ନୂଆଦିଲ୍ଲୀ: ଆଧାରକୁ ନାଗରିକତାର ନିର୍ଣ୍ଣାୟକ ପ୍ରମାଣ ଭାବେ ବିବେଚନା କରାଯାଇପାରିବ ନାହିଁ ବୋଲି ନିର୍ବାଚନ କମିସନଙ୍କ ଆଭିମୁଖ୍ୟକୁ ସୁପ୍ରିମ୍କୋର୍ଟ ସମର୍ଥନ କରିବା ସହ ଏହାକୁ ସ୍ୱାଧୀନ ଭାବେ ଯାଞ୍ଚ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ବିହାରରେ ଭୋଟର ତାଲିକାର ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ (ଏସ୍ଆଇଆର୍)କୁ ଚ୍ୟାଲେଞ୍ଜ କରୁଥିବା ଆବେଦନର ଶୁଣାଣି କରି ଏଭଳି ମନ୍ତବ୍ୟ ଦେଇଛନ୍ତି। ଆଧାରକୁ ନାଗରିକତାର ନିର୍ଣ୍ଣାୟକ ପ୍ରମାଣ ଭାବେ ଗ୍ରହଣ କରାଯାଇ ପାରିବ ନାହିଁ ବୋଲି ନିର୍ବାଚନ କମିସନ କହିବା ଠିକ୍। ଏହାକୁ ଯାଞ୍ଚ କରିବାକୁ ପଡ଼ିବ ବୋଲି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଆବେଦନକାରୀଙ୍କ ପକ୍ଷରୁ ମାମଲା ଲଢ଼ୁଥିବା ବରିଷ୍ଠ ଆଇନଜୀବୀ କପିଲ ସିବଲଙ୍କୁ କହିଛନ୍ତି।
ସର୍ବୋଚ୍ଚ ଅଦାଲତ ଏହା ମଧ୍ୟ କହିଛନ୍ତି ଯେ ପ୍ରଥମ ପ୍ରଶ୍ନ ହେଉଛି ଯାଞ୍ଚ କରିବାର କ୍ଷମତା ନିର୍ବାଚନ କମିସନଙ୍କ ପାଖରେ ଅଛି କି ନାହିଁ। ଯଦି ସେମାନଙ୍କ ପାଖରେ କ୍ଷମତା ନ ଥାଏ, ତେବେ ଏହା ଆଉ ଏକ ସମସ୍ୟା। କିନ୍ତୁ ସେମାନଙ୍କ ପାଖରେ କ୍ଷମତା ରହିଲେ କୌଣସି ଅସୁବିଧା ନାହିଁ ବୋଲି ଜଷ୍ଟିସ୍ ସୂର୍ଯ୍ୟକାନ୍ତ କହିଛନ୍ତି। ସିବଲ ଯୁକ୍ତି ବାଢ଼ିଥିଲେ ଯେ ନିର୍ବାଚନ କମିସନଙ୍କ ଏହି ପ୍ରକ୍ରିୟା ଯୋଗୁଁ ବହୁସଂଖ୍ୟାରେ ଭୋଟରମାନେ ବାଦ୍ ପଡ଼ିବେ, ବିଶେଷ କରି ଯେଉଁମାନେ ଆବଶ୍ୟକ ଫର୍ମ ଦାଖଲ କରିବାରେ ଅସମର୍ଥ। ଏପରିକି ୨୦୦୩ ଭୋଟର ତାଲିକାରେ ସାମିଲ ହୋଇଥିବା ଭୋଟରଙ୍କୁ ମଧ୍ୟ ନୂଆ ଫର୍ମ ପୂରଣ କରିବାକୁ ପଡ଼ୁଛି ଏବଂ ଏଥିରେ ବିଫଳ ହେଲେ ବାସସ୍ଥାନ ପରିବର୍ତ୍ତନ ନ ହେବା ସତ୍ତ୍ୱେ ନାମ କାଟି ଦିଆଯାଉଛି ବୋଲି ସେ ଦାବି କରିଛନ୍ତି। ସିବଲ କହିଛନ୍ତି, ବିହାରରେ କୌଣସି ଉପଯୁକ୍ତ ତଦନ୍ତ ବିନା ପ୍ରାୟ ୬୫ ଲକ୍ଷ ଲୋକଙ୍କ ନାମକୁ କମିସନ ବାଦ୍ ଦେଇଛନ୍ତି।
ତେବେ ୬୫ ଲକ୍ଷ ନାମ କେମିତି କଟିଲା ଏବଂ ଏହା ଭେରିଫାଏଡ୍ ତଥ୍ୟ କି ଅନୁମାନ ଉପରେ ଆଧାରିତ ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି। ଯେଉଁମାନେ ଫର୍ମ ଦାଖଲ କରିଥିଲେ ସେମାନେ ପୂର୍ବରୁ ଡ୍ରାଫ୍ଟ ତାଲିକାରେ ଥିଲେ ବୋଲି ଦର୍ଶାଇ ଖଣ୍ଡପୀଠ କହିଛନ୍ତି, ଆପଣଙ୍କ ଆଶଙ୍କା କାଳ୍ପନିକ କି ନୁହେଁ, ତାହା ଆମେ ବୁଝିବାକୁ ଚାହୁଛୁ। ଏହାପରେ ସିବଲ ଦାବି କରିଥିଲେ ଯେ ୨୦୨୫ ତାଲିକାରେ ୭.୯ କୋଟି ଭୋଟର ଥିଲେ, ସେମାନଙ୍କ ମଧ୍ୟରୁ ୪.୯ କୋଟି ୨୦୦୩ ତାଲିକାରେ ଥିଲେ ଏବଂ ୨୨ ଲକ୍ଷ ମୃତ ବୋଲି ରେକର୍ଡ କରାଯାଇଛି। ଅନ୍ୟପକ୍ଷରେ ଆବେଦନକାରୀଙ୍କ ପକ୍ଷରୁ ଓକିଲ ପ୍ରଶାନ୍ତ ଭୂଷଣ ଅଭିଯୋଗ କରିଛନ୍ତି ଯେ ନିର୍ବାଚନ ଆୟୋଗ ଅଦାଲତ ଫାଇଲିଂ କିମ୍ବା ୱେବ୍ସାଇଟ୍ରେ ମୃତ୍ୟୁ କିମ୍ବା ବାସସ୍ଥାନ ପରିବର୍ତ୍ତନ କାରଣରୁ ବାଦ୍ ପଡ଼ିଥିବା ଭୋଟରଙ୍କ ତାଲିକା ପ୍ରକାଶ କରିନାହାନ୍ତି। ସେମାନେ ବୁଥ୍ସ୍ତରୀୟ ଏଜେଣ୍ଟମାନଙ୍କୁ ସୂଚନା ଦେଇଛନ୍ତି ବୋଲି କହୁଛନ୍ତି। କିନ୍ତୁ ସେମାନେ ଏହାକୁ ଅନ୍ୟ କାହାକୁ ଦେବାକୁ ବାଧ୍ୟ ନୁହନ୍ତି ବୋଲି କହୁଥିବା ଭୂଷଣ କହିଛନ୍ତି। ଖଣ୍ଡପୀଠ କହିଛନ୍ତି ଯେ ଯଦି କୌଣସି ଭୋଟର ଆଧାର ଓ ରାସନ କାର୍ଡ ସହିତ ଏକ ଫର୍ମ ଦାଖଲ କରନ୍ତି, ତେବେ ନିର୍ବାଚନ କମିସନ ବିବରଣୀ ଯାଞ୍ଚ କରିବାକୁ ବାଧ୍ୟ।
ଅନ୍ୟପକ୍ଷରେ, ଭୋଟର ତାଲିକା ସଂଶୋଧନ ଭଳି ଏକ ବଡ଼ ପ୍ରକ୍ରିୟାରେ କିଛି ତ୍ରୁଟି ଅନିବାର୍ଯ୍ୟ ବୋଲି ଆଜି ନିର୍ବାଚନ କମିସନ ସୁପ୍ରିମ୍କୋର୍ଟଙ୍କୁ କହିଛନ୍ତି। ଏହାକୁ ନେଇ ଖଣ୍ଡପୀଠ କମିସନଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ରାକେଶ ଦ୍ୱିବେଦୀଙ୍କୁ ପଚାରିଥିଲେ ଯେ କେତେ ଭୋଟରଙ୍କୁ ମୃତ ବୋଲି ଚିହ୍ନଟ କରାଯାଇଛି। ଏହାର ଜବାବରେ ଦ୍ବିବେଦୀ କହିଛନ୍ତି ଯେ ଏହା କେବଳ ଏକ ଡ୍ରାଫ୍ଟ ରୋଲ୍ ଏବଂ ଏତେ ବଡ଼ ଅଭ୍ୟାସରେ ଯଦି କିଛି ତ୍ରୁଟି ରହିଛି ତାହାର ସଂଶୋଧନ ପାଇଁ ସବୁ ବ୍ୟବସ୍ଥା ରହିଛି। କିନ୍ତୁ ମୃତକୁ ଜୀବିତ ବୋଲି କହିବା ଠିକ୍ ନୁହେଁ ବୋଲି ଦ୍ୱିବେଦୀ ଯୁକ୍ତି ବାଢ଼ିଥିଲେ। ଏହାର ଜବାବରେ ସିବଲ କହିଛନ୍ତି ଯେ ପ୍ରତ୍ୟେକ ବୁଥ୍ରେ ଏଭଳି ତ୍ରୁଟି ରହିଛି, ଯାହା ଠିକ୍ ନୁହେଁ। ଏହା ଉପରେ ଖଣ୍ଡପୀଠ କହିଛନ୍ତି, ପୀଡ଼ିତ ବ୍ୟକ୍ତିମାନେ କେଉଁଠି ଅଛନ୍ତି? ଦୟାକରି ଆମକୁ ଏକ ତାଲିକା ଦିଅନ୍ତୁ। ଯଦି କୌଣସି ବ୍ୟକ୍ତିଙ୍କୁ ମୃତ ବୋଲି କୁହାଯାଉଛି କିନ୍ତୁ ସେ ଜୀବିତ ଅଛନ୍ତି, ତେବେ ଆମେ ଇସିଆଇକୁ ତାହା ସଂଶୋଧନ କରିବାକୁ କହିବୁ। ତେବେ ଏଭଳି ତ୍ରୁଟିକୁ ବୁଥ୍-ସ୍ତରୀୟ ଅଫିସର (ବିଏଲ୍ଓ) ସୁଧାରିପାରିବେ ବୋଲି ଆଇନଜୀବୀ ଦ୍ୱିବେଦୀ ଯୁକ୍ତି ବାଢ଼ିଥିଲେ।