ବର୍ଷକ ମଧ୍ୟରେ ବଦଳିଥିଲେ ୩ ମୁଖ୍ୟମନ୍ତ୍ରୀ, ୧୦୦ ଦିନରୁ ଅଧିକ ଦିନ କରିପାରିନଥିଲେ ଶାସନ

ପାଟନା: ବିହାର ବିଧାନସଭା ନିର୍ବାଚନରେ ​​ନୀତୀଶ କୁମାରଙ୍କ ନେତୃତ୍ୱରେ ଲଢ଼ିବାକୁ ଏନଡିଏ ପୁଣି ଥରେ ନିଷ୍ପତ୍ତି ନେଇଥିବାବେଳେ ତେଜସ୍ୱୀ ଯାଦବ ମହାଗଠବନ୍ଧନ ପକ୍ଷରୁ ନେତୃତ୍ୱ ନେଉଛନ୍ତି। ତେବେ ଆଜି ଆମେ ଆପଣଙ୍କୁ ବିହାର ରାଜନୀତିରେ ଏମିତି ଏକ ଅସ୍ଥିରତା ବାବଦରେ କହିବୁ, ଯେତେବେଳେ ଗୋଟିଏ ବର୍ଷରେ ଚାରିଜଣ ମୁଖ୍ୟମନ୍ତ୍ରୀ ରାଜ୍ୟକୁ ଶାସନ କରିଥିଲେ । ଏଥିମଧ୍ୟରୁ ତିନିଜଣ ମୁଖ୍ୟମନ୍ତ୍ରୀ ମାତ୍ର ୫ ମାସ ଧରି ଅର୍ଥାତ କେହି ମଧ୍ୟ ୧୦୦ ଦିନରୁ ଅଧିକ ଦିନ ଶାସନ କରିପାରିନଥିଲେ | ସୂଚନା ଥାଉ କି ୧୯୬୭ରେ ବିହାର ବିଧାନସଭା ନିର୍ବାଚନରେ ​​କଂଗ୍ରେସ ୩୧୮ ମଧ୍ୟରୁ ୧୨୮ ଟି ଆସନ ପାଇଥିବାବେଳେ ୟୁନାଇଟେଡ୍ ସୋସିଆଲିଷ୍ଟ ପାର୍ଟି ୬୮ ଟି ଆସନ ପାଇଥିଲା । ଏହା ବ୍ୟତୀତ ଜନସଂଘ ୨୬, ସିପିଆଇ ୨୪, ପ୍ରଜା ସୋସିଆଲିଷ୍ଟ ୧୮, ୩୩ ଜଣ ନିର୍ଦ୍ଦଳିୟ ଏବଂ ୧୩ ଟି ଅନ୍ୟାନ୍ୟ ଦଳ ସିଟ୍ ପାଇଥିଲେ ।

ଏହା ପରେ ଜନକ୍ରାନ୍ତି ଦଳର ନେତା ମହାମାୟା ପ୍ରସାଦ ସିହ୍ନା ମୁଖ୍ୟମନ୍ତ୍ରୀ ହୋଇଥିଲେ, ଯାହାଙ୍କୁ ସୋସିଆଲିଷ୍ଟ ପାର୍ଟି, ବାମପନ୍ଥୀ ଦଳ ଓ ଜନସଂଘ ସମର୍ଥନ କରିଥିଲେ। ମହାମାୟା ପ୍ରସାଦ ଏକ ବର୍ଷ ପାଇଁ ମଧ୍ୟ ଶାସନ କରିପାରିନଥିଲେ | ଯାହାଫଳରେ ୨୮ ଜାନୁୟାରୀ ୧୯୬୮ ରେ ସରକାର ଭାଙ୍ଗିଯାଇଥିଲା | ମହାମାୟା ପ୍ରସାଦ ସିହ୍ନାଙ୍କ ଇସ୍ତଫା ପରେ ସତୀଶ ପ୍ରସାଦ ସିଂ କୁଶୱାହା ମିଳିତ ସମାଜବାଦୀ ପାର୍ଟି ପକ୍ଷରୁ କଂଗ୍ରେସର ସମର୍ଥନରେ ପୁଣି ଗାଦିରେ ବସିଥିଲେ | ଏବଂ ୧ ଫେବୃଆରୀ ୧୯୬୮ ରେ ଇସ୍ତଫା ଦେଇଥିଲେ। ଏହା ପରେ ୟୁନାଇଟେଡ୍ ସୋସିଆଲିଷ୍ଟ ପାର୍ଟିର ବିପି ମଣ୍ଡଳ ମୁଖ୍ୟମନ୍ତ୍ରୀ ହୋଇଥିଲେ । ମାର୍ଚ୍ଚ ୨, ୧୯୬୮ ରେ ତାଙ୍କ ସରକାର ଭାଙ୍ଗିଯାଇଥିଲା ।

ଏହା ପରେ କଂଗ୍ରେସ, ଦଳିତ ନେତା ଭୋଲା ପାସୱାନ ଶାସ୍ତ୍ରୀଙ୍କ ନେତୃତ୍ୱରେ ସରକାର ଗଠନ କରିଥିଲା। ୨୨ ମାର୍ଚ୍ଚ ୧୯୬୮ ରେ ଭୋଲା ପାସୱାନ୍ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ, କିନ୍ତୁ ୨୯ ଜୁନ୍ ୧୯୬୮ ରେ ତାଙ୍କ ସରକାରର ପତନ ହୋଇଥିଲା। ଏହା ପରେ ବିହାରରେ ରାଷ୍ଟ୍ରପତିଙ୍କ ଶାସନ ଲାଗୁ କରାଯାଇଥିଲା। ବିହାରରେ ପ୍ରାୟ ପାଞ୍ଚ ମାସ ରାଷ୍ଟ୍ରପତିଙ୍କ ଶାସନ ରହିବା ପରେ କଂଗ୍ରେସ ପୁଣିଥରେ ସରକାର ଗଠନ କଲା ଏବଂ ୧୯୭୦ ରେ ହରିହର ସିଂ ମୁଖ୍ୟମନ୍ତ୍ରୀ ହୋଇଥିଲେ। ତେବେ ଏଥର ମଧ୍ୟ ସରକାର ଚଲାଇ ପାରିନଥିଲେ ଏବଂ ଏହା ପରେ ଭୋଲା ପାସୱାନ୍ ପୁଣିଥରେ ମୁଖ୍ୟମନ୍ତ୍ରୀ ହୋଇଥିଲେ ଏବଂ ମାତ୍ର ୧୩ ଦିନ ପରେ ଇସ୍ତଫା ଦେବାରୁ ରାଷ୍ଟ୍ରପତିଙ୍କ ଶାସନ ଲାଗୁ କରିବାକୁ ପଡିଲା। ପ୍ରକାଶ ଥାଉକି, ପାଞ୍ଚ ମାସ ପରେ ପୁଣି ଥରେ ୧୯୭୦ ରେ, ବାମପନ୍ଥୀ ଦଳ ମାଧ୍ୟମରେ ସରକାର ଗଠନ ପାଇଁ କଂଗ୍ରେସ ଉଦ୍ୟମ କଲା ଏବଂ ଏହି ସମୟରେ ଦାରୁଗା ପ୍ରସାଦ ଯାଦବ ମୁଖ୍ୟମନ୍ତ୍ରୀ ହୋଇଥିଲେ, କିନ୍ତୁ ତାଙ୍କୁ ଏକ ବର୍ଷ କାର୍ଯ୍ୟକାଳ ପୂରଣ କରିବା ପୂର୍ବରୁ ଇସ୍ତଫା ଦେବାକୁ ପଡ଼ିଲା | ଏହା ପରେ ସୋସିଆଲିଷ୍ଟ ପାର୍ଟିର କର୍ପୁରୀ ଠାକୁର ମୁଖ୍ୟମନ୍ତ୍ରୀ ହୋଇଥିଲେ ମଧ୍ୟ ତାଙ୍କୁ ପ୍ରାୟ ପାଞ୍ଚ ମାସ ପରେ ଇସ୍ତଫା ଦେବାକୁ ପଡିଲା। ଏହିପରି ଭାବରେ, ଭୋଲା ପାସୱାନ୍ ତୃତୀୟ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ହୋଇଥିଲେ ଏବଂ ଏଥର ୨୨୨ ଦିନ କ୍ଷମତାରେ ରହିଲେ |

ସମ୍ବନ୍ଧିତ ଖବର