ପାଟନା: ବିହାରରେ ବିଷାକ୍ତ ମଦ ଯୋଗୁଁ ହେଉଥିବା ମୃତ୍ୟୁ ପ୍ରସଙ୍ଗକୁ ନେଇ ରାଜନୀତି ସରଗରମ ହେବାରେ ଲାଗିଛି। ଲୋକ ଜନଶକ୍ତି ପାର୍ଟିର ସୁପ୍ରିମୋ ତଥା ସାଂସଦ ଚିରାଗ ପାସୱାନ ପୁଣି ଥରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଟାର୍ଗେଟ କରିଛନ୍ତି। ବିଷାକ୍ତ ମଦ ପାଇଁ ୨୦୦ରୁ ଅଧିକ ଲୋକଙ୍କ ଜୀବନ ଗଲାଣି। ବ୍ୟବଚ୍ଛେଦ ନକରାଇ ଅନ୍ତିମ ସଂସ୍କାର କରାଯାଉଥିବା କହିଛନ୍ତି ଚିରାଗ।
ସେ କହିଛନ୍ତି, ୨୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହେଲାଣି। ବିହାର ସରକାର ସତ୍ୟକୁ ଚାପି ଦେଉଛନ୍ତି। ବ୍ୟବଚ୍ଛେଦ ବିନା ଅନ୍ତିମ ସଂସ୍କାର କରାଯାଉଛି।ବିଷାକ୍ତ ମଦ୍ୟପାନ ଦ୍ୱାରା ମୃତ୍ୟୁ ଘଟିଛି ବୋଲି ନକହିବାକୁ ପରିବାର ଉପରେ ଚାପ ପକାଯାଉଛି। ସେମାନଙ୍କୁ ଜେଲକୁ ପଠାଯିବ ବୋଲି ଧମକ ଦିଆଯାଉଛି। ମୁଖ୍ୟମନ୍ତ୍ରୀଙ୍କ ନିରବତା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ରକ୍ଷା କରୁଛି।
ଉଲ୍ଲେଖଯୋଗ୍ୟ, ବିହାରର ଛପ୍ରା ଜିଲ୍ଲାରେ ବିଷାକ୍ତ ମଦ ଯୋଗୁଁ ମୃତ୍ୟୁସଂଖ୍ୟା ବର୍ତ୍ତମାନ ୭୦କୁ ବୃଦ୍ଧି ପାଇଛି। ଛପ୍ରା ବ୍ୟତୀତ ସାରନ, ସିୱାନ ଏବଂ ବେଗୁସରାୟରେ ମଦ୍ୟପାନ ହେତୁ ମୃତ୍ୟୁ ଘଟିଛି। ଏହାକୁ ନେଇ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିହାର ବିଧାନସଭାରେ କହିଥିଲେ ଯେ, ମଦ୍ୟପାନ ଯୋଗୁଁ ହେଉଥିବା ମୃତ୍ୟୁ ପାଇଁ କାହାକୁ କ୍ଷତିପୂରଣ ଦିଆଯିବ ନାହିଁ। ଯଦି କେହି ମଦ୍ୟପାନ କରିବ, ସେ ମରିବ। ଆମେ ଜାତିର ପିତା ବାପୁ ଦେଖାଇଥିବା ପଥ ଅନୁସରଣ କରୁଛୁ।
ଏହା ଉପରେ ପ୍ରତିକ୍ରିୟା ରଖି ଚିରାଗ କହିଛନ୍ତି, ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ମନ୍ତବ୍ୟ ଅତ୍ୟନ୍ତ ସମ୍ବେଦନଶୀଳ। 'ଯଦି କେହି ମଦ୍ୟପାନ କରିବ, ସେ ମରିବ' କହି ମୁଖ୍ୟମନ୍ତ୍ରୀ କିଛି ଠିକ କରିନାହାନ୍ତି।