ସେଲଟର ହୋମ୍‌ ଦୁଷ୍କର୍ମ ଘଟଣା : ନିଜ ତରଫରୁ ମାମଲା ରୁଜ୍ଜୁ କରି ଉଭୟ ବିହାର ଓ କେନ୍ଦ୍ର ସରକାରଙ୍କୁ ନୋଟିସ୍‌ ଜାରି କଲେ ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ସଂପ୍ରତି ସମଗ୍ର ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବହୁ ଚର୍ଚ୍ଚିତ ବିହାର ମୁଜାଫରପୁର ସେଲଟର ହୋମ୍‌ ଦୁଷ୍କର୍ମ ମାମଲାରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମ୍‌ କୋର୍ଟ ଆଜି (ଗୁରୁବାର), ନିଜ ତରଫରୁ ଏହି ମାମଲାକୁ ବିଚାର ପାଇଁ ଗ୍ରହଣ କରିଛନ୍ତି। ଏଥିସହ ଏହି ଲଜ୍ଜାଜନକ ଘଟଣା ସଂପର୍କରେ ବିହାରର ନୀତୀଶ ସରକାରଙ୍କୁ କାରଣ ଦର୍ଶାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏବଂ ମୁଜାଫରପୁର ସେଲଟର ହୋମରେ ନାବାଳିକାମାନେ ଦୁଷ୍କର୍ମର ଶିକାର ହୋଇ ଚାଲିଥିବା ବେଳେ ସେ ଦିଗରେ କେନ୍ଦ୍ର ସରକାରଙ୍କ ଶିଶୁ ବିକାଶ ମନ୍ତ୍ରାଳୟ କାହିଁକି କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ନିରବରେ ବସିଚ ରହିଥିଲେ, ସେ ସଂପର୍କରେ ମଧ୍ୟ କାରଣ ଦର୍ଶାଇବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ଏହି ଲଜ୍ଜାଜନକ ଘଟଣା ପଛରେ ପୁଲିସ୍‌, ରାଜନେତା, ପ୍ରଶାସକ ଓ ଅପରାଧୀମାନଙ୍କୁ ନେଇ ଗଠିତ ର‍୍ୟାକେଟ ବିଗତ ୪ ବର୍ଷ ତଳୁ କାମ କରୁଥିବା ଜାଣିବା ପରେ ଏହି ମାମଲାରେ ସୁପ୍ରିମ୍‌ କୋର୍ଟ ନିଜର ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏଥିସହ ଏହି ମାମଲାରେ ନାବାଳିକା ପୀଡ଼ିତା ମାନଙ୍କର କୌଣସି ପ୍ରକାର ଫଟୋ କିମ୍ବା ସାକ୍ଷାତକାର ପ୍ରସାରିତ କିମ୍ବା ପ୍ରଦର୍ଶିିତ ନ କରିବାକୁ ଉଭୟ ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମ ଉପରେ ନିଷେଧାଦେଶ ଜାରି କରିଛନ୍ତି।

ପ୍ରସଙ୍ଗକ୍ରମେ ବିହାର ମୁଜାଫରପୁର ସ୍ଥିତ ବିହାର ସରକାରଙ୍କ ପରିଚାଳନାଧୀନ ଏକ ସେଲଟର ହୋମ୍‌ରେ ରହୁଥିବା ୧୫ରୁ ୫୦ ବର୍ଷ ବୟସ ମଧ୍ୟରେ ପ୍ରାୟ ୪୦ରୁ ଉର୍ଦ୍ଧ୍ୱ ଅନ୍ତେବାସୀଙ୍କୁ ପ୍ରତି ରାତିରେ ଖାଦ୍ୟରେ ନିଶା ଔଷଧ ଦିଆଯାଇ ସେମାନଙ୍କୁ ଦୁଷ୍କର୍ମ କରାଯାଉଥିଲା। ଦୀର୍ଘ ବର୍ଷ ଧରି ଏହି ଲଜ୍ଜା ଜନକ ଘଟଣା ଚାଲିଥିଲା ଓ ଏହା ପଛରେ ରାଜନେତା, ପ୍ରଶାସକ ଓ ଅପରାଧୀମାନଙ୍କୁ ନେଇ ଗଠିତ ର‍୍ୟାକେଟ ବିଗତ ୪ ବର୍ଷ ତଳୁ କାମ କରୁଥଲା।

ସମ୍ବନ୍ଧିତ ଖବର