ନୂଆଦିଲ୍ଲୀ: ପଦ୍ମ ଧରିଲେ ଲୋକପ୍ରିୟ ୟୁଟ୍ୟୁବର ମନୀଷ କଶ୍ୟପ । ବିହାରର ଏହି ଚର୍ଚ୍ଚିତ ୟୁଟ୍ୟୁବର ଗୁରୁବାର ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି । ଦିଲ୍ଲୀ ସ୍ଥିତ ପାର୍ଟି କାର୍ଯ୍ୟାଳୟରେ ସେ ପଦ୍ମ ଧରିଛନ୍ତି । ତେବେ ସେ ପୂର୍ବରୁ ପଶ୍ଚିମ ଚମ୍ପାରଣ ସିଟରୁ ନିର୍ବାଚନ ଲଢିବେ ବୋଲି ଘୋଷଣା କରିଥିଲେ, ହେଲେ ଏବେ ସେ ନିର୍ବାଚନ ଲଢିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି ।
ବିଜେପିରେ ଯୋଗଦେବା ପରେ ମନୀଷ କହିଛନ୍ତି ଯେ, ମୋ ମା ମୋତେ ଏଠାକୁ ଆଣିଛନ୍ତି। ବିଜେପି ସାଂସଦ ମନୋଜ ତିୱାରୀ ମୋତେ ଦିଲ୍ଲୀ ଆଣିଛନ୍ତି। ଏହି ଲୋକମାନଙ୍କ ଯୋଗୁଁ ହିଁ ମୁଁ ଜେଲରୁ ବାହାରି ପାରିଲି ଏବଂ ମୋ ଜୀବନର ଖରାପ ଦିନ ସମାପ୍ତ ହେଲା।
ନ୍ୟୁଜ୍ ଏଜେନ୍ସି ଏଏନଆଇକୁ ସାକ୍ଷାତକାର ଦେଇ 'ସନ୍ ଅଫ ବିହାର' ଭାବରେ ଜଣାଶୁଣା ୟୁଟ୍ୟୁବର୍ ମନୀଷ କହିଛନ୍ତି ଯେ, "ମୁଁ ବିହାରକୁ ମଜବୁତ କରିବା ପାଇଁ ବିଜେପିରେ ଯୋଗ ଦେଇଛି। ଲାଲୁଙ୍କ ପରିବାର ବିହାରକୁ ଲୁଟିବା ସହ ଧ୍ୱଂସ କରିଦେଇଛନ୍ତି। ଏହା ସମଗ୍ର ବିହାରକୁ ନିଜ କବଳକୁ ନେଇଯାଇଛନ୍ତି। ସେଥିପାଇଁ ମୁଁ ବିଜେପିରେ ଯୋଗ ଦେଇଛି। ବିଜେପି ସହିତ ମିଶି ମୁଁ ବିହାରକୁ ମଜବୁତ କରିବି।"
ବିଜେପି ସାଂସଦ ମନୋଜ ତିୱାରୀ ମନୀଷ କଶ୍ୟପଙ୍କୁ ଦଳରେ ସାମିଲ କରିଛନ୍ତି। ସେ ତାଙ୍କ ମାତାଙ୍କ ସହ ତାଙ୍କୁ ବିହାରରୁ ଦିଲ୍ଲୀ ଆଣିଥିଲେ ଏବଂ ଆଜି ତାଙ୍କୁ ବିଜେପିର ସଦସ୍ୟତା ମଧ୍ୟ ଦେଇଥିଲେ।