ବିପିସିସି ପଦରୁ ଅଶୋକ ଚୌଧୁରୀଙ୍କ ହଟାଇବା କଂଗ୍ରେସ ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ବିହାର ବିଧାୟକଙ୍କ ନାପସନ୍ଦ

ପାଟନା: ବିହାର ପ୍ରଦେଶ କଂଗ୍ରେସ କମିଟି ଅଧ୍ୟକ୍ଷ ପଦରୁ ଅଶୋକ ଚୌଧୁରୀଙ୍କୁ ହଟାଇବାନେଇ କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧୀଙ୍କ ନିଷ୍ପତ୍ତିକୁ ବିହାରର ବିଧାୟକମାନେ ନାପସନ୍ଦ କରିଛନ୍ତି। କଂଗ୍ରେସ ହାଇକମାଣ୍ଡ ବିହାର ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରୀ ଅଧ୍ୟକ୍ଷଭାବେ କେ କାଦ୍ରିଙ୍କୁ ନିଯୁକ୍ତି ଦେବା ପରେ ବିଧାୟକମାନଙ୍କ ଅସନ୍ତୋଷ ପଦାକୁ ବାହାରିଛି। ଗତକାଲି ଯେତେବେଳେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ କାଦ୍ରିଙ୍କ ଦାୟିତ୍ୱ ଗ୍ରହଣ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା, ସେତେବେଳେ ବିହାରର ୨୭ ଜଣ ବିଧାୟକଙ୍କ ମଧ୍ୟରୁ୨୬ ଜଣ ଅନୁପସ୍ଥିତ ରହିଥିଲେ। ବିଧାୟକମାନଙ୍କ ଅନୁପସ୍ଥିତି ଅଶୋକ ଚୌଧୁରୀଙ୍କ ପ୍ରତି ସେମାନଙ୍କ ସମର୍ଥନ ଅଛି ବୋଲି ପରୋକ୍ଷ ସୂଚନା ଦେବା ସହିତ ବିହାର ପ୍ରସଙ୍ଗରେ କଂଗ୍ରେସ ହାଇକମାଣ୍ଡ ଭୁଲ ନିଷ୍ପତ୍ତି ନେଇଛନ୍ତି ବୋଲି ମଧ୍ୟ ଚେତାଇ ଦେଇଛନ୍ତି। ତେବେ ଏହାକୁ ରାଜନୈତିକ ବିଶ୍ଳେଷକମାନେ ଭିନ୍ନ ଦୃଷ୍ଟିରେ ଦେଖୁଛନ୍ତି। ଚୌଧୁରୀଙ୍କ ବିରୋଧରେ ଦଳବଦଳ ଆଇନ କାର୍ଯ୍ୟକାରୀ ହେବାର ସମ୍ଭାବନା ମଧ୍ୟ କମ୍‌ ଦେଖାଯାଉଛି। ଦଳବଦଳର ଆଇନରୁ ବର୍ତ୍ତିବା ପାଇଁ ଚୌଧୁରୀଙ୍କୁ ୧୮ ଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟକ ଥିବା ବେଳେ ବର୍ତ୍ତମାନ ୨୬ ଜଣ ବିଧାୟକ ନୂତନ କାର୍ଯ୍ୟକାରୀ ସଭାପତି କାଦ୍ରିଙ୍କ ଦାୟିତ୍ୱ ନେବା ଉତ୍ସବରେ ଅନୁପସ୍ଥିତ ରହିବା ଅଶୋକ ଚୌଧୁରୀଙ୍କ ସମର୍ଥନ ବୃଦ୍ଧି କରିବ ବୋଲି ଆଲୋଚନା ହେଉଛି।

ଯେତେବେଳେ କଂଗ୍ରେସ କାର୍ଯ୍ୟାଳୟଠାରେ କାଦ୍ରି କାର୍ଯ୍ୟକାରୀ ଅଧ୍ୟକ୍ଷଭାବେ ଦାୟିତ୍ୱ ନେଉଥିଲେ ସେତେବେଳେ ସେହି କାର୍ଯ୍ୟକ୍ରମରେ ଏକମାତ୍ର ବିଧାୟକଭାବେ ସିଦ୍ଧାର୍ଥ ଯୋଗ ଦେଇଥିଲେ। ମାତ୍ର ସେହି ସମୟାରେ ୧୫ରୁ ଊର୍ଧ୍ୱ ବିଧାୟକ ଓ ବିଧାନପରିଷଦ ସଦସ୍ୟ ଅଶୋକ ଚୌଧୁରୀଙ୍କ ଘରେ ପହଞ୍ଚି ତାଙ୍କ ପ୍ରତି ନିଜ ସମର୍ଥନ ଜାହିର କରିଥଲେ।

ପ୍ରଦେଶ କଂଗ୍ରେସ ସଭାପତି ପଦରୁ ଅଶୋକ ଚୌଧୁରୀଙ୍କୁ ଯେପରି ହଟାଗଲା, ତାକୁ ନେଇ ବିଭିନ୍ନ ସ୍ତରରେ ଅସନ୍ତୋଷ ଦେଖାଦେଇଛି। ନିଜେ ବିଦାୟୀ ବିହାର ପ୍ରଦେଶ କମିଟିର ସଭାପତି ଅଶୋକ ଚୌଧୁରୀ କହିଛନ୍ତି ଯେ ତାଙ୍କୁ ଏପରି ଭାବେ ପଦରୁ ହଟାଯିବ, ସେ କଥା ସେ ଭାବି ନ ଥିଲେ। ଜଣେ ଦଳିତ ନେତା ଯାହାର ଦୁଇ ପିଢ଼ୀ ବିହାରରେ କଂଗ୍ରେସ ଦଳ ପାଇଁ କାର୍ଯ୍ୟ କରିଛନ୍ତି ତାଙ୍କୁଏପରିଭାବେ ହଟାଯିବା ଅପମାନଜନକ ଓ ଦୁର୍ଭଗ୍ୟପୂର୍ଣ୍ଣ ବୋଲି ଶ୍ରୀ ଚୌଧୁରୀ କହିଛନ୍ତି। ତେବେ ଏ ନେଇ ପ୍ରତିକ୍ରିୟା ଦେଇ କାଦ୍ରି କହିଛନ୍ତି, ଏହି କଂଗ୍ରେସ ହିଁ ଶ୍ରୀ ଚୌଧୁରୀଙ୍କୁ ମନ୍ତ୍ରୀ ଓ ଦଳର ରାଜ୍ୟ ସଭାପତି କରିଥିଲା।

ତେବେ ଦାୟିତ୍ୱ ନେବା ପୂର୍ବରୁ କାଦ୍ରି କଂଗ୍ରେସ ବିଧାୟକ ଦଳ ନେତା ସଦାନନ୍ଦ ସିଂହଙ୍କୁ ତାଙ୍କ ବାସଭବନରେ ଭେଟି ତାଙ୍କ ସମର୍ଥନ ଭିକ୍ଷା କରିଥିଲେ। ବିଧାୟକ ଦଳ ନେତା ଶ୍ରୀ ସିଂହ କହିଥିଲେ, ହାଇକମାଣ୍ଡ କାର୍ଯ୍ୟକାରୀ ସଭାପତି ନେଇ ଯେଉଁ ନିଷ୍ପତ୍ତି ନେଇଛନ୍ତି, ସେହି ନିଷ୍ପତ୍ତିକୁ ସମ୍ମାନ ଦିଆଯିବ।। ପରେ ଦାୟିତ୍ୱ ନେବା ପରେ ସମଗ୍ର ରାଜ୍ୟରେ ନୀତିଶକୁମାରଙ୍କ ଜନବିରୋଧୀ ନିତୀ ଉପରେ କଂଗ୍ରେସ ଆନ୍ଦୋଳନ କରିବ ବୋଲି କାଦ୍ରି ଘୋଷଣା କରିଛନ୍ତି। କଂଗ୍ରେସର ସମସ୍ତ ବର୍ଗର ନେତା ଓ କର୍ମୀ ମିଳିତଭାବେ କାର୍ଯ୍ୟ କରିବାକୁ ଶ୍ରୀ କାଦ୍ରି ଆହ୍ଵାନ ଦେଇଛନ୍ତି।

ସମ୍ବନ୍ଧିତ ଖବର