ଆଶ୍ରୟସ୍ଥଳୀ ଯୌନ ନିର୍ଯାତନା ମାମଲା: ବିହାର ସରକାରଙ୍କୁ ଭର୍ତ୍ସନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଆଜି ସୁପ୍ରିମକୋର୍ଟ ବିହାର ସରକାରଙ୍କୁ କଡ଼ା ଭାଷାରେ ଭର୍ତ୍ସନା କରିଛନ୍ତି। ରାଜ୍ୟର ବିଭିନ୍ନ ଆଶ୍ରୟସ୍ଥଳୀରେ ଅନ୍ତେବାସୀମାନଙ୍କୁ ଯେପରି ଯୌନ ନିର୍ଯାତନା ଦିଆଯାଇଛି ଓ ଏପରି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ବିହାର ସରକାର ଯେପରି ଉଦାସୀନତା ଦେଖାଇଛନ୍ତି ତାକୁ କଡ଼ା ଭାଷାରେ ନିନ୍ଦା କରି ସୁପ୍ରିମ କୋର୍ଟ ବିହାର ସରକାରଙ୍କ ବ୍ୟବହାର ଲଜ୍ଜାଜନକ ବୋଲି କହିଛନ୍ତି।

କେବଳ ସେତିକି ନୁହେଁ, ମୁଜାଫରରପୁର ଆଶ୍ରୟସ୍ଥଳୀ ସହିତ ରାଜ୍ୟର ସମସ୍ତ ଆଶ୍ରୟସ୍ଥଳୀରେ ହୋଇଥିବା ଯୌନ ନିର୍ଯାତନା ମାମଲାର ତଦନ୍ତ ସିବିଆଇ ଦ୍ୱାରା କରିବାକୁ ମଧ୍ୟ ସୂଚନା ଦେଇଛନ୍ତି। ସୁପ୍ରିମକୋର୍ଟ ସିିବିଆଇ ସମସ୍ତ ମାମଲାର ତଦନ୍ତ କରି ପାରିବ କିମ୍ବା ନାହିଁ ତାହା ଆସନ୍ତାକାଲି କୋର୍ଟକୁ ଜଣାଇବାକୁ କହିଛନ୍ତି।

ବିହାର ସରକାର ଆଶ୍ରୟସ୍ଥଳୀଗୁଡ଼ିକରେ ହୋଇଥିବା ଯୌନ କେଳେଙ୍କାରୀ ମାମଲାରେ ଉଚିତ ପଦକ୍ଷେପ ନେବା ପରିବର୍ତ୍ତେ ଅଭିଯୁକ୍ତମାନଙ୍କ ପ୍ରତି ନରମ ବ୍ୟବହାର ପ୍ରଦର୍ଶନ କରିଥିବା ନେଇ ଆଜି ସୁପ୍ରିମକୋର୍ଟ ବିହାର ସରକାରଙ୍କୁ ଭର୍ସନା କରିଛନ୍ତି। ବିଚାରପତି ଜଷ୍ଟିସ ମଦନ ବି ଲୋକୁରଙ୍କ ଅଧ୍ୟକ୍ଷତାରେ ଗଠିତ ବେଞ୍ଚ ବିହାର ସରକାରଙ୍କ ବ୍ୟବହାର ଲଜ୍ଜାଜନକ ବୋଲି କହିଛନ୍ତି। କେତେକ ଅନ୍ତେବାସୀ ଅତି ଜଘନ୍ୟ ଅପରାଧ ନେଇ ଅଭିଯୋଗ କରିଥିଲେ ମଧ୍ୟ ବିହାର ସରକାର ନରମ ଦଫା ଲଗାଇ ମାମଲା ରୁଜୁ କରିଛି। ଯଦି ମାମଲାର ତଦନ୍ତ ଦାୟିତ୍ୱ ସିବିଆଇକୁ ଦିଆଯାଇ ନ ଥାନ୍ତା, ତେବେ ଆଶ୍ରୟସ୍ଥଳୀଗୁଡ଼ିକରେ ହେଉଥିବା ଜଘନ୍ୟ କାଣ୍ଡଗୁଡ଼ିକ ପଦାକୁ ଆସି ନ ଥାନ୍ତା। ଏପରିକି ଏ ନେଇ ଏତଲା ହୋଇ ନ ଥାନ୍ତା କିମ୍ବା କେହି ଗିରଫ ହୋଇ ନ ଥାନ୍ତେ।

ତେଣୁ ସିବିଆଇ ଗୋଟିଏ ଅାଶ୍ରୟସ୍ଥଳୀର ମାମଲା ତଦନ୍ତ କରୁଥିବା ବେଳେ ବିହାରର ସମସ୍ତ ଆଶ୍ରୟସ୍ଥଳୀର ତଦନ୍ତ ଦାୟିତ୍ୱ ସିବିଆଇକୁ ହସ୍ତାନ୍ତର କରିବା ପାଇଁ ସୁପ୍ରିମକୋର୍ଟ ମନ୍ତବ୍ୟ ଦେଇଛନ୍ତି। ତେବେ ସମସ୍ତ ମାମଲାର ତଦନ୍ତ ସିବିଆଇ କରି ପାରିବ କିମ୍ବା ନାହିଁ ତାହା ଜଣାଇବାକୁ ସୁପ୍ରିିମକୋର୍ଟ ସିବିଆଇକୁ ଆସନ୍ତା କାଲି ଯାଏ ସମୟ ଦେଇଛନ୍ତି।

ସମ୍ବନ୍ଧିତ ଖବର