ଫାର୍ମରେ କ୍ରିକେଟ୍‌ ଖେଳୁଥିବା ପିଲାଙ୍କୁ ଘଉଡ଼ାଇବା ଲାଗି ଗୁଳି ଚଳାଇ ମାଡ଼ ଖାଇଲେ ବିହାର ମନ୍ତ୍ରୀଙ୍କ ପୁଅ

ପାଟନା: ତାଙ୍କ ଫାର୍ମରେ କ୍ରିକେଟ୍‌ ଖେଳୁଥିବା ଦଳେ ପିଲାଙ୍କୁ ଘଉଡ଼ାଇବା ଲାଗି ବିହାର ପର୍ଯ୍ୟଟନ ମନ୍ତ୍ରୀ ତଥା ‘ବିଜେପି’ ନେତା ନାରାୟଣ ପ୍ରସାଦଙ୍କ ପୁଅ ଫାଙ୍କା ଗୁଳି ଚାଳନା କରିଥିବା ଅଭିଯୋଗ ହୋଇଛି।

ଘଟଣାଟି ରବିବାର ଦିନ ବିହାରର ପଶ୍ଚିମ ଚମ୍ପାରଣ ଜିଲ୍ଲା ଅନ୍ତର୍ଗତ ହରିଦା ଗ୍ରାମରେ ଘଟିଛି। କ୍ରିକେଟ୍‌ ଖେଳୁଥିବା ଦଳେ ସ୍ଥାନୀୟ ପିଲାଙ୍କୁ ଫାର୍ମ ପଡ଼ିଆ ଛାଡ଼ି ଚାଲିଯିବାକୁ ମନ୍ତ୍ରୀଙ୍କ ପୁଅ ବବ୍‌ଲୁ ପ୍ରସାଦ କହିବାରୁ ବିବାଦ ଆରମ୍ଭ ହୋଇଥିଲା। କୁହାଯାଉଛି ବବ୍‌ଲୁ କିଛି ପିଲାଙ୍କୁ ଧକ୍କା ମାରିବା ପରେ ପିସ୍ତଲ୍‌ ବାହାର କରି ଶୂନ୍ୟକୁ ଗୁଳି ଚାଳନା କରିଥିଲେ। ଏହି ଘଟଣାରେ କେତେଜଣ ସ୍ଥାନୀୟ ବ୍ୟକ୍ତି ଆହତ ହୋଇଥିବା ମନେହେଉଛି।

ଗ୍ରାମବାସୀମାନେ ଏ କଥା ଶୁଣିବାକ୍ଷଣି ମନ୍ତ୍ରୀଙ୍କ ବାସଭବନରେ ପହଞ୍ଚି ତାଙ୍କ ଗାଡ଼ିକୁ ଭଙ୍ଗାଭଙ୍ଗି କରିବା ସହ ପୁଅ ବବ୍‌ଲୁକୁ ବହେ ମାଡ଼ ଦେଇଥିଲେ। ପରିସ୍ଥିତିକୁ ନିୟନ୍ତ୍ରଣାଧୀନ କରିବା ଲାଗି ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା।

Image Courtesy of NDTV

ତେଣେ, ବିହାର ମନ୍ତ୍ରୀ ନାରାୟଣ ପ୍ରସାଦ ଅଭିଯୋଗ କରିଛନ୍ତି ଯେ, ଗ୍ରାମବାସୀମାନେ ବେଆଇନ ଭାବେ ତାଙ୍କ ଜମି ଦଖଲ କରିବାକୁ ଉଦ୍ୟମ କରୁଛନ୍ତି। ଏଥିରେ ବାଧା ଦେଇଥିବା ତାଙ୍କ ସାନଭାଇକୁ ପ୍ରଥମେ ଗ୍ରାମବାସୀମାନେ ଆକ୍ରମଣ କରିବା ସହ ପରେ ତାଙ୍କ ପରିବାରର ଆଉ କେତେ ଜଣ ସଦସ୍ୟଙ୍କୁ ମଧ୍ୟ ମାରଧର କରିଛନ୍ତି।

ନିଉଜ୍‌ ଚାନେଲ୍‌ ପ୍ରସାରଣ କରୁଥିବା ଗତକାଲି ଘଟଣାର ଫୁଟେଜ୍‌ରେ ଦେଖାଯାଉଛି, ଦଳେ ଗ୍ରାମବାସୀ ମନ୍ତ୍ରୀଙ୍କ ପୁଅକୁ ମାଡ଼ ଦେବା ସହ ତାଙ୍କ ପିସ୍ତଲଟିକୁ ବି ଛଡ଼ାଇ ନେଉଛନ୍ତି।

ଅନ୍ୟ ଆହତ ବ୍ୟକ୍ତିଙ୍କ ସହ ଡାକ୍ତରଖାନାରେ ଭର୍ତ୍ତି ‌ହୋଇଥିବା ମନ୍ତ୍ରୀଙ୍କ ପୁଅ କିନ୍ତୁ, ଫାଙ୍କା ଗୁଳି ଚଳାଇଥିବା କଥାକୁ ଅସ୍ବୀକାର କରୁଛନ୍ତି। ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌  ଉପେନ୍ଦ୍ର ବର୍ମାଙ୍କ କହିବା ଅନୁସାରେ, ମନ୍ତ୍ରୀଙ୍କ ପୁଅଙ୍କ ସହିତ ଦାଦି ହରେନ୍ଦ୍ର ପ୍ରସାଦ, ମ୍ୟାନେଜର୍‌ ବିଜୟ ଏବଂ ଅନ୍ୟ ସହଯୋଗୀମାନେ ଥିଲେ। ସଂଘର୍ଷରେ ସେମାନେ ମଧ୍ୟ ଆହତ ହୋଇଛନ୍ତି।

ସମ୍ବନ୍ଧିତ ଖବର