ବିହାର ରାଜନୀତି ସରଗରମ: ବିଜେପି-ଜେଡିୟୁ ସମ୍ପର୍କରେ ଫାଟ

ମହାମେଣ୍ଟକୁ ଫେରିବା ନିଷ୍ପତ୍ତି ଆଜି, ଉପମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ବରିଷ୍ଠ ନେତାଙ୍କ ବୈଠକ

ପାଟନା : ବିହାରରେ ବିଜେପି-ଜେଡିୟୁ ମେଣ୍ଟ ସରକାରର ସମ୍ପର୍କରେ ଫାଟ ସୃଷ୍ଟି ହୋଇଛି। ନିଜକୁ ଚାପଗ୍ରସ୍ତ ଅନୁଭବ କରୁଛନ୍ତି ଜନତା ଦଳ ସଂଯୁକ୍ତ (ଜେଡିୟୁ) ମୁଖିଆ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଙ୍ଗଳବାର ଦଳର ସାଂସଦ ଓ ବିଧାୟକଙ୍କର ଏକ ବୈଠକ ଡକାଇଛନ୍ତି। ଏହି ବୈଠକରେ ଦଳୀୟ ନେତାମାନଙ୍କ ମତାମତ ନେଇ ସେ ଅନ୍ତିମ ନିଷ୍ପତ୍ତି ନେବେ ବୋଲି ଦଳର ଜଣେ ବରିଷ୍ଠ ନେତା ତଥା ନୀତୀଶଙ୍କ ଘନିଷ୍ଠ ସହଯୋଗୀ ମନ୍ତ୍ରୀ ବିଜୟ ଚୌଧୁରୀ କହିଛନ୍ତି।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ, ସୋମବାର ଦିନ ବିଜେପି ନେତା ତଥା ଉପମୁଖ୍ୟମନ୍ତ୍ରୀ ତାରକିଶୋର ପ୍ରସାଦଙ୍କ ସହ ନୀତୀଶ କୁମାର ଏକ ବୈଠକ କରିଛନ୍ତି। ତେବେ, ବୈଠକ ପରେ ନୀତୀଶ କହିଛନ୍ତି, ‘ସେମିତି କିଛି ଗୁରୁତର ସମସ୍ୟା ନାହିଁ।’ ଅନ୍ୟପକ୍ଷରେ, ବିଜେପି ବି ତା’ର ନେତାମାନଙ୍କୁ ତାଗିଦ୍‌ କରି ବିବାଦ ସମ୍ପର୍କରେ କିଛି ବି ମନ୍ତବ୍ୟ ନ ଦେବାକୁ ଏବଂ ମଙ୍ଗଳବାର ନୀତୀଶଙ୍କ ନିଷ୍ପତ୍ତି ଯାଏ ଅପେକ୍ଷା କରିବାକୁ କହିଛନ୍ତି। ଉପମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ ସତ୍ତ୍ବେ ବିଜେପି ହାତ ଛାଡ଼ିବାପାଇଁ ଜେଡିୟୁ ଏକପ୍ରକାର ମାନସିକ ପ୍ରସ୍ତୁତି ନେଇସାରିଥିବା ଜଣାପଡ଼ିଛି। ବିଜେପି ମେଣ୍ଟଧର୍ମକୁ ସମ୍ମାନ ଦେଉନାହିଁ ଏବଂ ନୀତୀଶଙ୍କ ବିରୋଧରେ କାମ କରୁଛି ବୋଲି ଜେଡିୟୁ ନେତାମାନେ ଅଭିଯୋଗ କରିଛନ୍ତି। ସେମାନେ ବିଜେପି ଜାତୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ମନ୍ତବ୍ୟ- ‘କେବଳ ବିଜେପି ରହିବ, ଆଉ ସବୁ ଦଳ ଉଭେଇଯିବେ’କୁ ପ୍ରମାଣସ୍ବରୂପ ଉଲ୍ଲେଖ କରିଛନ୍ତି।

ସୋନିଆଙ୍କ ସହ ଫୋନରେ କଥାହେଲେ ନୀତୀଶ

ଅନ୍ୟ ଏକ ସୂଚନା ଅନୁସାରେ ନୀତୀଶ କୁମାର ବିଜେପି ହାତ ଛାଡ଼ିବାକୁ ଚାହୁଥିଲେ ମଧ୍ୟ ବିଧାୟକମାନେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ଚାହୁନାହାନ୍ତି। ତେଣୁ ମେଣ୍ଟ ବଦଳାଇଲେ ହିଁ ଜେଡିୟୁ ସରକାରରେ ରହିବ ଏବଂ ବିଜେପିଠାରୁ ଛାଡ଼ପତ୍ର ନେବା ବି ହେବ। ଆର୍‌ଜେଡିର ତେଜସ୍ବୀ ଯାଦବ କହିଛନ୍ତି, ନୀତୀଶ ଯଦି ବିଜେପି ହାତ ଛାଡ଼ିବେ ତେବେ ସେ ତାଙ୍କୁ ସମର୍ଥନ କରିବାକୁ ପ୍ରସ୍ତୁତ ଅଛନ୍ତି। ବର୍ତ୍ତମାନ ବିହାରରେ ଏକକ ବୃହତ୍ତମ ଦଳ ହେଉଛି ଆର୍‌ଜେଡି। ଯଦି ଜେଡିୟୁକୁ ଆର୍‌ଜେଡି ଓ କଂଗ୍ରେସ ଉଭୟ ସମର୍ଥନ କରନ୍ତି ତେବେ ସରକାର ଗଠନ ସମ୍ଭବ ହେବ।

The Indian Express

ବିଜେପି ଉପରେ ନୀତୀଶଙ୍କ କ୍ରୋଧର କାରଣ ହେଲା ସେ ଭାବୁଛନ୍ତି, ବିଜେପି ସଂଖ୍ୟାରେ ଅଧିକ ହୋଇଥିବାରୁ ତାଙ୍କୁ ସଖୀ କଣ୍ଢେଇ ପରି ନଚେଇବାକୁ ଚାହୁଛି। ‌ଗୃହମନ୍ତ୍ରୀ ଅମିତ ଶାହ କେନ୍ଦ୍ରରୁ ବିହାରକୁ ‘ରିମୋଟ୍ କଣ୍ଟ୍ରୋଲ୍’ କରିବାକୁ ଚାହୁଛନ୍ତି। ଏହାର ପ୍ରତିବାଦ କରିବାକୁ ଯାଇ ନୀତୀଶ କୁମାର ଅମିତ ଶାହ କିମ୍ବା ପ୍ରଧାନମନ୍ତ୍ରୀଙ୍କ ବୈଠକକୁ ଯାଇ ନ ଥିଲେ। ଗତକାଲି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ନିତି ଆୟୋଗ ବୈଠକକୁ ବି ସେ ଦେହ ଖରାପ ଥିବା ଆଳରେ ବର୍ଜନ କରିଛନ୍ତି। ‌କିନ୍ତୁ, ଏଣେ ଦୁଇଟି ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଏ ସଂକଟର ଅନ୍ୟତମ ସୂତ୍ରଧର ହେଉଛନ୍ତି ନୀତୀଶଙ୍କ ପୁରୁଣା ଘନିଷ୍ଠ ସହଯୋଗୀ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଆର୍‌ସିପି ସିଂହ। ଜେଡିୟୁ ତାଙ୍କ ଉପରେ ଦୁର୍ନୀତି ଅଭିଯୋଗ ଲଗାଇବାରୁ ସେ ଶନିବାର ସନ୍ଧ୍ୟାରେ ଦଳରୁ ଇସ୍ତଫା ଦେଇଛନ୍ତି। ବିଗତଦିନରେ ଦଳ ପକ୍ଷରୁ ତାଙ୍କୁ ରାଜ୍ୟସଭା ପାଇଁ ଟିକେଟ ଦିଆ ନ ଯିବାରୁ ସେ ତାଙ୍କର ମନ୍ତ୍ରିପଦ ହରାଇଛନ୍ତି। କେନ୍ଦ୍ରରେ ନୀତୀଶ କୁମାର ଅଧିକ ମନ୍ତ୍ରିପଦ ଚାହୁଥିବା ବେଳେ ତାଙ୍କ ଦଳକୁ ମାତ୍ର ଗୋଟିଏ ମନ୍ତ୍ରିପଦ ଦିଆଯାଇଥିଲା ଏବଂ ସେ ହେଉଛନ୍ତି ଏଇ ଆର୍‌ସିପି ସିଂହ। ତିକ୍ତତା ଦୂର କରିବା ପାଇଁ ଅମିତ ଶାହ ନିକଟରେ ପାଟନା ଗସ୍ତରେ ଆସିଥିବା ବେଳେ କହିଥିଲେ ଯେ ୨୦୨୪ ନିର୍ବାଚନରେ ନୀତୀଶ କୁମାର ହିଁ ତାଙ୍କ ମେଣ୍ଟର ମୁଖିଆ ହେବେ। କିନ୍ତୁ, ଜେଡିୟୁ ପକ୍ଷରୁ ଲଲନ ସିଂହ କହିଥିଲେ ଯେ ପରବର୍ତ୍ତୀ ନିର୍ବାଚନରେ କାହାସହ ମେଣ୍ଟ ହେବ ତାହା ସ୍ଥିର ହୋଇନାହିଁ। ତେବେ ଯାହା ସ୍ଥିର ହେବ ତାହା ମଙ୍ଗଳବାର ହିଁ ଜଣାପଡ଼ିବ।

ଅନ୍ୟପକ୍ଷରେ, ବିଜେପି- ଜେଡିୟୁ ମେଣ୍ଟରେ ତିକ୍ତତା ଉପୁଜିବାରୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସୋମବାର ଦିନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ସହ ଫୋନ୍‌ରେ କଥା ହୋଇଥିବା କୁହାଯାଇଛି। କିନ୍ତୁ କ’ଣ କଥା ହୋଇଛନ୍ତି ତାହା ସ୍ପଷ୍ଟ ହୋଇନି।

ସମ୍ବନ୍ଧିତ ଖବର