ବିହାରରେ ଭିଡ଼ ହିଂସା: ୩ ଦୁର୍ବୃତ୍ତଙ୍କୁ ପିଟିପିଟି ହତ୍ୟା

ପାଟନା: ଦେଶରେ ଭିଡ଼ ହିଂସା ଥମିବାର ନାଁ ନେଉନାହିଁ। ବିହାରରେ ଆଜି ବଡ଼ ଧରଣର ଭିଡ଼ ହିଂସା ଆଲୋଡ଼ନ ସୃଷ୍ଟି କରିଛି। ବେଗୁସରାୟ ଜିଲ୍ଲାରେ ଜଣେ ସ୍କୁଲ ଛାତ୍ରଙ୍କୁ ଅପହରଣ କରିନେଉଥିବା ୩ ଜଣ ସଶସ୍ତ୍ର ଦୁର୍ବୃତ୍ତଙ୍କୁ ଉତ୍ତ୍ୟକ୍ତ ଜନତା ପିଟି ପିଟି ହତ୍ୟା କରିଛନ୍ତି। ୩ ଦୁର୍ବୃତ୍ତ ଛାତ୍ରଙ୍କୁ ଅପହରଣ ଉଦ୍ଦେଶ୍ୟରେ ଏକ ବିଦ୍ୟାଳୟରେ ପଶିଥିବା ବେଳେ ସ୍ଥାନୀୟ ଲୋକେ ସେମାନଙ୍କୁ ଘେରିଯାଇଥିଲେ। ଲୋକଙ୍କ ମାଡ଼ରେ ଘଟଣାସ୍ଥଳରେ ହିଁ ୩ ଅପହରଣକାରୀଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ବେଗୁସରାୟ ଜିଲ୍ଲାର ଛୌରାହି ଥାନା ଅନ୍ତର୍ଗତ ପଂସଲା ଗ୍ରାମରେ ଆଜି ଅପରାହ୍ନରେ ଏହି ଘଟଣା ଘଟିଛି। ଗ୍ରାମର ପ୍ରାଥମିକ ବିଦ୍ୟାଳୟରେ ପଢ଼ୁଥିବା ଜଣେ ଛାତ୍ରଙ୍କୁ ଅପହରଣ କରିବା ଉଦ୍ଦେଶ୍ୟରେ ୩ ଜଣ ସଶସ୍ତ୍ର ଦୁର୍ବୃତ୍ତ ସ୍କୁଲ୍‌ରେ ପସିଥିଲେ ଏବଂ ପ୍ରଧାନ ଶିକ୍ଷକ ଓ ଅନ୍ୟମାନଙ୍କୁ ମାରଣାସ୍ତ୍ର ଦେଖାଇ ଭୟଭୀତ କରିଥିଲେ। ସେମାନେ ପ୍ରଧାନ ଶିକ୍ଷକଙ୍କୁ ଆକ୍ରମଣ କରିବା ସହ ଜଣେ ଛାତ୍ରକୁ ଉଠାଇ ନେଇଥିଲେ । ତେବେ ଦୁର୍ବୃତ୍ତମାନେ ସ୍କୁଲରୁ ବାହାରିବା ପୂର୍ବରୁ ସେମାନଙ୍କୁ ଲୋକେ ଘେରିଯିବାରୁ ଆଉ ଖସିବାକୁ ବାଟ ପାଇନଥିଲେ। ଲୋକଙ୍କ ଆକ୍ରମଣରେ ପ୍ରାଣ ହରାଇଥିବା ତିନି ଜଣଙ୍କ ମଧ୍ୟରୁ ୨ ଜଣଙ୍କ ପରିଚୟ ମିଳିଛି। ସେମାନେ ହେଲେ ମୁକେଶ ମାହାତୋ ଏବଂ ହିରା ସିଂହ। ଏହି ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ହତ୍ୟାର ଶିକାର ହୋଇଥିବା ୩ ଯୁବକଙ୍କ ମଧ୍ୟରୁ ଜଣେ ସ୍ଥାନୀୟ ଅଂଚଳର ବୋଲି ଚିହ୍ନଟ ହୋଇଛି। ତେବେ ଅପହରଣ ଉଦ୍ୟମ ପଛରେ ପୂର୍ବ ଶତ୍ରୁତା ଥିବା ସନ୍ଦେହ କରାଯାଉଛି। ବେଗୁସରାୟ ପୁଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ଏହି ଭିଡ଼ ହିଂସାରେ ଶତାଧିକ ଗ୍ରାମବାସୀ ସଂପୃକ୍ତ ଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର