ବିହାର ସେଲଟର ହୋମ୍‌ ଦୁଷ୍କର୍ମ ମାମଲା: ବ୍ରଜେଶ ଠାକୁରଙ୍କ ସମେତ ୧୯ ଜଣ ଦୋଷୀ ସାବ୍ୟସ୍ତ; ୨୮ରେ ହେବ ଦଣ୍ଡ ଘୋଷଣା

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ବିହାର ସେଲଟର ହୋମ୍‌ ଦୁଷ୍କର୍ମ ମାମଲାରେ ଆଜି ଦିଲ୍ଲୀର ଏକ ଅଦାଲତ ମୁଖ୍ୟ ଅଭିଯୁକ୍ତ ବ୍ରଜେଶ ଠାକୁର ସମେତ ୧୯ ଜଣଙ୍କୁ ଦୋଷୀ ଘୋଷିତ କରିଛନ୍ତି। ଏହି ଦୋଷୀମାନଙ୍କ ମଧ୍ୟରେ ବିହାର ପିପ୍ୟୁଲସ୍‌ ପାର୍ଟିର ଜନୈକ ପୂର୍ବତନ ବିଧାୟକ ମଧ୍ୟ ସାମିଲ ଥିବା ଜାଣିବାକୁ ମିଳିଛି। ଏଥିସହ ଆସନ୍ତା ୨୮ ତାରିଖରେ ଏହି ସମସ୍ତ ଦୋଷୀଙ୍କ ପାଇଁ ଦଣ୍ଡାଦେଶ ଘୋଷଣା କରାଯିବ ବୋଲି କହିଛନ୍ତି ଅଦାଲତ।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ମୁଖ୍ୟ ଅଭିଯୁକ୍ତ ବ୍ରଜେଶ ଠାକୁର ଦ୍ୱାରା ବିହାରର ମୁଜାଫରପୁର ଠାରେ ଖୋଲା ଯାଇଥିବା ଏକ ସେଲଟର ହୋମ୍‌ (ଆଶ୍ରୟସ୍ଥଳୀ)ରେ ରହୁଥିବା ମହିଳା ଅନ୍ତେବାସୀମାନଙ୍କୁ ଯୌନ ନିର୍ଯାତନା ଦିଆଯିବା ସହ ସେମାନଙ୍କୁ ନିୟମିତ ଭାବେ ଦୁଷ୍କର୍ମ ମଧ୍ୟ କରା ଯାଉଥିଲା। ଏହି ନିର୍ଯାତିତାମାନଙ୍କ ମଧ୍ୟରେ ଅନେକ ନାବାଳିକା ରହିଥିଲେ।

NDTV

ଏହି ଘଟଣା ଲୋକଲୋଚନକୁ ଆସିବା ପରେ ଏହି ଘଟଣାକୁ କେନ୍ଦ୍ର କରି ଦେଶବ୍ୟାପି ଚର୍ଚ୍ଚା ଓ ଆଲୋଡ଼ନ ସୃଷ୍ଟି ହୋଇଥିଲା। କାରଣ, ସେଲଟର ହୋମ୍‌ର ମହିଳା ଅନ୍ତେବାସୀମାନଙ୍କୁ ଯୌନ ନିର୍ଯାତନା ଦିଆଯିବା ସହ ସେମାନଙ୍କୁ ଦୁଷ୍କର୍ମ କରିବା ଘଟଣାରେ ବିହାରର ବହୁ କ୍ଷମତାଶଳୀ ରାଜନେତାଙ୍କ ଠାରୁ ଆରମ୍ଭ କରି ପ୍ରଭାବଶାଳୀ ପ୍ରଶାସକମାନେ ମଧ୍ୟ ସଂପୃକ୍ତ ରହିଥିଲେ। ଏପରିକି ଏହି ଘଟଣାରେ ବିହାର ନୀତୀଶ କୁମାରଙ୍କ ମନ୍ତ୍ରିମଣ୍ଡଳରେ ସମାଜକଲ୍ୟାଣ ମନ୍ତ୍ରୀ ମଞ୍ଜୁ ବର୍ମାଙ୍କ ସ୍ୱାମୀଙ୍କ ସଂପୃକ୍ତି ଥିବା ଜଣା ପଡ଼ିବାପରେ ମଞ୍ଜୁ ବର୍ମାଙ୍କୁ ତାଙ୍କ ପଦବୀରୁ ଇସ୍ତଫା ଦେବା ପାଇଁ ପଡ଼ିଥିଲା। ଘଟଣାର ଗୁରୁତ୍ୱ ଓ ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ଏହି ଘଟଣାର ତଦନ୍ତ ସିବିଆଇକୁ ଦିଆ ଯାଇଥିଲ। ସିବିଆଇ ଏହି ଘଟଣାର ତଦନ୍ତ କରି ୨୦ ଜଣଙ୍କ ବିରୋଧରେ ଅଦାଲତରେ ଚାର୍ଜସିଟ୍‌ ଦାଖଲ କରିଥିଲା। ତେବେ, ଅଦାଲତ ଏମାନଙ୍କ ମଧ୍ୟରୁ ୧୯ ଜଣଙ୍କୁ ଦୋଷୀ ଘୋଷିତ କରିଛନ୍ତି।

India TV
ସମ୍ବନ୍ଧିତ ଖବର