ପାଟନା: ବିହାର ଷ୍ଟୁଡେଣ୍ଟ କ୍ରେଡିଟ୍ କାର୍ଡ ସ୍କିମ୍ ଅଧୀନରେ ଦିଆଯାଉଥିବା ଶିକ୍ଷାଋଣ ଉପରେ ସୁଧ ଛାଡ଼ କରିଛନ୍ତି ବିହାର ସରକାର। ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏକ୍ସରେ ଏକ ପୋଷ୍ଟରେ ଘୋଷଣା କରିଛନ୍ତି ଯେ, ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରମାନଙ୍କୁ ସୁଧମୁକ୍ତ ଶିକ୍ଷାଋଣ ପ୍ରଦାନ କରାଯିବ। ବିହାର ଷ୍ଟୁଡେଣ୍ଟ କ୍ରେଡିଟ୍ କାର୍ଡ ସ୍କିମ୍ ଦ୍ୱାଦଶ ଶ୍ରେଣୀ ଉତ୍ତୀର୍ଣ୍ଣ ହୋଇଥିବା ଏବଂ ଉଚ୍ଚଶିକ୍ଷା ଗ୍ରହଣ କରିବାକୁ ଚାହୁଥିବା ଛାତ୍ରମାନଙ୍କ ପାଇଁ ଅକ୍ଟୋବର ୨, ୨୦୧୬ଠାରୁ କାର୍ଯ୍ୟକାରୀ ହୋଇଛି। ବିହାର ଷ୍ଟୁଡେଣ୍ଟ କ୍ରେଡିଟ୍ କାର୍ଡ ସ୍କିମ୍ ଅଧୀନରେ ସାଧାରଣ ଆବେଦନକାରୀଙ୍କ ପାଇଁ ୪ ପ୍ରତିଶତ ଏବଂ ମହିଳା, ଭିନ୍ନକ୍ଷମ ଓ ଟ୍ରାନ୍ସଜେଣ୍ଡର ଆବେଦନକାରୀଙ୍କ ପାଇଁ ମାତ୍ର ୧ ପ୍ରତିଶତ ସୁଧ ହାରରେ ଉଚ୍ଚଶିକ୍ଷା ପାଇଁ ୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଶିକ୍ଷା ଋଣ ପ୍ରଦାନ କରାଯାଏ। 
ନୀତୀଶ କହିଛନ୍ତି, ମୁଁ ଅତ୍ୟନ୍ତ ଆନନ୍ଦିତ ଯେ ବର୍ତ୍ତମାନ ଷ୍ଟୁଡେଣ୍ଟ କ୍ରେଡିଟ୍ କାର୍ଡ ସ୍କିମ୍ ଅଧୀନରେ ପ୍ରଦାନ କରାଯାଉଥିବା ଶିକ୍ଷାଋଣ ସମସ୍ତ ଆବେଦନକାରୀଙ୍କ ପାଇଁ ସୁଧମୁକ୍ତ ହେବ।

Advertisment

ଏହା ବ୍ୟତୀତ ୬୦ ମାସିକ କିସ୍ତି (୫ ବର୍ଷ)ରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଶିକ୍ଷାଋଣ ପରିଶୋଧ କରିବାର ବ୍ୟବସ୍ଥାକୁ ବର୍ତ୍ତମାନ ସର୍ବାଧିକ ୮୪ ମାସିକ କିସ୍ତି (୭ ବର୍ଷ)କୁ ବୃଦ୍ଧି କରାଯାଇଛି। ୨ ଲକ୍ଷ ଟଙ୍କାରୁ ଅଧିକ ଋଣ ପରିଶୋଧ ଅବଧି ୮୪ ମାସିକ କିସ୍ତି (୭ ବର୍ଷ)ରୁ ସର୍ବାଧିକ ୧୨୦ ମାସିକ କିସ୍ତି (୧୦ ବର୍ଷ)କୁ ବୃଦ୍ଧି କରାଯାଇଛି।  ରାଜ୍ୟରେ ଯେପରି ଅଧିକ ଛାତ୍ର ଉଚ୍ଚଶିକ୍ଷା ଗ୍ରହଣ କରିପାରିବେ, ସେଥିପ୍ରତି ଆମେ ସର୍ବାଧିକ ଗୁରୁତ୍ବ ଦେଇ ଏହି ପଦକ୍ଷେପ ନେଇଛୁ ବୋଲି ନୀତୀଶ କହିଛନ୍ତି। ଉଚ୍ଚଶିକ୍ଷା ପାଇଁ ଶିକ୍ଷାଋଣରେ ପ୍ରଦାନ କରାଯାଇଥିବା ଏହି ସୁବିଧା ଛାତ୍ରମାନଙ୍କ ମନୋବଳ ବୃଦ୍ଧି କରିବ, ସେମାନଙ୍କୁ ଅଧିକ ଉତ୍ସାହ ଦେବ, ଯାହାଦ୍ୱାରା କେବଳ ସେମାନଙ୍କର ନୁହେଁ ବରଂ ରାଜ୍ୟ ତଥା ଦେଶର ଭବିଷ୍ୟତ ମଧ୍ୟ ଗଠନ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ନିର୍ବାଚନ ପୂର୍ବରୁ ବିହାର ସରକାରଙ୍କ ଏହି ପଦକ୍ଷେପ ଛାତ୍ରମାନଙ୍କୁ ଏକ ବଡ଼ ଆଶ୍ୱସ୍ତି ଦେବ।