍ଜ, କଟିହାର, ଅରରିଆ, ପୂର୍ଣ୍ଣିଆ)ରେ ଦଳକୁ ଏହି ସଫଳତା ମିଳିଥିଲା। ସେଠାରେ ମୁସଲମାନ ଭୋଟର ୫୫%ରୁ ଅଧିକ। ୨୦୨୨ରେ ଦଳର ୪ ବିଧାୟକ ଆର୍‌ଜେଡିରେ ସାମିଲ ହୋଇଥିବାରୁ ଏହା ଅୱେସୀଙ୍କ ପାଇଁ ବହୁତ ବଡ଼ ଝଟ୍‌କା ଥିଲା। ଏବେ ଅୱେସୀ ସୀମାଞ୍ଚଳ ବାହାରେ ମିଥିଳାଞ୍ଚଳ ଓ ମୁସଲମାନ-ପ୍ରଭାବିତ ୪୭ ଆସନରେ ଫୋକସ୍‌ କରୁଛନ୍ତି, ଯେଉଁଠି ମୁସଲମାନ ଭୋଟ ୨୦-୪୦% ରହିଛି। ବିହାରର ୧୭.୭% ମୁସଲମାନ ଭୋଟ ୪୭ ଆସନରେ ନିର୍ଣ୍ଣାୟକ ହେବ ବୋଲି କୁହାଯାଉଛି। ଏଆଇଏମ୍‌ଆଇଏମ୍‌ର ନୂଆ ରଣନୀତି ତେଜସ୍ୱୀ-ରାହୁଲଙ୍କ ଇଣ୍ଡି ମେଣ୍ଟର ତଥାକଥିତ ଧର୍ମନିରପେକ୍ଷ ଭୋଟ ବିଭାଜନ କରିପାରେ ଏବଂ ଏହା  ଏନ୍‌ଡିଏକୁ ଫାଇଦା ଦେବ ବୋଲି କୁହାଯାଉଛି।

ଆସନ ବଣ୍ଟନ ନେଇ ଧମକାଇଲେ ମାଂଝୀ 
ଆମ ପାଖରେ ବି ବିକଳ୍ପ ଅଛି 
ନୂଆଦିଲ୍ଲୀ: ବିହାରରେ ଆସନ ବୁଝାମଣା ‌ଚୂଡ଼ାନ୍ତ କରିବା ପାଇଁ ଏନ୍‌ଡିଏର ଆଲୋଚନା ଜାରି ରହିଥିବା ବେଳେ ଆଜି  ମେଣ୍ଟ ସହଯୋଗୀ ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା (ଏଚ୍‌ଏଏମ୍‌)    ତୀବ୍ର  ଅସନ୍ତୋଷ ବ୍ୟକ୍ତ କରିଛି।  ଦଳ ସୁପ୍ରିମୋ ତଥା କେନ୍ଦ୍ରମନ୍ତ୍ରୀ ଜିତନ ରାମ ମାଂଝି   ସ୍ପଷ୍ଟ କରିଛନ୍ତି ଯେ ତାଙ୍କୁ ମେଣ୍ଟରେ ସମ୍ମାନ ନ ମିଳିଲେ ତାଙ୍କ ପାଖରେ ମଧ୍ୟ ବିକଳ୍ପ ଅଛି। ମାଂଝୀଙ୍କ ଆଭିମୁଖ୍ୟ ଉପରେ ବୟାନ ରଖି ଏଚ୍‌ଏଏମ୍‌ର ବରିଷ୍ଠ ନେତା ରାଜେଶ ପାଣ୍ଡେ କହିଛନ୍ତି,  ଆମେ ଦାବି କରୁଥିବା ଆସନ ହାସଲ ପାଇଁ  ଆଲୋଚନା ଜାରି ରହିବ, କିନ୍ତୁ ଆମର ଆଭିମୁଖ୍ୟ ସ୍ପଷ୍ଟ ଏବଂ ଆମେ କୌଣସି ସାଲିସ କରିବୁ ନାହିଁ।  କୌଣସି ବିଶେଷ ପରିସ୍ଥିତିରେ  ଦଳ ଅନ୍ୟ ବିକଳ୍ପ  ଗ୍ରହଣ କରିବାକୁ ପଛାଇବ ନାହିଁ ବୋଲି ସେ କହିଛନ୍ତି। ପାଣ୍ଡେ ଏହା ମଧ୍ୟ କହିଛନ୍ତି ଯେ ତାଙ୍କ ଦଳ ଏହାର ଦାବି ଏବଂ ବାସ୍ତବ ସ୍ଥିତି ସଂପର୍କରେ ବିଜେପି ନେତୃତ୍ୱକୁ ଜଣାଇଛି। ସେ କହିଛନ୍ତି ଯେ ବୈଠକ ସକରାତ୍ମକ ରହିଛି ଏବଂ  ଫଳାଫଳ ଶୀଘ୍ର ବାହାରିବ। ହାମ୍ ପାର୍ଟି ଏହାର ରଣନୀତି ସହିତ ସୂଚାଇ ଦେଇଛି ଯେ ନିର୍ବାଚନୀ ମେଣ୍ଟରେ ଦଳ ନିଜର ଶକ୍ତି ଦେଖାଇବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି।