ପାଟନା: ଅପହରଣ ମାମଲାରେ ଗିରଫ ପରୱାନା ଜାରି ହେବା ପରେ ଆଇନ ମନ୍ତ୍ରୀଙ୍କ ବିଭାଗ ବଦଳାଇଲେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ବିହାର ମନ୍ତ୍ରିମଣ୍ଡଳର ସଂପ୍ରସାରଣ ପରେ ନୂତନ ମନ୍ତ୍ରୀମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ କରିଥିଲେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଗୃହ ବିଭାଗକୁ ନିଜ ନିକଟରେ ବଜାୟ ରଖିବା ସହ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ପ୍ରସାଦ ଯାଦବଙ୍କୁ ସ୍ୱାସ୍ଥ୍ୟ, ସଡ଼କ ନିର୍ମାଣ, ସହରୀ ଗୃହ ନିର୍ମାଣ ଏବଂ ବିକାଶ ଏବଂ ଗ୍ରାମୀଣ କାର୍ଯ୍ୟ ଭଳି ପ୍ରମୁଖ ବିଭାଗର ଦାୟିତ୍ବ ଦେଇଥିଲେ। ମୋଟ ୩୧ଜଣ ବିଧାୟକ ଶପଥ ଗ୍ରହଣ କରିଥିବା ବେଳେ ସେମାନଙ୍କ ଭିତରୁ ୧୦ଜଣଙ୍କ ନାଁରେ ଅପରାଧିକ ମାମଲା ଥିବା ନେଇ ଚର୍ଚ୍ଚା ହୋଇଥିଲା।

Advertisment

ଏହି ଚର୍ଚ୍ଚା ପରେ ବିହାର ମନ୍ତ୍ରିମଣ୍ଡଳର ଆଇନ ମନ୍ତ୍ରୀ କାର୍ତ୍ତିକେୟ ସିଂଙ୍କ ପାଖକୁ କୋର୍ଟଙ୍କ ନୋଟିସ ଆସିଥିଲା। ଆଇନ ମନ୍ତ୍ରୀ କାର୍ତ୍ତିକେୟ ସିଂଙ୍କ ବିରୋଧରେ ଆତ୍ମସମର୍ପଣ ପାଇଁ ୱାରେଣ୍ଟ ଜାରି କରିଥିଲେ କୋର୍ଟ। କାର୍ତ୍ତିକେୟ ସିଂଙ୍କ ବିରୋଧରେ ଅପହରଣ ମାମଲା ରୁଜୁ ହୋଇଥିବା ବେଳେ କୋର୍ଟ ୱାରେଣ୍ଟ ଜାରି କରି ତାଙ୍କୁ ଆତ୍ମସମର୍ପଣ କରିବାକୁ କହିଥିଲେ। ଏଭଳି ୱାରେଣ୍ଟ ପରେ କାର୍ତ୍ତିକେୟଙ୍କୁ ନେଇ ନୀତୀଶଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା। ଏବେ ସମାଲୋଚନା ପରେ ନୀତୀଶ କାର୍ତ୍ତିକେୟଙ୍କଠାରୁ ଆଇନ ବିଭାଗ ନେଇ ତାଙ୍କୁ ଆଖୁ ଶିଳ୍ପ ବିଭାଗର ଦାୟିତ୍ବ ଦେଇଛନ୍ତି। ଏବେ ଆଖୁ ଶିଳ୍ପ ବିଭାଗ ଦାୟିତ୍ବ ବୁଝୁଥିବା ଶମିମ୍ ଅହମ୍ମଦ ଆଇନ ବିଭାଗର ଦାୟିତ୍ବ ନେବେ।