ନୂଆଦିଲ୍ଲୀ: ବିହାର ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା (ଏସ୍‌ଆଇଆର୍‌)ରେ ବାଦ ପଡ଼ିଥିବା ଭୋଟରଙ୍କୁ ନେଇ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ମତଦାତା ତାଲିକାରୁ ଅନ୍ତର କରାଯାଇଥିବା ୩.୭ ଲକ୍ଷ ବ୍ୟକ୍ତିଙ୍କ ଆବେଦନ ପ୍ରକ୍ରିୟାକୁ ସହଜ କରିବା ପାଇଁ ବିହାର ରାଜ୍ୟ ଆଇନ ସେବା ପ୍ରାଧିକରଣ (ଏସ୍‌ଏଲ୍‌ଏସ୍‌ଏ)କୁ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ବାଦ ପଡ଼ିଥିବା ଭୋଟରମାନେ ଆବେଦନ ଦାଖଲ କରିବା ଦିଗରେ ଆଗଭର ହେବାକୁ କୋର୍ଟ ପରାମର୍ଶ ଦେଇଛନ୍ତି। ଜଷ୍ଟିସ୍‌ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ୍‌ ଜୟମାଲ୍ୟ ବାଗ୍‌ଚୀଙ୍କ ଖଣ୍ଡପୀଠ ଏସ୍‌ଆଇଆର୍‌ ପ୍ରକ୍ରିୟାରେ ବାଦ ପଡ଼ିଥିବା ସମସ୍ତ ନାମକୁ ପୁନଃସ୍ଥାପନ କିମ୍ବା ସମୀକ୍ଷା ପାଇଁ ନିର୍ଦ୍ଦେଶ ଜାରି କରିବାକୁ ମନା କରିଛନ୍ତି। ଆଜିର ଶୁଣାଣିରେ ମଧ୍ୟ ଖଣ୍ଡପୀଠ ଏସ୍‌ଆଇଆର୍‌ ପ୍ରକ୍ରିୟାକୁ ସମର୍ଥନ କରିଛନ୍ତି ଏବଂ ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୧୬ ତାରିଖରେ କରାଯିବାକୁ ଧାର୍ଯ୍ୟ କରିଛନ୍ତି। 

Advertisment

ସହାୟତା ପାଇଁ ଆଇନ 
ସେବା ପ୍ରାଧିକରଣକୁ ନିର୍ଦ୍ଦେଶ
ପୁନଃସମୀକ୍ଷା ପାଇଁ ମନା କଲେ କୋର୍ଟ

ନିର୍ବାଚନ କମିସନଙ୍କ ପକ୍ଷରୁ ସୁପ୍ରିମ୍‌କୋର୍ଟରେ ଦାଖଲ ହୋଇଥିବା ଏକ ସତ୍ୟପାଠରେ କୁହାଯାଇଛି ଯେ ଭୋଟର ତାଲିକାରେ କେବଳ ଭାରତୀୟ ନାଗରିକ ଅନ୍ତର୍ଭୁକ୍ତ। କମିସନ ସ୍ପଷ୍ଟ କରିଛନ୍ତି, ଭୋଟର ତାଲିକାରୁ ବେଆଇନ ପାକିସ୍ତାନୀ, ଆଫଗାନିସ୍ତାନୀ, ରୋହିଙ୍ଗ୍ୟା ଏବଂ ବାଂଲାଦେଶୀ ପ୍ରବାସୀଙ୍କୁ ହଟାଇବା ପାଇଁ ଯଥୋଚିତ ପଦକ୍ଷେପ ଗ୍ରହଣ କରାଯାଇଛି। ଭୋଟର ତାଲିକାରେ କେବଳ ଭାରତୀୟ ନାଗରିକଙ୍କୁ ଅନ୍ତର୍ଭୁକ୍ତ କରାଯିବା ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ନିଶ୍ଚିତ କରାଯାଇଛି ଏବଂ ନିଷ୍ଠାର ସହ ଏହା କାର୍ଯ୍ୟକାରୀ ହୋଇଛି।  

ସୂଚନାଯୋଗ୍ୟ, ବିହାରରେ ଆଗାମୀ ନିର୍ବାଚନ ପୂର୍ବରୁ ମତଦାତା ତାଲିକା ସଂଶୋଧନ ପାଇଁ ଏସ୍‌ଆଇଆର ପ୍ରକ୍ରିୟା ଆରମ୍ଭ ହୋଇଥିଲା। ୨୦୨୫ ଜୁନ ୨୪ ସୁଦ୍ଧା ରାଜ୍ୟରେ ୭.୮୯ କୋଟି ମତଦାତା ଥିବା ବେଳେ ଅଗଷ୍ଟ ୧ରେ ପ୍ରକାଶିତ ଡ୍ରାଫ୍‌ଟ ତାଲିକାରେ ୬୫ ଲକ୍ଷ ନାମ ବାଦ ଦେବାର ପ୍ରସ୍ତାବ ରହିଥିଲା। ଅନ୍ତିମ ତାଲିକା ସେପ୍ଟେମ୍ବର ୩୦ରେ ପ୍ରକାଶ ପାଇଥିଲା, ଯେଉଁଥିରେ ୭.୪୨ କୋଟି ମତଦାତାଙ୍କ ନାମ ଚୂଡ଼ାନ୍ତ ହୋଇଥିଲା। ଏହା ପରେ ବିଭିନ୍ନ କାରଣରୁ ଭୋଟର ତାଲିକାରୁ ବାଦ ପଡ଼ିଥିବା ବ୍ୟକ୍ତିଙ୍କ ସଂପର୍କରେ ତଥ୍ୟ ରଖିବା ପାଇଁ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶକ୍ରମେ କମିସନ ଏ ବାବଦ ସତ୍ୟପାଠ ଦାଖଲ କରିବା ସହ ତଥ୍ୟ ଉପସ୍ଥାପନ କରିଥିଲେ। ଆଜି ଏସ୍‌ଆଇଆର୍‌ ନେଇ ସୁପ୍ରିମ୍‌କୋର୍ଟଙ୍କ ରାୟ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଥିବା ବେଳେ  ପ୍ରକ୍ରିୟାର ପୁନଃସମୀକ୍ଷା ଆବେଦନକୁ କୋର୍ଟ ପ୍ରତ୍ୟାଖ୍ୟାନ କରିବା କମିସନଙ୍କ ପାଇଁ ବଡ଼ ଆଶ୍ବସ୍ତି ହୋଇଛି। ତେବେ ଆବେଦନ ପ୍ରକ୍ରିୟା ମାଧ୍ୟମରେ ନ୍ୟାୟ ପାଇବାର ସୁଯୋଗ ଉପଲବ୍ଧ କରାଇବାକୁ କୋର୍ଟ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି।