ବିହାର ରାଜନୈତିକ ସଂକଟ: ନୀତୀଶ ପ୍ରକୃତରେ ଚାହାନ୍ତି କ’ଣ?

ପାଟନା : କ୍ଷମତା ପାଇଁ ନୀତୀଶ କୁମାର ବାରମ୍ବାର ଗୋଠ ବଦଳାଇଛନ୍ତି। ଏବେ ପୁଣି ସେ ପ୍ରଭାବଶାଳୀ ଅଂଶୀଦାର ବିଜେପି ଦ୍ବାରା ଚାପରେ ରହୁଥିବା ଅନୁଭବ କରୁଛନ୍ତି। ଆର୍‌ସିପି ସିଂହ ଏକନାଥ ସିନ୍ଦେ ହୋଇ ନ ଥିଲେ ମଧ୍ୟ ନୀତୀଶ ଭାବୁଛନ୍ତି ବିଜେପି ତାଙ୍କୁ ଅଧିକ ଦିନ ମୁଖ୍ୟମନ୍ତ୍ରୀ ଗାଦିରେ ରହିବାକୁ ଦେବ ନାହିଁ। ଆହୁରି ସମସ୍ୟା ହେଉଛି ଆର୍‌ଜେଡିର ତେଜସ୍ବୀ ଯାଦବ ନୀତୀଶଙ୍କୁ ବିଶ୍ବାସ କରିବା ଲାଗି ଯଥେଷ୍ଟ କାରଣ ନାହିଁ। ପୁଣି ଜେଡିୟୁ ବିରୋଧରେ ବହୁଛି ସ୍ବାଭାବିକ ସତ୍ତାରୂଢ଼ ଦଳବିରୋଧୀ (ଆଣ୍ଟି-ଇନ୍‌କମ୍ବେନ୍ସି) ଧାରା। ବିଜେପି ବି ଜାଣିଛି ନୀତୀଶ କୁମାରଙ୍କୁ ଛାଡ଼ି ୨୦୨୪ ଅଭିମୁଖେ ଗଲେ ତାହା ଏକ ଭୁଲ୍ ସାମାଜିକ-ରାଜନୈତିକ ବାର୍ତ୍ତା ପ୍ରଦାନ କରିବ। ତେଣୁ ସେ ନିଜ ଆଡ଼ୁ ନୀତୀଶଙ୍କୁ ଛାଡ଼ିବନି। ଏମିତି ସ୍ଥିତିରେ ବିହାର ରାଜନୀତିରେ ଦେଖାଦେଇଛି ଝିନ୍‌ଝଟ।

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଙ୍ଗଳବାର ତାଙ୍କ ଦଳର ସବୁ ସାଂସଦ ଓ ବିଧାୟକଙ୍କର ଏକ ବୈଠକ ଡାକିଛନ୍ତି। ଜାଣିବାଶୁଣିବା ଲୋକଙ୍କ କହିବା ଅନୁସାରେ ସେ ବିଜେପିଠାରୁ ଦୂରେଇବା ଲାଗି ଦଳୀୟ ନେତାମାନଙ୍କ ମତ ନେବାକୁ ଚାହାନ୍ତି। ମୋଦୀ ସରକାରରେ ଏକମାତ୍ର କ୍ୟାବିନେଟ୍ ମନ୍ତ୍ରୀ ଥିବା ଜେଡିୟୁର ବରିଷ୍ଠ ନେତା ଆର୍‌ସିପି ସିଂହ ଇସ୍ତଫା ଦେଇ ନୀତୀଶଙ୍କ ଉପରେ ବର୍ଷିବା ଓ ଜେଡିୟୁକୁ ବୁଡ଼ିଲା ଜାହାଜ କହିବା ପରେ ଏ ବୈଠକ ଡାକରା।

tfipost.com

ଜେଡିୟୁ କହିଛି ଯେ, ବିଜେପି କୁଆଡ଼େ ମହାରାଷ୍ଟ୍ରର ଶିବସେନା ପରେ ତାଙ୍କ ଦଳକୁ ଭାଙ୍ଗିବାକୁ ଚାହୁଛି। ଅପରପକ୍ଷେ ଅମିତ ଶାହ ନିକଟରେ କହିଛନ୍ତି ଯେ ଜେଡିୟୁ କୁଆଡ଼େ କହୁଛି ୨୦୨୪ ସାଧାରଣ ନିର୍ବାଚନ ଏବଂ ତା’ପର ବର୍ଷ ହେବାକୁ ଥିବା ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ବିଜେପି ସହ ମେଣ୍ଟ ହେବ କି ନା ଠିକ୍ ହୋଇନାହିଁ। ସମ୍ଭାବ୍ୟ ଫଟାଫଟିର ଏହା ସୂଚନା। ବିଜେପିର ପରମ ଶତ୍ରୁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ସହ ନୀତୀଶ ଫୋନ୍‌ରେ କଥା ହେବା ପରେ ସେ ବିଜେପି ହାତଛାଡ଼ି ପୁଣି କଂଗ୍ରେସ, ଆର୍‌ଜେଡି ଓ ବାମଦଳ ସହ ମେଣ୍ଟ କରିବାର ସମ୍ଭାବନା ଉଜ୍ଜ୍ବଳତର ହୋଇଛି।

ଅନ୍ୟପଟେ ବିହାରରେ ବିଜେପିକୁ କ୍ଷମତା ଅଳିନ୍ଦରୁ ବାହାରେ ରଖିବାକୁ ହେଲେ ବିରୋଧୀ ଦଳଗୁଡ଼ିକୁ ଜେଡିୟୁ ସହ ମେଣ୍ଟ କରିବା ଛଡ଼ା ଅନ୍ୟ ବିକଳ୍ପ ନାହିଁ। ୨୦୧୯ରେ ମହାରାଷ୍ଟ୍ରରେ ବି ସେମିତି ହୋଇଥିଲା। ବିରୋଧୀଏ ମିଶି ଶିବସେନା ସହ ମେଣ୍ଟ କରିଥିଲେ। ଅବଶ୍ୟ ଏକନାଥ ସିନ୍ଦେ ବିଦ୍ରୋହ କରି ଗତ ଜୁନ ମାସରେ ଖେଳ ବଦଳେଇ ଦେଲେ। ବିହାରର ଏକକ ବୃହତ୍ତମ ଦଳ ଆର୍‌ଜେଡି ଏ ସମ୍ପର୍କରେ କହିଛି ଯେ, ତାଙ୍କ ପାଇଁ କ’ଣ ଭଲ ହେବ ତାହା ରାଜ୍ୟବାସୀ ସ୍ଥିର କରିବେ।
ତେବେ ମଙ୍ଗଳବାରର ବୈଠକ ପରେ କୋଉ ପାଣି କୁଆଡ଼କୁ ଯାଉଛି ତାହା ଜଣାପଡ଼ିଯିବ।

ସମ୍ବନ୍ଧିତ ଖବର