ଝିଅ ବୋଲି କିଡ୍‌ନୀ ଦେବାକୁ ମନା କରିଦେଲେ ମାତା-ପିତା, ଏବେ ମୃତ୍ୟୁକୁ ଚାହିଁ ବସିଛି କାଞ୍ଚନ

ପାଟନା : ପୂର୍ବରୁ ପୁଅ-ଝିଅ ମଧ୍ୟରେ ଭେଦଭାବ କରାଯାଉଥିବା ବେଳେ ଏବେ ସେଭଳି ପରିସ୍ଥିତିରେ ସୁଧାର ଆସିବାରେ ଲାଗିଛି । କେନ୍ଦ୍ର ସରକାର ବେଟି ବଚାଓ ବେଟି ପଢ଼ାଅ ଅଭିଯାନ ଆରମ୍ଭ କରିବା ପରେ ଲୋକମାନେ ପୁଅ ମାନଙ୍କ ଭଳି ଝିଅ ମାନଙ୍କୁ ମଧ୍ୟ ପ୍ରାଧାନ୍ୟ ଦେଉଥିବା ଜଣା ପଡ଼ିଛି । କିନ୍ତୁ ଏବେ ମଧ୍ୟ କିଛି ସ୍ଥାନରେ ଲୋକେ ନିଜ ଝିଅମାନଙ୍କୁ ବୋଝ ବୋଲି ଭାବୁଥିବା ସାମ୍ନାକୁ ଆସିଛି । ବିହାରର ଏକ ସରକାରୀ ଡାକ୍ତରଖାନାରେ ଭର୍ତ୍ତିଥିବା କାଞ୍ଚନ କୁମାରୀଙ୍କ ସହ ଘଟିଥିବା ଘଟଣା ତାହା ପ୍ରମାଣ କରିଛି ।

Meaww

ସୂଚନା ମୁତାବକ, ମାଟ୍ରିକ୍‌ ପରୀକ୍ଷାରେ ଖୁବ୍‌ କଷ୍ଟ କରି ପାଠ ପଢ଼ିବା ସହ ପ୍ରଥମ ସ୍ଥାନ ଗ୍ରହଣ କରିଥିଲେ କାଞ୍ଚନ । ପ୍ରଥମ ସ୍ଥାନ ଗ୍ରହଣ କରିବା ପରେ ସେ କଲେଜରେ ଯାଇ ପାଠ ପଢ଼ିବାର ସ୍ୱପ୍ନ ଦେଖିଥିଲେ । କିନ୍ତୁ କିଛି ଦିନ ପରେ ହଠାତ୍‌ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇ ଯାଇଥିଲା । ପରୀକ୍ଷା ପରେ କାଞ୍ଚନଙ୍କ ଦୁଇଟି ଯାକ କିଡ୍‌ନୀ ନଷ୍ଟ ହୋଇ ସାରିଥିବା କହିଥିଲେ ଡାକ୍ତର । ପ୍ରତିରୋପଣ ହିଁ ଏକମାତ୍ର ବାଟ ବୋଲି ଡାକ୍ତର ଜଣାଇବା ପରେ କାଞ୍ଚନ ଏକ ଝିଅ ବୋଲି ତାଙ୍କ ମାତା-ପିତା କିଡ୍‌ନୀ ଦାନ କରିବାକୁ ମନା କରି ଦେଇଥିବା ଜଣା ପଡ଼ିଛି । ଏହା ସହ ତାଙ୍କୁ ସରକାରୀ ଡାକ୍ତରଖାନାରୁ ଆଣି ଶେଖ୍‌ପୂରାର ସଦର ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି ମାତା-ପିତା । ସାହାଯ୍ୟ ପାଇଁ କେହି ନଥିବା ବେଳେ କାଞ୍ଚନ ଏବେ ମୃତ୍ୟୁର ଅପେକ୍ଷାରେ । ତାଙ୍କୁ ବଞ୍ଚାଇବା ପାଇଁ ପରିବାର ପକ୍ଷରୁ କୌଣସି ଚେଷ୍ଟା କରାଯାଉ ନାହିଁ । ଏଭଳି ଘଟଣା ଦେଶର ଅସଲ ସ୍ଥିତିକୁ ସାମ୍ନାକୁ ଆଣିଛି ।

ସମ୍ବନ୍ଧିତ ଖବର