ବିହାର ନିର୍ବାଚନ: ଛିଣ୍ଡିଲା ଭାଗବଣ୍ଟା; ଜେଡି(ୟୁ) ୧୨୨ ଓ ବିଜେପି ୧୨୧ ଆସନରେ ଲଢ଼ିବ

ନୂଆଦିଲ୍ଲୀ: ଆଗାମୀ ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ ନାମାଙ୍କନପତ୍ର ଦାଖଲ କରିବାକୁ ଆଉ ମାତ୍ର ଦୁଇ ଦିନ ବାକି ଥିବାବେଳେ ଭାରତୀୟ ଜନତା ପାର୍ଟି (ବିଜେପି) ଏବଂ ନୀତୀଶ କୁମାରଙ୍କ ଜନତା ଦଳ (ୟୁନାଇଟେଡ୍‌) ମଙ୍ଗଳବାର ଅପରାହ୍ନରେ ଆସନ ବଣ୍ଟନ ନେଇ ବୁଝାମଣା ଚୂଡ଼ାନ୍ତ ହୋଇଛି ବୋଲି ଘୋଷଣା କରିଛନ୍ତି।

ଏକ ମିଳିତ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଘୋଷଣା କରିଛନ୍ତି ଯେ ୨୪୩ଟି ଆସନ ମଧ୍ୟରୁ ଜେଡି(ୟୁ)କୁ ୧୨୨ଟି ଆସନ ଦିଆଯାଇଛି ଏବଂ ଏହି ୧୨୨ ଆସନ ମଧ୍ୟରୁ ହିଁ ଜେଡି(ୟୁ) ଜିତନ ରାମ ମାଂଝୀଙ୍କ ହିନ୍ଦୁସ୍ତାନ ଆୱାମ ମୋର୍ଚ୍ଚା (ଏଚ୍‌ଏଏମ୍‌)କୁ ୭ଟି ଆସନ ଦେବ। ଉଲ୍ଲେଖଯୋଗ୍ୟ, ଇତିମଧ୍ୟରେ ଏଚ୍‌ଏଏମ୍‌ ନିଜର ୭ ଜଣ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିସାରିଛି।

ବିଜେପି ନିକଟରେ ଅବଶିଷ୍ଟ ୧୨୧ଟି ଆସନ ରହିଛି। ନୀତୀଶ କୁମାରଙ୍କ କହିବା ଅନୁଯାୟୀ ବିଜେପି ଏବଂ ବିକାଶଶୀଳ ଇନସାନ ପାର୍ଟି ମଧ୍ୟରେ ଆଲୋଚନା ଚାଲିଛି। ଯଦି ସେମାନଙ୍କ ଆଲୋଚନା ସଫଳ ହୁଏ, ତେବେ ବିଜେପି ନିଜ କୋଟାରୁ ସେମାନଙ୍କୁ କିଛି ଆସନ ଦେବ। ତେବେ, ବିଜେପି ତୁଳନାରେ ଜେଡି(ୟୁ) କମ୍‌ ଆସନରେ ବିଜୟୀ ହେଲେ ବି ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ହେବେ ବୋଲି ବିଜେପି ସ୍ପଷ୍ଟ କରି ଦେଇଛି।

ଉଲ୍ଲେଖଯୋଗ୍ୟ, ବିହାରରେ ତିନି ପର୍ଯ୍ୟାୟରେ ହେବାକୁ ଥିବା ମତଦାନର ପ୍ରଥମ ପର୍ଯ୍ୟାୟ ଅକ୍ଟୋବର୨୮ରେ ହେବ।

ସମ୍ବନ୍ଧିତ ଖବର