ବିହାରରେ ସୋମବାରଠାରୁ ଖୋଲିବ ସ୍କୁଲ ଓ କଲେଜ, ୫୦ ପ୍ରତିଶତ ଉପସ୍ଥାନ ସହ ଏମିତି ହେବ କ୍ଲାସ

ପାଟନା: ଲକଡାଉନ କଟକଣା ଯୋଗୁଁ ବିହାରରେ ବନ୍ଦ ରହିଥିବା ସ୍କୁଲ , କଲେଜ ଓ ବିଶ୍ୱବିଦ୍ୟାଳୟ ସୋମବାର ଠାରୁ ଖୋଲିବାକୁ ଯାଉଛି । ୫୦ ପ୍ରତିଶତ ଉପସ୍ଥାନ ସହ ଏହି ଶିକ୍ଷାନୁଷ୍ଠାନ ଖୋଲିବା ନେଇ ସରକାର ସୂଚନା ଦେଇଛନ୍ତି । ସ୍କୁଲ ଆସୁଥିବା ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଓ କର୍ମଚାରୀମାନଙ୍କ ପାଇଁ କୋଭିଡ କଟକଣା ବାଧ୍ୟତାମୂଳକ କରାଯାଇଛି । ଅଧା ଛାତ୍ରଛାତ୍ରୀଙ୍କ ପାଇଁ ଗୋଟିଏ ଦିନ ଓ ଅନ୍ୟ ଅଧା ଛାତ୍ରଛାତ୍ରୀଙ୍କ ପାଇଁ ଗୋଟିଏ ଦିନ କ୍ଲାସ ହେବ । ଏହା ଦ୍ୱାରା ଶ୍ରେଣୀରେ ସମାଜିକ ଦୂରତା ନିୟମ ପାଳନ କରିବା ସୁବିଧା ହେବ ବୋଲି କୁହାଯାଇଛି ।

ବିହାରର ଅତିରିକ୍ତ ମୁଖ୍ୟ ସଚିବ ସଂଜୟ କୁମାର ଏନେଇ ଘୋଷଣା କରିଛନ୍ତି । ସେ କହିଛନ୍ତି କି, ଜୁଲାଇ ୧୨ ତାରିଖ ଠାରୁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ କୋଭିଡ ଗାଇଡଲାଇନ ମଧ୍ୟରେ ଖୋଲାଯିବ । ରାଜ୍ୟରେ କମୁଥିବା କରୋନା ସଂକ୍ରମଣକୁ ନଜରରେ ରଖି ସରକାର ଏଭଳି ପଦକ୍ଷେପ ନେଇଛନ୍ତି ।

How do teachers feel about going back to the classroom? | The Educator K/12
The Educator Online

ଅନ୍ୟପଟେ ହରିଆଣାରେ ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଜୁଲାଇ ୧୬ ତାରିଖରୁ ସ୍କୁଲ ଖୋଲିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ହରିଆଣା ସରକାର କହିଛନ୍ତି କି, ଛାତ୍ରଛାତ୍ରୀମାନେ ଅବିଭାବକଙ୍କଠାରୁ ଅନୁମତି ପତ୍ର ଆଣି ସ୍କୁଲ ଆସିପାରିବେ । ଏହାସହ ଗୁୁଜୁରାଟ ସରକାର ବି ଜୁଲାଇ ୧୫ରୁ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ।

ସୂଚନା ମୁତାବକ, ଜୁଲାଇ ୭ ତାରିଖ ବୈଠକ ପରେ ବିହାର ସରକାର କୋଭିଡ କଟକଣାରେ କୋହଳ କରିଛନ୍ତି । ଜିମ୍, କ୍ଲବ ଓ ସ୍ୱିମିଂ ପୁଲ ୫୦ ପ୍ରତିଶତ କ୍ଷମତା ସହ ଖୋଲିବାକୁ ଅନୁମତି ଦିଆଯାଇଛି । ଏହାସହ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ, ଶିକ୍ଷକ ଓ କର୍ମଚାରୀଙ୍କ ପାଇଁ ସ୍ୱତନ୍ତ୍ର ଟିକାକରଣ ବ୍ୟବସ୍ଥା କରାଯିବ ବୋଲି ବିହାର ସରକାର ସୂଚନା ଦେଇଛନ୍ତି ।

ସମ୍ବନ୍ଧିତ ଖବର