ନୂଆଦିଲ୍ଲୀ: ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏଭଳି ପରିସ୍ଥିତିରେ ଯୁଦ୍ଧଗ୍ରସ୍ତ ଦେଶରେ ଫସି ରହିଥିବା ଭାରତୀୟ ରାକେଶ ଶଙ୍କର ନିଜର ଅନୁଭୂତି ବଖାଣିଛନ୍ତି।
ରାକେଶ କହିଛନ୍ତି, ମୁଁ ୟୁକ୍ରେନରେ ପତ୍ନୀ ଓ ଦୁଇ ଶିଶୁଙ୍କ ସହିତ ବସବାସ କରେ। ହଠାତ ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଯାଇଥିଲା। ଅନ୍ୟପଟେ ବିମାନ ଭଡ଼ା ବି ଏତେ ପରିମାଣରେ ବୃଦ୍ଧି ପାଇଛି ଯେ ମୋ ପକ୍ଷେ ବିମାନ ଟିକେଟ କାଟି ଯିବା ସମ୍ଭବ ନୁହେଁ। ଭାରତ ସରକାରଙ୍କୁ ରୁଷ ସହିତ ଆଲୋଚନା କରି ଶାନ୍ତି ଆଣିବାକୁ ଚେଷ୍ଟା କରିବା ଉଚିତ।
ୟୁକ୍ରେନ ପରିସ୍ଥିତି ବହୁତ ଖରାପ ହୋଇଯାଇଛି। ପୋଲାଣ୍ଡ ସୀମାରେ ଲକ୍ଷଲକ୍ଷ ଲୋକ ଛିଡ଼ା ହୋଇଛନ୍ତି। ଏଭଳି ପରିସ୍ଥିତିରେ ସ୍ତ୍ରୀ ଏବଂ ଦୁଇ ପିଲାଙ୍କୁ ନେଇ ବାହାରକୁ ବାହାରିବା ଉଚିତ ହେବ ନାହିଁ। କାମ ବନ୍ଦ ହୋଇଯିବାରୁ ଘରର ଖର୍ଚ୍ଚ ଉଠାଇବା ଅସୁବିଧା ହେଉଛି, ଏପରି କ୍ଷେତ୍ରରେ ବିମାନ ଟିକେଟ କାଟି ଯିବାର ବି ସମ୍ଭବ ନୁହେଁ। ଭଗବାନଙ୍କୁ ଡାକୁଛି ଖୁବଶୀଘ୍ର ପରିସ୍ଥିତି ଆୟତ୍ତକୁ ଆସୁ, ଆଉ ମୁଁ ସ୍ତ୍ରୀ ପିଲାଛୁଆଙ୍କୁ ନେଇ ବିହାର ଚାଲିଯାଏ।
ରାକେଶ ମୂଳତଃ ବିହାରର ବାସିନ୍ଦା। ସେ ୨୦୧୫ରେ ରୁଷ ଭାଷା ଶିକ୍ଷା କରିବା ପାଇଁ ୟୁକ୍ରେନ ଯାଇଥିଲେ। ଏହି ସମୟରେ ୟୁକ୍ରେନର ଅକ୍ସାନାଙ୍କ ସହିତ ତାଙ୍କର ଭେଟ ହୋଇଥିଲା। କିଛିଦିନ ବନ୍ଧୁତା ପରେ ରାକେଶ ଓ ଅକ୍ସାନା କୋର୍ଟ ମ୍ୟାରେଜ କରି ୟୁକ୍ରେନରେ ବସବାସ କରୁଥିଲେ। ବର୍ତ୍ତମାନ ତାଙ୍କର ଦୁଇଟି ସନ୍ତାନ ଅଛନ୍ତି।