ଗୋଟିଏ ଗୋଡ଼ ନଥାଇ ବି ଶିକ୍ଷାରୁ ନିଜକୁ ବଞ୍ଚିତ କରିନାହାନ୍ତି ସୀମା, ପ୍ରତିଦିନ ୧ କିଲୋମିଟର ଚାଲିଚାଲି ଯାଉଛନ୍ତି ସ୍କୁଲ

ପାଟନା: ଦୃଢ ଇଛାଶକ୍ତି ଆଗରେ ହାର ମାନେ ସବୁ ବାଧାବିଘ୍ନ । ଏହାକୁ ପ୍ରମାଣ କରି ଦେଖାଇଛନ୍ତି ବିହାରର ଜମୁଇ ଅଞ୍ଚଳର କୁନି ଝିଅ ଦିବ୍ୟାଙ୍ଗ ସୀମା । ସଂଘର୍ଷର ସବୁ ସୀମାକୁ ପାରକରି ସଫଳତାର ପାହାଚକୁ ଚଢି ଦେଖାଇଛନ୍ତି ସୀମା । ଆଜି ବି ଆମ ଦେଶରେ ଅନେକ ପିଲା ବିଭିନ୍ନ କାରଣରୁ ପାଠ ପଢାରୁ ବଞ୍ଚିତ । ହେଲେ ଦିବ୍ୟାଙ୍ଗ ସୀମାଙ୍କ ପାଠପଢା ପ୍ରତି ଥିବା ଦୃଢ ଇଛାଶକ୍ତି ତାଙ୍କୁ ଅଟକାଇ ପାରିନି । ତାଙ୍କର ଗୋଟିଏ ଗୋଡ଼ ନଥିବା ସତ୍ତ୍ବେ ବି ସେ ଏକ କିଲୋମିଟର ଚାଲି ଚାଲି ସବୁଦିନ ବିଦ୍ୟାଳୟକୁ ଯାଉଛନ୍ତି ।

ମହାଦଳିତ ସମ୍ପ୍ରଦାୟର ଖୀରନ ମାଞ୍ଝିଙ୍କ ଝିଅ ସୀମା ନକ୍ସଲ ପ୍ରଭାବିତ ଫତେହପୁରର ବାସିନ୍ଦା। । ସୀମା ଗୋଟିଏ ଗୋଡ଼ରେ ଗାଁଠାରୁ ଏକ କିଲୋମିଟର ଦୂର ଫତେହପୁର ବିଦ୍ୟାଳୟକୁ ଚାଲି ଚାଲି ଯାଆନ୍ତି । ସୀମା ଅନ୍ୟ ପିଲାମାନଙ୍କୁ ଶିକ୍ଷିତ କରିବାକୁ ଚାହୁଁଥିବାରୁ ଭବିଷ୍ୟତରେ ଜଣେ ଶିକ୍ଷକ ହେବାକୁ ଇଚ୍ଛା ରଖିଛନ୍ତି । ସେପଟେ ତାଙ୍କର ଏଭଳି ଦୃଢ ଇଚ୍ଛା ଓ ପାଠପଢା ପ୍ରତି ଆଗ୍ରହ ଦେଖି ବଲିଉଡ ଅଭିନେତା ସୋନୁ ସୁଦଙ୍କ ସଂସ୍ଥା ତାଙ୍କୁ ସାହାଯ୍ୟର ହାତ ବଢାଇଛନ୍ତି । ଝାଡଖଣ୍ଡର ସମାଜସେବୀ ବିକାଶ ଗୁପ୍ତା ବି ତାଙ୍କୁ ସାହାଯ୍ୟ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

ସୂଚନା ଅନୁସାରେ, ଗତ ଦୁଇ ବର୍ଷ ତଳେ ଏକ ଦୁର୍ଘଟଣାରେ ସୀମା ନିଜର ଗୋଟିଏ ଗୋଡ଼ ହରାଇଥିଲେ । ସେ ସମୟରେ ସେ ମାତ୍ର ୧୦ ବର୍ଷର ହୋଇଥିଲେ । ଏତେସବୁ ଘଟିଲା ପରେ ବି ପାଠପଢା ପ୍ରତି ତାଙ୍କର ଥିବା ଇଚ୍ଛାକୁ ଆହୁରି ଦୃଢ ହୋଇଥିଲା। ସୀମାଙ୍କ ଇଚ୍ଛାଶକ୍ତି ଦେଖି ବିଦ୍ୟାଳୟର ଶିକ୍ଷକ ସୀମାଙ୍କ ନାମ ଲେଖାଇଥିଲେ । ସୀମାଙ୍କ ବାପା ଅନ୍ୟ ରାଜ୍ୟରେ ଜଣେ ଦିନ ମଜୁରିଆ ଭାବେ କାମ କରନ୍ତି । ସେ ଛଅ ଭଉଣୀଙ୍କ ମଧ୍ୟରୁ ଦୁଇ ନମ୍ବର ଅଟନ୍ତି ।

ତାଙ୍କ ମା’ ବେବୀ ଦେବୀଙ୍କ କହିବା ଅନୁସାରେ ସୀମା ସଡ଼କ ଦୁର୍ଘଟଣାରେ ଗୋଡ଼ ହରାଇବା ପରେ ତା’ର ଭବିଷ୍ୟତ ଅନ୍ଧାର ହୋଇଗଲା ବୋଲି ଆମେ ଭାବିଥିଲୁ । କିନ୍ତୁ ଅନ୍ୟ ପିଲାଙ୍କୁ ବିଦ୍ୟାଳୟ ଯାଉଥିବା ଦେଖି ସୀମା ବିଦ୍ୟାଳୟ ଯିବାକୁ ଇଚ୍ଛା କଲା । ତେବେ ଗୋଟିଏ ଗୋଡ଼ରେ ଏକ କିଲୋମିଟର ଯିବା ପାଇଁ ସୀମାଙ୍କୁ ଆଉ ଅସୁବିଧା ହେଉନଥିବା କହିଛନ୍ତି ।

ତେବେ ସୀମାଙ୍କ ବିଷୟରେ ଜାଣିବା ପରେ ବୁଧବାର ଜମୁଇ ଜିଲ୍ଲାପାଳ ସୀମାଙ୍କୁ ଭେଟି ସାହାଯ୍ୟ ଆକାରରେ ତାଙ୍କୁ କିଛି ଅର୍ଥରାଶି ଓ ଗୋଟିଏ ତିନି ଚକିଆ ସାଇକେଲ ଦେଇଥିଲେ । ଯାହା ଦ୍ବାରା ସେ ସହଜରେ ବିଦ୍ୟାଳୟକୁ ଯାଇ ପାରିବେ । ଏହା ସହ ସୀମାଙ୍କର କୁତ୍ରିମ ଗୋଡ଼ ଲଗାଇବାକୁ ବ୍ୟବସ୍ଥା କରିବେ ବୋଲି କହିଛନ୍ତି ଜିଲ୍ଲାପାଳ ।

ସମ୍ବନ୍ଧିତ ଖବର