ନୂଆଦିଲ୍ଲୀ: ଜାତିଗତ ସର୍ଭେ ପରେ ତଥ୍ୟ ପ୍ରକାଶ କରିବାରେ ବିହାର ହେଉଛି ଦେଶର ପ୍ରଥମ ରାଜ୍ୟ। ଏହି ସର୍ଭେର ଫଳାଫଳରୁ ଜଣାପଡ଼ିଛି ଯେ, ରାଜ୍ୟର ୩୬ ପ୍ରତିଶତ ଲୋକ ହେଉଛନ୍ତି ଅତିଶୟ ପଛୁଆ, ୨୭.୧ ପ୍ରତିଶତ ହେଉଛନ୍ତି ପଛୁଆ, ୧୯.୭ ପ୍ରତିଶତ ଅନୁସୂଚିତ ଜାତି ଏବଂ ୧.୭ ପ୍ରତିଶତ ହେଉଛନ୍ତି ଅନୁସୂଚିତ ଜନଜାତି ବର୍ଗର। ବାକି ୧୫.୫ ପ୍ରତିଶତ ହେଉଛନ୍ତି ସାଧାରଣ ବର୍ଗର। ରାଜ୍ୟର ମୋଟ ଜନସଂଖ୍ୟା ହେଉଛି ୧୩.୧ କୋଟି। ରାଜ୍ୟରେ ଓବିସି (ଅନ୍ୟାନ୍ୟ ପଛୁଆ ବର୍ଗ)ର ସବୁଠାରୁ ବଡ଼ ଗୋଷ୍ଠୀ ହେଉଛନ୍ତି ଯାଦବ, ଯେଉଁମାନେ ମୋଟ ଓବିସି ସଂଖ୍ୟାର ୧୪.୨୭ ପ୍ରତିଶତ ବୋଲି ରିପୋର୍ଟରୁ ଜଣାପଡ଼ିଛି। ଏଥିରେ ରାଜ୍ୟରେ ଓବିସିମାନଙ୍କର ପ୍ରାଧାନ୍ୟ ସ୍ବୀକାର୍ଯ୍ୟ। ଗାନ୍ଧୀ ଜୟନ୍ତୀ ଅବସରରେ ଏହି ତଥ୍ୟ ପ୍ରକାଶ ପାଇଥିବାରୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆନନ୍ଦ ପ୍ରକାଶ କରିଛନ୍ତି। ଏହି ଜାତିଭିତ୍ତିକ ଜନଗଣନା ଉପରେ ଖୁବ୍ଶୀଘ୍ର ବିରୋଧୀ ବିଜେପି ସମେତ ୯ଟି ରାଜନୈତିକ ଦଳକୁ ନେଇ ଏକ ବୈଠକ ଅନୁଷ୍ଠିତ ହେବ। ଜନଗଣନାର ଫଳାଫଳ ସମ୍ବନ୍ଧରେ ସବୁ ଦଳକୁ ଅବଗତ କରାଯିବ ବୋଲି ନୀତୀଶ କୁମାର କହିଛନ୍ତି। ବର୍ତ୍ତମାନ ରାଜ୍ୟରେ ସମସ୍ତ ନୀତି ନିର୍ଦ୍ଧାରଣରେ ଏହି ଜାତି ଆଧାରିତ ଜନଗଣନାର ତଥ୍ୟକୁ ବ୍ୟବହାର କରାଯିବ ବୋଲି ସେ କହିଛନ୍ତି।
ଅତି ପଛୁଆ ବର୍ଗ ୩୬%
୧୯.୭% ଏସ୍ସି, ୧.୭% ଏସ୍ଟି
ମୋଟ ଜନସଂଖ୍ୟା ୧୩.୧ କୋଟି
ସର୍ଭେ ଟିମ୍କୁ ନୀତୀଶଙ୍କ ପ୍ରଶଂସା
ଐତିହାସିକ ମୁହୂର୍ତ୍ତ: ଲାଲୁ
ଭେଳିକି ଛଡ଼ା ଆଉ କିଛି ନୁହେଁ: ଗିରିରାଜ
ବିହାରର ବହୁ-ପ୍ରତୀକ୍ଷିତ ଜାତିଗତ ଜନଗଣନା ରିପୋର୍ଟ ପ୍ରକାଶ ପାଇବା ପରେ ଏହାକୁ ନେଇ ରାଜନୈତିକ ବାକଯୁଦ୍ଧ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଟ୍ବିଟ୍ କରି ସର୍ଭେ ଟିମ୍କୁ ପ୍ରଶଂସା କରିଥିବା ବେଳେ ବିଜେପି ସମାଲୋଚନା କରିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆର୍ଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ମଧ୍ୟ ସର୍ଭେକୁ ପ୍ରଶଂସା କରି ଏହା ଏକ ଐତିହାସିକ ମୁହୂର୍ତ୍ତ ବୋଲି କହିଛନ୍ତି। ବିଜେପିର ଷଡ଼୍ଯନ୍ତ୍ର ଓ ଆଇନଗତ ବାଧା ସତ୍ତ୍ବେ ବିହାର ସରକାର ଜାତିଗତ ଜନଗଣନା ରିପୋର୍ଟ ପ୍ରକାଶ କରିବାରେ ସଫଳ ହୋଇଛନ୍ତି। ଗରିବ ଓ ଅବହେଳିତ ବର୍ଗର ବିକାଶ ପାଇଁ ଯୋଜନା ପ୍ରଣୟନ କରିବାରେ ଏହି ଜାତିଗତ ଜନଗଣନା ସାହାଯ୍ୟ କରିବ ବୋଲି ଲାଲୁ କହିଛନ୍ତି। ତେବେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ଭିନ୍ନମତ ପୋଷଣ କରି କହିଛନ୍ତି ଯେ, ଏହି ଜାତିଗତ ଜନଗଣନା ରାଜ୍ୟର ଗରିବ ଓ ସାଧାରଣ ଜନତାଙ୍କ ମଧ୍ୟରେ ‘ଭ୍ରମ’ ସୃଷ୍ଟି କରିବ। ସେମାନେ ବରଂ ରିପୋର୍ଟ ପ୍ରକାଶ କରିବା କଥା ଯେ, ନୀତୀଶ କୁମାର ୧୮ ବର୍ଷ ଓ ଲାଲୁ ୧୫ ବର୍ଷ ଶାସନ କଲେ କିନ୍ତୁ ରାଜ୍ୟର କିଛି ବିକାଶ କରିନାହାନ୍ତି। ଏ ଜାତିଗତ ଜନଗଣନା ରିପୋର୍ଟ କେବଳ ‘ଆଇ ୱାସ୍’ (ଭେଳିକି) ଛଡ଼ା ଆଉ କିଛି ନୁହେଁ।
ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ଦିଗ୍ବିଜୟ ସିଂହ କହିଛନ୍ତି, ଯଦି ତାଙ୍କ ଦଳ କ୍ଷମତାକୁ ଆସେ ତେବେ ମଧ୍ୟପ୍ରଦେଶରେ ଜାତିଗତ ଜନଗଣନା କରିବ।