ବିହାର ରାଜନୀତି: ଅଷ୍ଟମ ଥର ପାଇଁ ଶପଥ ନେଲେ ନୀତୀଶ

ଜାତୀୟସ୍ତରରେ ପ୍ରଭାବ ପକାଇବ, ବିଜେପି ପାଇଁ ବଡ଼ ଚ୍ୟାଲେଞ୍ଜ ୨୦୨୪

ନୂଆଦିଲ୍ଲୀ: ନୀତୀଶ କୁମାର ଏନ୍‌ଡିଏରୁ ଓହରିଯିବା ପ‌ରେ ବିଜେପିକୁ ଶକ୍ତ ଝଟ୍‌କା ଲାଗିଛି। ମହାରାଷ୍ଟ୍ରରେ କ୍ଷମତାକୁ ଫେରି ବିଜେପି ଯେଉଁ ଖୁସି ମନାଉଥିଲା ବିଜେପିର ସେହି ଖୁସି ଏବେ ପାଣିଚିଆ ହୋଇଯାଇଛି। ବିହାରରେ ବିଜେପି ପାଇଁ ଉପୁଜିଥିବା ରାଜନୈତିକ ସଙ୍କଟ ଜାତୀୟ ରାଜନୀତିକୁ ପ୍ରଭାବିତ କରିବା ସମ୍ଭାବନା ରହିଛି। ଏହି ମର୍ମରେ ନୀତୀଶ କୁମାର ବୁଧବାର ଦିନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସିଧାସଳଖ ଚ୍ୟା‌ଲେଂଜ ବି ଦେଇଛନ୍ତି। ବିହାରରେ ବଦଳିଥିବା ରାଜନୈତିକ ସ୍ଥିତି ପାଇଁ ୨୦୧୪ ପରି ୨୦୨୪ ସାଧାରଣ ନିର୍ବାଚନ ମୋଦୀଙ୍କ ନିମନ୍ତେ ଆଦୌ ସହଜ ହେବନି।

୨୦୧୯ ଲୋକସଭା ନିର୍ବାଚନରେ ଏନ୍‌ଡିଏ ମେଣ୍ଟ ବିହାରରେ ୪୦ ଲୋକସଭା ଆସନରୁ ୩୯ଟିରେ ଜିତିଥିଲା। ୨୦୨୦ ବିଧାନସଭା ନିର୍ବାଚନରେ ବିଜେପିର ପ୍ରଦର୍ଶନ ଜେଡିୟୁଠାରୁ ବହୁତ ଭଲ ଥିଲା। ନୀତୀଶ ଏଥିପାଇଁ ନିଜକୁ ଖୁବ୍‌ ଅସୁରକ୍ଷିତ ମନେ କରିଥିଲେ। କିନ୍ତୁ ବିଜେପି ୨୦୨୪କୁ ଦୃଷ୍ଟିରେ ରଖି ନୀତୀଶଙ୍କୁ ଯଥେଷ୍ଟ ସନ୍ତୁଷ୍ଟ କରିବାକୁ ଚେଷ୍ଟା କରିଥିଲା। ଦଳର ବିଧାୟକ ସଂଖ୍ୟା ଅଧିକ ଥିଲେ ମଧ୍ୟ ବିଜେପି ନୀତୀଶଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲା। ନୀତୀଶ କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି ବୋଲି ବିଜେପିର ଭୟ ଥିଲା। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୨ ଥର ପାଟନା ଯାଇ ନୀତୀଶଙ୍କ ସହ କଥା ହୋଇଥିଲେ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ କହିଥିଲେ ଯେ ୨୦୨୫ ପର୍ଯ୍ୟନ୍ତ ନୀତୀଶ ରାଜ୍ୟର ମୁଖ୍ୟମନ୍ତ୍ରୀ ରହିବେ। କିନ୍ତୁ ଏହା ସତ୍ତ୍ବେ ନୀତୀଶ କେବେଠାରୁ ଆର୍‌ଜେଡି ସହ ଭିତିରିଆ ହାତ ମିଳାଇ ସାରିଥିଲେ ଏବଂ ଶେଷରେ ସେ ବିଜେପି ହାତ ଛାଡ଼ି ମହାମେଣ୍ଟରେ ମିଶିଛନ୍ତି। ଅନ୍ୟପକ୍ଷେ ବିଜେପିର ଭୟ ବି ସତ ପ୍ରମାଣିତ ହୋଇଛି। ୨୦୧୫ ବିଧାନସଭା ନିର୍ବାଚନରେ ବିହାରରେ ଏନ୍‌ଡିଏ ମେଣ୍ଟକୁ ଯେଉଁଭଳି ପରାଜୟ ସ୍ବୀକାର କରିବାକୁ ପଡ଼ିଥିଲା ୨୦୨୪ରେ ଏହାର ପୁନରାବୃତ୍ତି ହୋଇପାରେ। ୨୦୨୪ ସାଧାରଣ ନିର୍ବାଚନ ବିଜେପି ପାଇଁ ଏକ ବଡ଼ ଚ୍ୟାଲେଂଜ ହେବ। ୨୦୧୫‌ରେ ବିହାରରେ ମହାମେଣ୍ଟ କ୍ଷମତାକୁ ଆସିଥିଲା। ଆର୍‌ଜେଡି -ଜେଡିୟୁ ମିଳିତ ଭାବେ ବିପୁଳ ଭୋଟ୍‌ରେ ବିଜୟୀ ହୋଇଥିଲେ। ଆର୍‌ଜେଡି-‌ଜେଡିୟୁକୁ ମୁସଲିମ, ଯାଦବ ଏବଂ ପଛୁଆ ବର୍ଗ ଭୋଟ୍‌ ମିଳିଥିଲା। ୨୦୧୫ ବିଧାନସଭା ନିର୍ବାଚନରେ ଆର୍‌ଜେଡି ୮୦ ଆସନରେ ଜିତିଥିବାବେଳେ ଜେଡିୟୁ ୭୧ ଏବଂ ବିଜେପିକୁ ମାତ୍ର ୫୩ ଆସନ ମିଳିଥିଲା।

ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ପ୍ରଥମ ବୃହତ୍‌ ରାଜ୍ୟ ବିହାରରେ ବିଜେପି କ୍ଷମତା ହରାଇଲା । ଏହା ବିରୋଧୀ ଦଳମାନଙ୍କ ମଧ୍ୟରେ ଏକ ନୂଆ ଆଶା ସଞ୍ଚାର କରିଛି। ଜାତୀୟସ୍ତରରେ ବଡ଼ ପରିବର୍ତ୍ତନ ଆ‌ସିପାରେ। ନୀତୀଶ କୁମାର ଆଜି ଶପଥ ନେବାପରେ ୨୦୨୪ ନିର୍ବାଚନ ପାଇଁ ବିରୋଧୀ ଦଳଙ୍କୁ ଏକଜୁଟ ହେବାପାଇଁ ଆହ୍ବାନ ଦେଇ ସାରିଛନ୍ତି। ଏଥିରୁ ଜଣାପଡ଼ୁଛି ଯେ ୨୦୨୪ ଲୋକସଭା ନିର୍ବାଚନରେ ନୀତୀଶ ବିରୋଧୀ ଦଳମାନଙ୍କର ନେତୃତ୍ବ ନେଇପାରନ୍ତି। ୨୦୨୪ ନିର୍ବାଚନ ପାଇଁ ଆଉ ୨ ବର୍ଷ ବାକିଥିଲେ ବି ଏହା ବିଜେପିର ମୁଣ୍ଡବ୍ୟଥା ବଢ଼ାଇଛି। ଉଭୟ ନୀତୀଶ ଏବଂ ବିଜେପିର ଆଗାମୀ ରଣନୀତି କ’ଣ ହେବ ତା’ ଉପରେ ସମସ୍ତଙ୍କ ନଜର ରହିଛି।

ପାଟନା: ରେକର୍ଡ ଅଷ୍ଟମ ଥର ପାଇଁ ନୀତୀଶ କୁମାର ଆଜି ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଏଥି ସହ ସେ ଆର୍‌ଜେଡି ଓ ଅନ୍ୟ ଦଳ ସହ ମିଶି ନୂଆ ‘ମହାମେଣ୍ଟ’ ଓ ନୂଆ ବିଜେପି-ବିହୀନ ସରକାର ଗଢ଼ିଛନ୍ତି। ଆର୍‌ଜେଡି ନେତା ତେଜସ୍ବୀ ଯାଦବ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଶପଥ ଗ୍ରହଣ ଉତ୍ସବ ପରେ ପରେ ହିଁ ନୀତୀଶ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚ୍ୟାଲେଞ୍ଜ କରି ପ୍ରଶ୍ନ କରିଛନ୍ତି ୨୦୨୪ରେ ସେ ପୁନଃ ପ୍ରଧାନମନ୍ତ୍ରୀ ହୋଇପାରିବେ କି? ନୀତୀଶ କହିଛନ୍ତି ଯେ ସେ ପ୍ରଧାନମନ୍ତ୍ରୀ ପଦ ପାଇଁ ଲାଳାୟିତ ନୁହନ୍ତି। କିନ୍ତୁ ସେ ପଚାରିବାକୁ ଚାହାନ୍ତି ଯେ ୨୦୧୪ରେ ଯିଏ ବହୁସଂଖ୍ୟାରେ ଜିତି ପ୍ରଧାନମନ୍ତ୍ରୀ ହୋଇଥିଲେ, ୨୦୨୪ରେ ସେ ଜିତିପାରିବେ କି? ଏଥି ସହ ନୀତୀଶ ବାରମ୍ବାର ଆଶ୍ବାସନା ଦେଇଥିଲେ ଯେ ‘ବିରୋଧୀ ଏକତା’ ପାଇଁ ସେ କଠିନ ପରିଶ୍ରମ କରିବେ।

ରାଷ୍ଟ୍ରୀୟ ଜନତା ଦଳର ତେଜସ୍ବୀ ଯାଦବଙ୍କ ସହ ମିଶି ଏବଂ ନୂଆ ମହାମେଣ୍ଟର ନେତୃତ୍ବ ନେଇ ନୀତୀଶ କୁମାର ରାଜ୍ୟରେ ନୂଆ ସରକାର ଗଢ଼ିଛନ୍ତି। ନୀତୀଶ କହିଛନ୍ତି ଯେ ୨୦୨୦ରେ ନିର୍ବାଚନ ଫଳାଫଳ ଯାହା ହେଲା ସେଥିରେ ସେ ମୁଖ୍ୟମନ୍ତ୍ରୀ ହେବାକୁ ଚାହୁ ନ ଥିଲେ କିନ୍ତୁ ତାଙ୍କ ଉପରେ ଚାପ ପକାଗଲା। ନୀତୀଶ ଜନାଦେଶକୁ ଅସମ୍ମାନ କରିଛନ୍ତି ଏବଂ ଲୋକଙ୍କୁ ନିରାଶ କରିଛନ୍ତି ବୋଲି ବିଜେପିର ଅଭିଯୋଗ ଉପରେ ଉତ୍ତର ଦେଇ ସେ କହିଲେ ଯେ ସେ ଲୋକଙ୍କ ସହିତ ଅଛନ୍ତି କି ନା ତାହା ସେମାନଙ୍କୁ କହିବାକୁ ଦିଆଯାଉ। ବିଜେପି ପକ୍ଷରୁ ପାଟନାରେ ଆଜି ବିରାଟ ପ୍ରତିବାଦ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ଏବଂ ପ୍ରତି ଜିଲ୍ଲାରେ ବି ଦଳ ପକ୍ଷରୁ ପ୍ରତିବାଦ କରାଯିବ ବୋଲି କୁହାଯାଇଛି। ରାଜ୍ୟ ବିଜେପି ମୁଖ୍ୟ ସଞ୍ଜୟ ଜୟସ୍ବାଲ କହିଛନ୍ତି ଯେ ବିହାର କେବେ ବି ନୀତୀଶ କୁମାରଙ୍କୁ କ୍ଷମା କରିବ ନାହିଁ। ପୁଣି ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି ଯେ ନୀତୀଶ ଉପରାଷ୍ଟ୍ରପତି ହେବାକୁ ଚାହୁଥିଲେ। ତାହା କରା ନ ଯିବାରୁ ସେ ବିହାରରେ ବିଜେପି ସହ ମେଣ୍ଟ ଭାଙ୍ଗିଲେ। ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନ ବିଜେପିର ରାଜ୍ୟସଭା ସଦସ୍ୟ ଥିବା ସୁଶୀଲ ମୋଦି କହିଛନ୍ତି ଯେ ଜେଡିୟୁ ଲୋକେ କୁଆଡ଼େ ଆସି ତାଙ୍କୁ କହିଥିଲେ ଯେ ନୀତୀଶଙ୍କୁ ଉପରାଷ୍ଟ୍ରପତି କରାଯାଉ ଏବଂ ସେ (ସୁଶୀଲ) ମୁଖ୍ୟମନ୍ତ୍ରୀ ହେବେ।

ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତାରକିଶୋର ପ୍ରସାଦ କହିଛନ୍ତି ଯେ ଅମିତ ଶାହ ମେଣ୍ଟକୁ ବଞ୍ଚେଇବା ପାଇଁ ନୀତୀଶଙ୍କ ସହ କଥା ହୋଇଥିଲେ। କିନ୍ତୁ ନୀତୀଶଙ୍କ ଉଚ୍ଚାକାଂକ୍ଷା ଏତେ ବିଶାଳ ଯେ ସେ ଆଉ ମେଣ୍ଟ ଉପରେ ଭରସା କରିପାରିଲେ ନାହିଁ। ନୀତୀଶ କୁମାରଙ୍କ ଆଉ ଏକ ଆଶଙ୍କା ଜାତ ହେଲା ଯେ ମହାରାଷ୍ଟ୍ର ପରି ବିଜେପି ବିହାରରେ ଜେଡିୟୁକୁ ଭାଙ୍ଗିଦେଇ ପାରେ ଏବଂ ଏଥିପାଇଁ ବରିଷ୍ଠ ଜେଡିୟୁ ନେତା ଆର୍‌ସିପି ସିଂହଙ୍କୁ ବ୍ୟବହାର କରାଯାଇପାରେ। ସରକାରର କାର୍ଯ୍ୟକାଳ ଅଧାରେ ସଙ୍ଗୀ ବଦଳାଇବା ନୀତୀଶ କୁମାରଙ୍କ ଏକ ପ୍ରତିଷ୍ଠିତ ଧାରାରେ ପରିଣତ ହୋଇଛି। ସେଥିପାଇଁ ତାଙ୍କର ଆଦର୍ଶଗତ ନମନୀୟତା ଓ କ୍ଷମତା ଲାଳସାକୁ ବିଭିନ୍ନ ମହଲରୁ ସମାଲୋଚନା କରାଯାଉଛି। ୨୦୧୩ରେ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଘୋଷଣା ପରେ ସେ ବିଜେପି ସହ ଦୀର୍ଘକାଳର ସମ୍ପର୍କ ତୁଟାଇ ଦେଇଥିଲେ। ୨୦୧୫ରେ ସେ ଲାଲୁ ଯାଦବ ଓ କଂଗ୍ରେସ ସହ ମିଶି ସରକାର ଗଢ଼ିଥିଲେ। ୨୦୧୭ରେ ତେଜସ୍ବୀ ଯାଦବଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିବା ପରେ ସେମାନଙ୍କୁ ଛାଡ଼ି ପୁଣି ବିଜେପି ସହ ମିଶି ସରକାର ଗଢ଼ିଲେ। ଆଜି ପୁଣି ଆରଜେଡି ସହ ମିଶି ସରକାର ଗଢ଼ିଛନ୍ତି।

ସମ୍ବନ୍ଧିତ ଖବର