ବିଗିଡ଼ିଲା ଲାଲୁ ଯାଦବଙ୍କ ସ୍ବାସ୍ଥ୍ୟାବସ୍ଥା, ଏୟାର ଆମ୍ବୁଲାନ୍ସ ଯୋଗେ ଅଣାଯାଇପାରେ ଦିଲ୍ଲୀ

ନୂଆଦିଲ୍ଲୀ: ବିଗିଡ଼ିଲା ଲାଲୁ ଯାଦବଙ୍କ ସ୍ବାସ୍ଥ୍ୟାବସ୍ଥା। ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟ ପୁଣି ଥରେ ଖରାପ ହୋଇଥିବା ଜଣାପଡ଼ିଛି। ଚିକିତ୍ସା ପାଇଁ ଏୟାର ଆମ୍ବୁଲାନ୍ସ ଯୋଗେ ଲାଲୁ ଯାଦବଙ୍କୁ ଦିଲ୍ଲୀ ଅଣାଯିବ ବୋଲି କୁହାଯାଉଛି। ସେ ଆଜି ଅପରାହ୍ନ ୩ଟାରୁ ସନ୍ଧ୍ୟା ୫ଟା ମଧ୍ୟରେ ଦିଲ୍ଲୀ ଏମ୍ସ ଅଭିମୁଖେ ଯାତ୍ରା କରିବା ନେଇ ସୂଚନା ମିଳୁଛି। ଏନେଇ ରାଞ୍ଚିସ୍ଥିତ ରାଜେନ୍ଦ୍ର ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍‌ସେସ୍‌ (ରିମ୍‌ସ)ରୁ ବିମାନବନ୍ଦର ପର୍ଯ୍ୟନ୍ତ ଏକ ଗ୍ରୀନ୍ କରିଡର ନିର୍ମାଣ କରାଯିବ।

ଏହା କୁହାଯାଉଛି ଯେ ତାଙ୍କର କ୍ରିଏଟିନାଇନ୍ ସ୍ତର ୪.୧ ରୁ ୪.୬କୁ ବୃଦ୍ଧି ପାଇଛି। ଲାଲୁଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ମେଡିକାଲ ବୋର୍ଡର ଏକ ବୈଠକ ଡକାଯାଇଛି। ରିମ୍ସ ମେଡିକାଲ ବୋର୍ଡର ଡାକ୍ତରଙ୍କ ବୈଠକ ପରେ ତାଙ୍କୁ ଏମ୍ସକୁ ପଠାଇବାକୁ ନିଷ୍ପତ୍ତି ନିଆଯିବ।

ଏହାପୂର୍ବରୁ ଫେବ୍ରୁଆରି ୨୧ରେ ଲାଲୁ ପ୍ରସାଦ ଯାଦବ ଡୋରାଣ୍ଡା ଟ୍ରେଜେରୀ ସହ ଜଡିତ ଗୋଖାଦ୍ୟ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ରାଞ୍ଚିର ସ୍ବତନ୍ତ୍ର ସିବିଆଇ ଅଦାଲତ ସୋମବାର ଦିନ ୬୦ ଲକ୍ଷ ଟଙ୍କାର ଜରିମାନା ସହ ୫ ବର୍ଷର ଜେଲ୍‌ ଦଣ୍ଡାଦେଶ ଶୁଣାଇଥିଲେ।

୨୦୧୩ରେ ସେ ଗୋଖାଦ୍ୟଦୁର୍ନୀତି ମାମଲାରେ ପ୍ରଥମେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଦ୍ବିତୀୟ ମାମଲାରେ ୨୦୧୭ରେ, ତୃତୀୟ ଏବଂ ଚତୁର୍ଥ ମାମଲାରେ ୨୦୧୮ ଜାନୁଆରି ଏବଂ ମାର୍ଚ୍ଚରେ ଲାଲୁ ଦୋଷୀ ସାବ୍ୟସ୍ତ ହୋଇଥିଲେ। ତେବେ ଏସବୁ ମାମଲାରେ ଲାଲୁ ଜାମିନ ପାଇସାରିଛନ୍ତି। ପଞ୍ଚମ ତଥା ଚୂଡ଼ାନ୍ତ ମାମଲାରେ ତାଙ୍କୁ ୫ବର୍ଷ ଦଣ୍ଡାଦେଶ ମିଳିଥିଲା। ରାୟ ପ୍ରକାଶ ପରେ ଲାଲୁଙ୍କ ଲିଗାଲ ଟିମ୍ କହିଥିଲେ ଯେ ସେମାନେ ଏହା ବିରୋଧରେ ହାଇକୋର୍ଟରେ ଆବେଦନ କରିବେ। ଏହି ମାମଲ‌ାରେ ମଧ୍ୟ ତାଙ୍କୁ ଜାମିନ ମିଳିଯିବ ବୋଲି ସେମାନେ କହିଥିଲେ।

ସମ୍ବନ୍ଧିତ ଖବର