ବିହାର ଉପମୁଖ୍ୟମନ୍ତ୍ରୀଙ୍କ ପୁଅ ବିବାହ ଉତ୍ସବରେ ନିଆରା ଷ୍ଟଲ: ଅଙ୍ଗଦାନ ପାଇଁ ହେଉଥିଲା ନାମ ପଞ୍ଜିକରଣ

ପାଟନା : ବିହାର ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦିଙ୍କ ପୁଅ ଉତ୍କର୍ଷ ମୋଦିଙ୍କ ବିବାହ ୟାମିନୀଙ୍କ ସହ ପାଟନାରେ ସଂପୂର୍ଣ୍ଣ ବୈଦିକ ରୀତିନୀତିରେ  ଧୁମ୍‌ଧାମ୍‌ରେ ସଂପନ୍ନ ହୋଇଛି। ତେବେ ଉତ୍କର୍ଷଙ୍କ ବିବାହ ଉତ୍ସବରେ ସବୁଠାରୁ ବିଶେଷ ଗୁରୁତ୍ୱପୂର୍ଣ୍ଣ ଦିଗଥିଲା ଅଙ୍ଗଦାନ ଷ୍ଟଲ। ଆର୍ଥାତ୍‌ ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି ତାଙ୍କ ପୁଅ ବିବାହ ଉତ୍ସବରେ ଏକ ଅଙ୍ଗଦାନ ଷ୍ଟଲ ଖୋଲିଥିଲେ। ଯେଉଁଥିରେ ୧୫୦ଜଣ ଅଙ୍ଗଦାନ ପାଇଁ ନାମ ପଞ୍ଜିକରଣ ମଧ୍ୟ କରିଛନ୍ତି।

ଉତ୍କର୍ଷଙ୍କ ବିବାହ ଉତ୍ସବରେ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲି, ମୁଖ୍ୟମନ୍ତ୍ରୀ ନିତିଶ କୁମାର ଓ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଓ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ ବି ସାମିଲ ଥିଲେ। ବିବାହ ଶେଷ ହେବା ପରେ ବର-ବଧୂ ଉପସ୍ଥିତ ଅତିଥିମାନଙ୍କଠାରୁ ଆଶୀର୍ବାଦ ନେଇଥିଲେ।

ଉତ୍କର୍ଷ ବେଙ୍ଗାଲୁରୁରେ ଏକ ଏମ୍‌ଏନ୍‌ସିରେ ଓ ୟାମିନୀ କୋଲକାତାରେ ଚାଟର୍ଡ ଆକାଉଣ୍ଟାଣ୍ଟ ଭାବେ କାମ କରନ୍ତି।
ଉତ୍କର୍ଷ ଓ ୟାମିନୀଙ୍କ ବିବାହକୁ ଏକ ଆଦର୍ଶ ବିବାହ ଭାବେ ଗ୍ରହଣ କରାଯାଇଛିି । ବିନା ଭୋଜି ଏବଂ ବିନା ବ୍ୟାଣ୍ଡବାଜା ଓ ବିନା ଯୌତୁକରେ ଏହି ବିବାହ ଉତ୍ସବ ଖୋଲା ଆକାଶ ତଳେ ସଂପନ୍ନ ହୋଇଥିଲା।

ଅତିଥିଙ୍କ ପାଇଁ କୌଣସି ଭୋଜି ଆୟୋଜନ ହୋଇ ନ ଥିବା ବେଳେ ଏହି ଅବସରରେ ପ୍ରସାଦ ସ୍ୱରୁପ ୪ଟି ଲେଖାଏଁ ଲଡ଼ୁ ଦିଆଯାଇଥିଲା। ଏହି ସମାରୋହରେ ବୈବାହିକ ବୈଦିକ ମନ୍ତ୍ରର ହିନ୍ଦୀ ଅନୁବାଦ ପୁସ୍ତିକା ଅତିଥିମାନଙ୍କୁ ଉପହାର ସ୍ୱରୁପ ଦିଆଯାଇଥିଲା। ଖାଦ୍ୟ ଷ୍ଟଲ ପାଖରେ ‘ଦଧିଚୀ ଦେହ ଦାନ ସମିତି’ ପକ୍ଷରୁ (ଏହି ଅଙ୍ଗଦାନ ସଙ୍ଗଠନ ସୁଶୀଲଙ୍କ ଦ୍ୱାରା ଗଠିତ)ଅଙ୍ଗଦାନ ଷ୍ଟଲ ବି ଥିବାର ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର