ପାଟନ‌ା: ପରିବାରର ଖର୍ଚ୍ଚ ଉଠାଇବାକୁ ୨ଟି ଚାକିରି କରୁଛନ୍ତି । ସକାଳେ ଶିକ୍ଷକତା କରିବା ସହ ରାତିରେ ଲୋକଙ୍କୁ ଖାଦ୍ୟ ଯୋଗାଉଛନ୍ତି। ସ୍କୁଲ ବନ୍ଦ ହେବା ପରେ ସନ୍ଧ୍ୟା ୫ଟାରୁ ରାତି ୧ଟା ପର୍ଯ୍ୟନ୍ତ ଡେଲିଭରୀ ବଏ ସାଜୁଛନ୍ତି। ଏଠାରେ ଆମେ ବିହାରର ବାସିନ୍ଦା ଅମିତ କୁମାରଙ୍କ କଥା କହୁଛୁ।

Advertisment

ବିହାରର ଭାଗଲପୁରରେ ରହୁଥିବା ଅମିତ ପରିବାରର ବଡ଼ ପୁଅ। ପୂର୍ବରୁ ଘରୋଇ ସ୍କୁଲରେ କାମ କରୁଥିବା ଅମିତଙ୍କର କରୋନା ସମୟରେ ଚାକିରି ଚାଲିଯାଇଥିଲା। ଚାକିରି ନଥିବାରୁ ତାଙ୍କ ଘରର ଆର୍ଥିକ ସ୍ଥିତି ଖରାପ ହେବାକୁ ଲାଗିଥିଲା। ଅନେକ ଚେଷ୍ଟା ପରେ ସେ କରୋନା ମହାମାରୀ ଯିବାରୁ ପରୀକ୍ଷା ପାସ୍ କରି ସରକାରୀ ଶାରୀରିକ ଶିକ୍ଷା ପ୍ରଶିକ୍ଷକ ଭାବେ ଚାକିରି କରିବା ଆରମ୍ଭ କରିଥିଲେ। ହେଲେ ତାଙ୍କୁ ମାସକୁ ମାତ୍ର ୮ହଜାର ଟଙ୍କା ଦରମା ମିଳିଥିଲା। ଏତିକି ଟଙ୍କାରେ ପୂରା ପରିବାର ଚଳାଇବା ସମ୍ଭବ ନଥିଲା। ଅଢ଼େଇ ବର୍ଷ ପରେ ବି ଦରମା ନବଢ଼ିବାରୁ ଅମିତ ନିଜ ବନ୍ଧୁମାନଙ୍କଠାରୁ ଟଙ୍କା ଧାର ମାଗିବା ଆରମ୍ଭ କରିଥିଲେ। 

ଦିନକୁ ଦିନ ଧାର୍ ଟଙ୍କାର ବୋଝ ବଢ଼ିବାରୁ ପତ୍ନୀ, ଅମିତଙ୍କୁ ଡେଲିଭରୀ ବଏ ଭାବେ କାମ କରିବାକୁ କହିଥିଲେ। ପତ୍ନୀଙ୍କ କଥା ମାନି ଅମିତ୍ ଡେଲିଭରୀ ବଏ ହେବା ପାଇଁ କ’ଣ ସବୁ ‌ଯୋଗ୍ୟତା ଦରକାର ଏବଂ ଚାକିରି ସମୟ କ’ଣ ରହିବ, ତାହାର ଯାଞ୍ଚ କରିଥିଲେ। ଡେଲିଭରୀ ବଏ ହେଲେ ସେଭଳି କିଛି ଧାର୍ଯ୍ୟ ସମୟରେ କାମ କରିବାକୁ ପଡେ ନାହିଁ ବୋଲି ଜାଣି ସେ ସ୍କୁଲ ସରିବା ପରେ ସନ୍ଧ୍ୟା ୫ଟାରୁ ରାତି ୧ଟା ପର୍ଯ୍ୟନ୍ତ ଜୋମାଟୋର ଡେଲିଭରୀ ବଏ ଭାବେ କାମ କରିବା ଆରମ୍ଭ କରିଥିଲେ। ଏବେ ସେ ୨ଟି ଚାକିରି କରି ପରିବାର ଚଳାଉଥିବା କହିଛନ୍ତି।