ବିହାର ଲଜ୍ଜା: ମୁଖ୍ୟମନ୍ତ୍ରୀ ବିହାର ଦର୍ଶନ ଯୋଜନାରେ ବୁଲିବାକୁ ଯାଇଥିବା ୫୬ ଛାତ୍ରଛାତ୍ରୀ ରାସ୍ତାରେ ଗଡ଼ି ରାତି ବିତାଇଲେ

ପାଟ୍‌ନା: ବିହାରରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି। ପୂର୍ବ ଚାମ୍ପରନରେ ଥିବା ସରକାରୀ ହାଇସ୍କୁଲ୍‌ରେ ୫୬ ଜଣ ଛାତ୍ର ପାଟ୍‌ନା ଚିଡ଼ିଅାଖାନା ପାଖ ରାସ୍ତା କଡ଼ ଫୁଟପାଥରେ ଶୋଇବା ପାଇଁ ବାଧ୍ୟ ହୋଇଛନ୍ତି। ବିଡ଼ମ୍ବନାର କଥା ହେଉଛି ମୁଖ୍ୟମନ୍ତ୍ରୀ ବିହାର ଦର୍ଶନ ଯୋଜନାରେ ସେମାନେ ଯାତ୍ରା କରୁଥିବା ବେଳେ ଏପରି ଅବସ୍ଥାରେ ରାତ୍ରି ଯାପନ କରିଛନ୍ତି।

ମୁଖ୍ୟମନ୍ତ୍ରୀ ବିହାର ଦର୍ଶନ ଯୋଜନା ପ୍ରାୟୋଜିତ ଛାତ୍ରଛାତ୍ରୀମାନେ ନାଳନ୍ଦା ଏବଂ ରାଜଗିର ବୁଲିବା ପରେ ପାଟନା ଚିଡ଼ିଅାଖାନାରେ ପହଞ୍ଚିବା ପରେ ଏହି ଲଜ୍ଜାଜନକ ଘଟଣା ଘଟିଥିଲା। ମୁଖ୍ୟମନ୍ତ୍ରୀ ନୀତିଶ କୁମାର  ଆରମ୍ଭ କରିଥିବା ଏହି ଯୋଜନାର ଲାଭ ଉଠାଇବା ଆଶାରେ ଯାଇ ଛାତ୍ରଛାତ୍ରୀମାନେ ଏପରି ହୀନସ୍ତା ହେବା କଥା ବିହାର ପାଇଁ ଲଜ୍ଜା ପାଲଟିଛି।

ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ସ୍କୁଲ୍‌ କର୍ମଚାରୀମାନଙ୍କ ସହ ଛାତ୍ରଛାତ୍ରୀମାନେ ପାଟ୍‌ନାରେ ବିଳମ୍ବରେ ପହଞ୍ଚିଥିଲେ। ପାଞ୍ଚ ଜଣ ଶିକ୍ଷକ ମିଶି ଛାତ୍ରାଛାତ୍ରୀମାନଙ୍କ ପାଇଁ ଖାଇବା ପ୍ରସ୍ତୁତ କରିବାରେ ଲାଗିପଡ଼ିଲେ। ଖାଇସାରିବା ପରେ ବିଶ୍ରାମ ପାଇଁ କୌଣସି ବନ୍ଦୋବସ୍ତ ହୋଇ ନପାରିବାରୁ ଗାଡ଼ି ଯାତାୟତ କରୁଥିବା ରାସ୍ତାରେ ଶୋଇବା ପାଇଁ ଶିକ୍ଷକମାନେ ୫୬ ଜଣ ଛାତ୍ରଛାତ୍ରୀଙ୍କୁ କହିଥିଲେ।

ଏହି ଘଟଣା ପରେ ପୂର୍ବ ଚାମ୍ପରନର ଜିଲ୍ଲା ଶିକ୍ଷା ଅଧିକାରୀ ୫୬ ଜଣ ଛାତ୍ରଙ୍କ ଜୀବନକୁ ବିପଦରେ ପକାଇଥିବା ସେ ପାଞ୍ଚ ଜଣ ଯାକ ଶିକ୍ଷକଙ୍କୁ ନିଲମ୍ବିତ କରି ଦେଇଛନ୍ତି।

 

ସମ୍ବନ୍ଧିତ ଖବର