ନୂଆଦିଲ୍ଲୀ: ସରକାରୀ ଚାକିରିଟିଏ ପାଇବା‌ ପାଇଁ ଛାତ୍ରଛାତ୍ରୀମାନେ ଖୁବ ପରିଶ୍ରମ କରିଥାଆନ୍ତି। ନିକଟରେ ବିହାରର ଜମୁଇରେ ରହୁଥିବା ଟିନୁ  ସିଂହ  ଗୋଟିଏ ନୁହେଁ ଏକାଥରକେ ୫ଟି ସରକାରୀ ଚାକିରି ପାଇ ସମସ୍ତଙ୍କୁ ଚକିତ କରି ଦେଇଛନ୍ତି।

Advertisment

ଟିନୁ ମୂଳତଃ ବିହାରର ଜମୁଇରେ ବସବାସ କରୁଥିବା ବେଳେ ତାଙ୍କ ବାପା ମୁନ୍ନା ସିଂହ ସିଆରପିଏଫରେ ସବ-ଇନ୍ସପେକ୍ଟର ଅଛନ୍ତି। ସେହିପରି ମା’ ପିଙ୍କି ସିଂହ ଜଣେ ଗୃହିଣୀ।

ସୂଚନାଯୋଗ୍ୟ, ଗୋଟିଏ ମାସରେ ଟିନୁ ୫ଟି ସରକାରୀ ଚାକିରି ପାଇଛନ୍ତି। ଡିସେମ୍ବର ୨୨ ତାରିଖ‌ରେ ଟିନୁଙ୍କ କମ୍ପ୍ୟୁଟର ଅପରେଟର ପଦବୀରେ ଚୟନ ହୋଇଥିଲା। ଠିକ ତା’ପର ଦିନ ଅର୍ଥାତ ଡିସେମ୍ବର ୨୩ ତାରିଖ‌ରେ ଏସଏସସି ସିଜିଏଲ ପରୀକ୍ଷାରେ ସଫଳତା ହାସଲ କରି ଆସିଷ୍ଟାଣ୍ଟ ଶାଖା ଅଧିକାରୀ ଭାବେ ତାଙ୍କର ଚୟନ ହୋଇଥିଲା।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବ ଯେ କ୍ରମାଗତଭାବେ ଦୁଇଟି ସରକାରୀ ଚାକିରି ପାଇବା ପରେ ଟିନୁ ବିପିଏସସିର ଶିକ୍ଷକ ନିଯୁକ୍ତି ପରୀକ୍ଷାରେ ଷଷ୍ଠରୁ ଅଷ୍ଟମଶ୍ରେଣୀ କ୍ୟାଡରରେ ସଫଳତା ପାଇଥିଲେ। ଏଥିସହିତ ମାଧ୍ୟମିକ ବିଦ୍ୟାଳୟରେ ନବମରୁ ଦଶମ ‌ଶ୍ରେଣୀ କ୍ୟାଡର ଏବଂ ଉଚ୍ଚ ମାଧ୍ୟମିକ ଏକାଦଶରୁ ଦ୍ବାଦଶ ଶ୍ରେଣୀ କ୍ୟାଡର ପାଇଁ ବିପିଏସସି ଶିକ୍ଷକ ନିଯୁକ୍ତିରେ ମଧ୍ୟ ସେ ସଫଳତା ପାଇଥିଲେ।

୫ଟି ସରକାରୀ ଚାକିରି ପାଇବା ପରେ ଟିନୁଙ୍କ ସ୍ବପ୍ନ ପୂରଣ ହୋଇନାହିଁ ସେ ଆଗକୁ ଜଣେ ଆଇଏଏସ ଅଧିକାରୀ ହେବାର ସ୍ବପ୍ନ ଦେଖିଛନ୍ତି। ଏଥିପାଇଁ ପ୍ରସ୍ତୁତି ବି ଆରମ୍ଭ କରି ଦେଇଛନ୍ତି।