କଶ୍ମୀରରେ ପୁଣି ୨ ସାଧାରଣ ଲୋକଙ୍କୁ ହତ୍ୟା

ବିହାରୀ ଗୁପଚୁପ ବିକ୍ରେତା, ଉତ୍ତରପ୍ରଦେଶ ବଢେଇଙ୍କୁ ଗୁଳିକଲେ ଆତଙ୍କବାଦୀ

ଶ୍ରୀନଗର : ଜମ୍ମୁ ଓ କଶ୍ମୀରରେ ସାଧାରଣ ଲୋକଙ୍କ ଉପରେ ଆକ୍ରମଣ ଘଟଣା ବଢିଚାଲିଛି । ବିଶେଷ କରି ଦେଶର ଅନ୍ୟ ଅଞ୍ଚଳରୁ ଯାଇ ସେଠାରେ ରହୁଥିବା ଲୋକମାନଙ୍କୁ ଆତଙ୍କବାଦୀମାନେ ହତ୍ୟା କରୁଛନ୍ତି । ଆଜି ଆଉ ୨ ଜଣ ନିରୀହ ଲୋକଙ୍କୁ ଗୁଳି କରି ହତ୍ୟା କରାଯାଇଛି । ସେ ଦୁଇଜଣ ହେଉଛନ୍ତି ବିହାରର ଅରବିନ୍ଦ କୁମାର ଶାହ ଓ ଉତ୍ତରପ୍ରଦେଶର ସାଗିର ଅହମ୍ମଦ । ଅରବିନ୍ଦ ଶ୍ରୀନଗରରେ ଗୁପଚୁପ୍ ବିକ୍ରି କରୁଥିଲେ । ସେହିପରି ସାଗିର ପୁଲଓ୍ବାମାରେ ରହି ବଢେଇ କାମ କରୁଥିଲେ । ଉଭୟଙ୍କୁ ଆତଙ୍କବାଦୀମାନେ ଅତି ନିକଟରୁ ଗୁଳି କରି ହତ୍ୟା କରିଥିଲେ । ସାଗିରଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ବି ସେ ସେଠାରେ ମୃତ୍ୟୁବରଣ କରିଥିଲେ । ପୁଲିସ ପକ୍ଷରୁ ହତ୍ୟାକାଣ୍ଡ ସ୍ଥଳରେ ପହଞ୍ଚି ତଲାସୀ ଅଭିଯାନ ଆରମ୍ଭ କରାଯାଇଛି ।

ଗତ ଦୁଇ ସପ୍ତାହ ମଧ୍ୟରେ ୯ ଜଣ ଲୋକଙ୍କୁ ହତ୍ୟା କରାଗଲାଣି । ଗତ ସପ୍ତାହରେ ୩ ଜଣ କଶ୍ମୀର ପଣ୍ଡିତଙ୍କୁ ହତ୍ୟା କରାଯିବା ପରେ କେତେକ ପଣ୍ଡିତ ପରିବାର ଘାଟିଛାଡ଼ି ଚାଲିଯାଇଛନ୍ତି । ଭାରତ ସରକାରଙ୍କ ପକ୍ଷରୁ ଏକ ସ୍ବତନ୍ତ୍ର ସ୍କିମ ମାଧ୍ୟମରେ କେତେକ କଶ୍ମୀର ପଣ୍ଡିତଙ୍କୁ ସରକାରୀ ଚାକିରି ଦେଇ ଘାଟିରେ ଅବସ୍ଥାପିତ କରାଯାଇଥିଲା । କିନ୍ତୁ ଆତଙ୍କବାଦୀମାନେ ସେମାନଙ୍କୁ ହତ୍ୟା କରିବା ପରେ ସେମାନେ ଘରଛାଡ଼ି ଚାଲିଯାଇଛନ୍ତି ।

ସମ୍ବନ୍ଧିତ ଖବର